ଜାତୀୟ ପୁରସ୍କାର ପାଇବେ ପୁରୀ ମାଟିର ପୁଅ ଈଶ୍ୱର ଚନ୍ଦ୍ର ନାୟକ

0 62

ପୁରୀ : ଗୁରୁ ଶିଷ୍ୟ ସମ୍ପର୍କର ଏକମାତ୍ର ମାଧ୍ୟମ ହେଉଛି ଶିକ୍ଷାଦାନ । ଆମେ ଏଭଳି ଜଣେ ଶିକ୍ଷକଙ୍କ ବିଷୟରେ କହିବୁ ଯିଏ ଇଞ୍ଜିନିୟର ଚାକିରୀ ଛାଡି ପିଲାମାନଙ୍କୁ ପାଠ ପଢାଉଛନ୍ତି । ଏହା ତାଙ୍କର ନିଶା । ବୃତ୍ତିକୁ ବ୍ରତ କରି ସେ ଏହି ଧର୍ମ ପାଳନ କରୁଛନ୍ତି । ସେ ହେଉଛନ୍ତି ପୁରୀ ମାଟିର ସୁଯୋଗ୍ୟ ସନ୍ତାନ ଇଶ୍ୱର ଚନ୍ଦ୍ର ନାୟକ । ପୁରୀ ଜିଲ୍ଲା ନିମାପଡା ବ୍ଲକ କନପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସେ ଶିକ୍ଷକତା କରନ୍ତି । ଆସନ୍ତା ସେପ୍ଟେମ୍ବର ୫ ତାରିଖ ଗୁରୁଦିବସରେ ଓଡିଆ ମହିଳା ରାଷ୍ଟ୍ରପତିଙ୍କଠାରୁ ସେ ପୁରଷ୍କୃତ ହେବାକୁ ଯାଉଛନ୍ତି । ଯାହାକୁ ନେଇ ସବୁଆଡୁ ତାଙ୍କୁ ପ୍ରଶଂସାର ସୁଅ ଛୁଟୁଥିବା ବେଳେ ଗତ କିଛିଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ଇଶ୍ୱର । ଜାତୀୟ ପୁରସ୍କାର ପାଇବେ ପୁରୀ ମାଟିର ପୁଅ ଈଶ୍ୱର ଚନ୍ଦ୍ର ନାୟକ । ରାଷ୍ଟ୍ରପତି ଦ୍‌ରୌପଦୀ ମୁର୍ମୁଙ୍କ ଠାରୁ ସେପ୍‌ଟେମ୍ବର ୫ ତାରିଖ ଗୁରୁଦିବସରେ ସେ ଗ୍ରହଣ କରିବେ ‘ ଜାତୀୟ ଶିକ୍ଷକ ପୁରସ୍କାର ‘ । ଚଳିତ ବର୍ଷ ସେ ଏକମାତ୍ର ଶିକ୍ଷକ ଭାବେ ଓଡିଶାରୁ ଯୋଗ୍ୟ ବିବେଚିତ ହେଇଛନ୍ତି । ପୁରୀ ଜିଲ୍ଲା ନିମାପଡା ବ୍ଲକ ବାଙ୍ଗୁରୁସ ପାଟଣାରେ ଈଶ୍ୱରଙ୍କ ଘର । ସେ ଏବେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କନପୁରରେ ଶିକ୍ଷକତା କରୁଛନ୍ତି । ନିଷ୍ଠାପର, ନିଆରା ଢଙ୍ଗରେ ଶିକ୍ଷାଦାନ ଏବଂ ନିଜର ଦକ୍ଷତା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ତାଙ୍କୁ ଏହି ପୁରସ୍କାର ପାଇଁ ମନୋନୀତ କରିଛି । ଚଳିତ ବର୍ଷ ଭାରତର ବିଭିନ୍ନ ରାଜ୍ୟରୁ ମୋଟ ୪୬ ଜଣ ଶିକ୍ଷକଙ୍କୁ ଏହି ପୁରସ୍କାର ପ୍ରଦାନ ନିମନ୍ତେ ନିଷ୍ପତ୍ତି ହୋଇଥିବା ବେଳେ ଓଡିଶାରୁ ଈଶ୍ୱର ଏକମାତ୍ର ଶିକ୍ଷକ ଭାବେ ଏହି ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଈଶ୍ୱର ଆଗାମୀ ପିଢ଼ିର ଶିକ୍ଷକଙ୍କୁ ବାର୍ତ୍ତା ଦେଇଛନ୍ତି ଆଦରର ସହ ଏବଂ କିଛି ନିଆରା ଢଙ୍ଗରେ ପାଠ ପଢାଇଲେ ଆମେ ଶିକ୍ଷକତାର ମଜା ନେଇ ପାରିବା ସହ ଛାତ୍ରଛାତ୍ରୀଙ୍କର ପାଠ ପଢାରେ ଆଗ୍ରହ ବଢିବ । ତେବେ ତାଙ୍କୁ ଜାତୀୟ ଶିକ୍ଷା ପୁରସ୍କାର ଆଗମୀ ଦିନରେ ଶିକ୍ଷାଦାନ କ୍ଷେତ୍ରରେ ଆହୁରି ପ୍ରେରଣା ଓ ଉତ୍ସାହିତ କରିବ ବୋଲି ଈଶ୍ୱର କହିଛନ୍ତି । ସେପଟେ ଇଶ୍ୱର କେବଳ ଶିକ୍ଷକତା କରନ୍ତି ନାହିଁ ବରଂ ସେ ଜଣେ ଲେଖକ ମଧ୍ୟ ଅଟନ୍ତି । ଈଶ୍ୱର ପ୍ରାୟ ୧୮ ଟି ପୁସ୍ତକ ଓ କିଛି ଉପନ୍ୟାସ ଲେଖିଥିବା ବେଳେ ତାଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରନ୍ତି ତାଙ୍କ ଧର୍ମପତ୍ନୀ ମିନାକ୍ଷି । ଅନ୍ୟପଟେ ନିଜ ସ୍ୱାମୀ ଇଶ୍ୱରଙ୍କୁ ନେଇ ତାଙ୍କ ଧର୍ମପତ୍ନୀ ଗର୍ବ ଓ ଗୌରବ ଅନୁଭବ କରୁଥିବା କହିଛନ୍ତି ।
ସବୁଠୁ ବଡ କଥା ହେଉଛି ଈଶ୍ୱର ଜଣେ ଇଞ୍ଜିନିୟର । ଇଣ୍ଡିଆନ୍‌ ଇନଷ୍ଟିଚ୍ୟୁଟ ଅଫ ହ୍ୟାଣ୍ଡ ଲୁମ୍‌ ଟେକ୍ନୋଲୋଜିରୁ ଇଞ୍ଜିନିୟରିଙ୍ଗ୍‌ ଡିଗ୍ରୀ ହାସଲ କରି ଜଣେ ସଫଳ ଇଞ୍ଜିନିୟର ଭାବେ କ୍ୟାରିଅର ଆରମ୍ଭ କରିଥିଲେ ଈଶ୍ୱର । ତେବେ ଚାକିରି କରିବାର ୮ ବର୍ଷ ପରେ ସେ ମୋଟା ଅଙ୍କର ଦରମା ପାଉଥିବା ଚାକିରି ଛାଡି ୨୦୦୧ରେ ରାଜ୍ୟ ଶିକ୍ଷା ବିଭାଗରେ ମାତ୍ର ୧୫୦୦ ଟଙ୍କାରେ ଶିକ୍ଷକତା ଆରମ୍ଭ କରିଥିଲେ । ଇଂଜିନୀୟର ଚାକିରି ତାଙ୍କୁ ଆତ୍ମସନ୍ତୋଷ ପ୍ରଦାନ୍‌ ନକରିବାରୁ ସେ ଚାକିରି ଛାଡ଼ି ସ୍ୱଳ୍ପ ବେତନରେ ଶିକ୍ଷକତା ଆରମ୍ଭ କରିଥିଲେ । ଦେଶ ତଥା ସମାଜ ଗଠନରେ ଛାତ୍ରଛାତ୍ରୀଙ୍କୁ ପ୍ରସ୍ତୁତ କରିବା ତାଙ୍କୁ ବେଶ୍‌ ଆନନ୍ଦ ଓ ଶାନ୍ତି ମିଳୁଥିବା କହିଚନ୍ତି ଈଶ୍ୱର । ସେପଟେ ଓଡ଼ିଆ ଝିଅ ତଥା ପ୍ରଥମ ଓଡିଆ ରାଷ୍ଟ୍ରପତିଙ୍କ ଠାରୁ ଈଶ୍ୱର ଜାତୀୟ ପୁରସ୍କାର ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ନିଷ୍ପତ୍ତି ପରେ ଈଶ୍ୱର ଗ୍ରାମ ଏବଂ ତାଙ୍କ ଶୁଭେଛୁ, ଛାତ୍ରଛାତ୍ରୀ ମହଲରେ ଆନନ୍ଦର ଲହରୀ ଖେଳିଯାଇଛି ।
ଇଶ୍ୱର ପୂର୍ବରୁ ଅନେକ ଜାତୀୟ ଏବଂ ରାଜ୍ୟ ସ୍ତରୀୟ ପୁରସ୍କାର ପାଇଛନ୍ତି । ତାଙ୍କ ଲିଖିତ ପୁସ୍ତକ ‘ ଅଳିଆ ରୁ ଅ ଆ ‘ ଜାତୀୟ ପୁରସ୍କାର ପାଇଁ ଲୋକାଦୃତ ହୋଇଚି । ୨୦୧୬ରେ ସେ ରାଜ୍ୟ ଶିକ୍ଷକ ପୁରସ୍କାରର ଅଧିକାରି ହୋଇ ଥିଲେ । ଈଶ୍ୱର ଶିକ୍ଷକତା ସହ ସମାଜ ସେବା, ବିଭିନ୍ନ ପୁସ୍ତକ ଲେଖିବାରେ ବ୍ୟସ୍ତ ଅଛନ୍ତି । ୧୮ ରୁ ଅଧିକ ପୁସ୍ତକ ଓ ଶତାଧିକ ନିବନ୍ଧ ସେ ଲେଖିଛନ୍ତି । ନିଜ ଗ୍ରାମ ପିଲାଙ୍କୁ ମାଗଣା କମ୍ପ୍ୟୁଟର ଶିକ୍ଷା ପ୍ରଦାନ କରୁଛନ୍ତି ।

hiranchal ad1
Leave A Reply

Your email address will not be published.

2 + two =