ସୁବର୍ଣ୍ଣପୁର ଜିଲ୍ଲାରେ ନୂଆଁଖାଇ ସଂପନ୍ନ: ଚାରିଆଡେ ଉତ୍ସାହର ମାହୋଲ

0 72

ସୁବର୍ଣ୍ଣପୁର: ଗତକାଲି ନୂଆଁଖାଇ ପାଇଁ ସମଗ୍ର ସୁବର୍ଣ୍ଣପୁର ଜିଲ୍ଲା ଉତ୍ସବମୁଖର ଥିଲା । ନିର୍ଦ୍ଧାରିତ ନୀତି ନିର୍ଘଣ୍ଟ ଅନୁଯାୟୀ ସୁବର୍ଣ୍ଣପୁରର ଅଧିଷ୍ଠାତ୍ରୀ ଦେବୀ ମାଁ ସୁରେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗି କରାଯିବାପରେ ସମଗ୍ର ଜିଲ୍ଲା ସମେତ ପଞ୍ଚରା ଅଞ୍ଚଳର ଲୋକେ ନିଜନିଜର ଘରେ ପୂଜାର୍ଚ୍ଚନା ପୂର୍ବକ ନବାନ୍ନ ଗ୍ରହଣ କରିଥିଲେ । ସମଲେଶ୍ୱରୀଙ୍କ ମନ୍ଦିରରୁ ପାହୁରଯାତ୍ରା ଆରମ୍ଭ ହୋଇ ସୁରେଶ୍ୱରୀ ଙ୍କପୀଠରେ ପହଞ୍ଚିବା ପରେ ଘଣ୍ଟ ଘଣ୍ଟା ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ମାଁ ସୁରେଶ୍ୱରୀଙ୍କ ମନ୍ଦିର । ପୂର୍ବରୁ ନୁଆଁଖାଇ ଦିନ ସୁବର୍ଣ୍ଣପୁରର ପାହୁର ଯାତ୍ରା ମୁଖ୍ୟ ଆକର୍ଷଣ ହୋଇଥାଏ । ସୁବର୍ଣ୍ଣପୁର ଜିଲ୍ଲାରେ ଗାଁ ଗହଳିଠାରୁ ଆରମ୍ଭ କରି ସହରାଞ୍ଚଳରେ ଅନେକ ଉତ୍ସାହ ଉଦ୍ଦୀପନା ସହ ନୁଆଁଖାଇ ପର୍ବ ପାଳନ କରାଯାଇଛି । ପରମ୍ପରା ଅନୁସାରେ ସୁବର୍ଣ୍ଣପୁର ଜିଲ୍ଲାରେ କେତେକ ଗାଁରେ ଥିବା ଗ୍ରାମଦେବୀ ଓ ଇଷ୍ଟଦେବୀଙ୍କୁ ପୂଜା ପରେ କୁରେଇ, ଶାଳ, ଭେଲୁଆ ପତ୍ରରେ ନବାନ୍ନ ଭକ୍ଷଣ କରିଥାନ୍ତି । ନୂଆଁଖାଇବା ପରେ ପରେ ଗୁରୁଜନ ମାନଙ୍କୁ ସାନ ମାନେ ମୁଣ୍ଡିଆମାରିବା ପରମ୍ପରା ରହିଛି । ନୂଆଁଖାଇ ହେଉଛି ପଶ୍ଚିମ ଓଡିଶାର ମହାନ ଗଣପର୍ବ । ଏହି ଦିନ ପରିବାରରେ ସମସ୍ତେ ଏକାଠି ହୋଇଥାନ୍ତି । ଯିଏ ଯେଉଁଠି ଥାଉନା କାହିଁକି । ନୂଆଁଖାଇ ପାଇଁ ସ୍ୱତନ୍ତ୍ର ବଜାର ବସିଥାଏ । କିଣା ବିକା ପାଇଁ ପ୍ରବଳ ଗହଳି ମଧ୍ୟ ହୋଇଥାଏ । ନୂଆଁଖାଇରେ ଆଉ ଏକ ଭାଇଚାରାର ପରମ୍ପରା ହେଲା ବେଭାର ଆଦାନ ପ୍ରଦାନ । ମଇତ୍ର ଘରକୁ ନୁଆଁଖାଇ ଗୋଟେ ଦିନ ଆଗରୁ ବେଭାର ଦିଆଯାଇଥାଏ । ବେଭାରରେ ପନିପରିବା, ଡାଲି, ଚାଉଳ, ଗୁଡ଼ ବା ଚିନି, ଅଟା, ସୁଜି ଇତ୍ୟାଦି ଦିଆଯାଇଥାଏ । ଉଭୟ ପକ୍ଷରୁ ଏହା ଆଦାନ ପ୍ରଦାନ ହୋଇଥାଏ ।
ସୋନପୁର ଗଡଜାତରେ ଲୋକେ ଆନନ୍ଦ ଉହ୍ଲାସରେ ନିର୍ଦ୍ଧାରିତ ଲଗ୍ନରେ ନବାନ୍ନ ଭକ୍ଷଣ କରିଛନ୍ତି । ନୂଆଁଖାଇରେ ଖାଲି ଯେ ଅନ୍ନବ୍ୟଞ୍ଜନ, ପୀଠାପଣା ଆଦି ତିଆରି କରି ଖାଆନ୍ତି ତାହା ନୁହେଁ, ଇଷ୍ଟଦେବୀ ମାଁ ସୁରେଶ୍ୱରୀଙ୍କ ପାଖରେ ଲାଗିହୁଏ ନାନାଦି ଭୋଗ । ପାହୁର ଯାତ୍ରାରେ ଯାଇ ଅଷ୍ଟଚଣ୍ଡୀଙ୍କ ପାଖରେ ସମସ୍ତ ଭୋଗ ଲାଗିହୋଇଥାଏ । ସୁବର୍ଣ୍ଣପୁରରେ ପାହୁର ପରମ୍ପରା ଉପରେ ଏକ ସ୍ୱତନ୍ତ୍ରତା ରହିଛି । ସୋନପୁର ଗଡଜାତର ରାଜା ମହାରାଜାମାନେ ପାହୁର ପରି ଏକ ସ୍ୱତନ୍ତ୍ର ପରମ୍ପରା ଆରମ୍ଭ କରି ଯାଇଛନ୍ତି ନୂଆଁଖାଇ ପାଇଁ । ରାଜୁଡା ଅମଳର ଏହି ପାହୁର କିନ୍ତୁ ଆଜି ବି ମଳିନ ପଡି ନାହିଁ । ସୁବର୍ଣ୍ଣପୁର ସହରର ଇଷ୍ଟଦେବୀ ମାଁ ସୁରେଶ୍ୱରୀ, ଭଗବତୀ, ଖମ୍ବେଶ୍ୱରୀ, ସମଲେଶ୍ୱରୀ, ବୁଢି ସମଲେଇ ଆଦି ଅଷ୍ଟଚଣ୍ଡୀଙ୍କ ସମେତ ହନୁମାନଙ୍କ ପାଇଁ ପାହୁର ନୂଆଁଖାଇର ସ୍ୱତନ୍ତ୍ର ଭୋଗଖଞ୍ଜା କରାଯାଏ । ମାଁ ସମଲେଇଙ୍କ ମନ୍ଦିରରେ ପାହୁର ପ୍ରସ୍ତୁତ ହୋଇ ସମସ୍ତ ଦେବୀଙ୍କ ପାଖରେ ଲାଗି ହେଲା ପରେ ସୋନପୁର ଗଡଜାତବାସୀ ନବାନ୍ନ ଭକ୍ଷଣ କରିଥାନ୍ତି । ଶହ ଶହ ବର୍ଷ ହେଲା ଏହି ପାହୁର ଯାତ୍ରା ବଡ ଜାକଜମକରେ ପାଳିତ ହେଉଥିବା ବେଳେ ବିଗତ ଦୁଇବର୍ଷ କୋଭିଡ କଟକଣା ପାଇଁ କେବଳ ନିର୍ଦ୍ଦିଷ୍ଟ ରୀତିନୀତିରେ ପାଳିତ ହୋଇଥିଲା । ପାହୁରରେ ସରୁ ବାସମତୀ ଅରୁଆ ଚାଉଳ, ମୁଗ, ଘିଅ, ଗୁଡ, ପନିପରିବ, ପୀଠାପଣା ପାଇଁ ସାମଗ୍ରୀ ସହିତ ନୂଆଁଧାନ, ପଞ୍ଚାମୃତ ଆଦିର ବ୍ୟବସ୍ଥା କରାଯାଇଛି ରାଜୁଡା ଅମଳରୁ । ପ୍ରତିବର୍ଷ ଢୋଲ, ମହୁରୀ, ନିଶାନ ଆଦି ବାଦ୍ୟ ବଜାଇ ଏକ ଆଡମ୍ବରପୂର୍ଣ୍ଣ ଶୋଭାଯାତ୍ରାରେ ପାହୁର ସମଲେଶ୍ୱରୀ ପୀଠରୁ ଅଷ୍ଟଚଣ୍ଡୀ ,ଅଷ୍ଟଶମ୍ଭୁ ଓ ହନୁମାନଙ୍କ ପାଇଁ ଯାଇଥାଏ । ଚଳିତ ବର୍ଷ ଅନେକ ଭକ୍ତ ତଥା ଶ୍ରଦ୍ଧାଳୁ ପାହୁର ଶୋଭାଯାତ୍ରାରେ ବିଭିନ୍ନ ବାନା ବୈରଖସହ ଏହି ପାହୁର ଶୋଭାଯାତ୍ରା ରେ ଅଂଶ ଗ୍ରହଣ କରିଥିଲେ । ପରେ ନିର୍ଦ୍ଦିଷ୍ଟ ଲଗ୍ନ ଅନୁଯାୟୀ ସମସ୍ତ ଦେବାଦେବୀଙ୍କ ପାଖରେ ଏସବୁର ଭୋଗ ପ୍ରସ୍ତୁତ ହୋଇ ଲାଗିବା ପରେ ସୋନପୁର ଗଡଜାତର ତଥା ପଞ୍ଚରା ଅଞ୍ଚଳର ଲୋକେ ନବାନ୍ନ ଗ୍ରହଣ କରିଛନ୍ତି । ପାହୁରଯାତ୍ରା ଆୟୋଜନରେ ଶଶାଙ୍କ ଶେଖର ସିଂହଦେଓ, ଶ୍ରୀବତ୍ସ ମଲ୍ଲିକ, ଅଭିମନ୍ୟୁ କୁଶଳ, ପ୍ରକାଶ ସାହୁ, ମନୋରଞ୍ଜନ ତ୍ରିପାଠୀ, ସତ୍ୟନାରାୟଣ ତ୍ରିପାଠୀ, ମାନଭଞ୍ଜନ ବେଦବାକ, ଶେଷଦେବ ମେହେର, ଆନନ୍ଦ ପାତ୍ର, ପିଣ୍ଟୁ ରଥ, ବୈକୁଣ୍ଠ ଶତପଥୀ, ପି.ରାଜକିଶୋର ପାତ୍ର, ଲଡୁକିଶୋର ମଲ୍ଲିକଙ୍କ ସମେତ ଶିବରାମ ସାହୁ ପ୍ରମୁଖ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

5 × 3 =