ଓଡ଼ଗାଁରେ କେନ୍ଦ୍ରିୟ ପ୍ରତିନିଧି ଦଳ, ପଞ୍ଚାୟତ ଗସ୍ତ କରି ଉନ୍ନୟନମୂଳକ କାର୍ଯ୍ୟର କଲେ ସମୀକ୍ଷା

0 90

ଦଶପଲ୍ଲା : କେନ୍ଦ୍ରୀୟ ପ୍ରତିନିଧି ଦଳ ଓଡ଼ଗାଁ ବ୍ଲକ୍‌ ଗସ୍ତରେ ଆସି କୁରାଳ, ସୁନାମୁହିଁ ଓ ବାଣ୍ଠପୁର ପଞ୍ଚାୟତ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ବୁଲି ଦେଖୁଛନ୍ତି । ବିଶେଷ କରି ରାଜ୍ୟ ତଥା କେନ୍ଦ୍ର ସରକାରଙ୍କର ବିଭିନ୍ନ ଯୋଜନା ସଠିକ ରୂପେ ରୂପାୟନ ହେଉଛି କି ନାହିଁ ଯାଞ୍ଚ କରିଥିଲେ । ପ୍ରଥମେ ବାଣ୍ଠପୁର ପଞ୍ଚାୟତ ଗସ୍ତ କରି ପ୍ରଧାନମନ୍ତ୍ରୀ ଆବାସ, ରାସନ କାର୍ଡ, ରାଜ୍ୟ ଓ କେନ୍ଦ୍ରୀୟ ଅର୍ଥ ପାଣ୍ଠି ସମ୍ବନ୍ଧୀୟ ତଥ୍ୟ ପଞ୍ଚାୟତ କାର୍ଯ୍ୟାଳୟରେ ବସି ଯାଞ୍ଚ କରିଥିଲେ । ମନରେଗା ଯୋଜନା ସମ୍ପର୍କିତ ପ୍ରକଳ୍ପ ବୁଲି ଦେଖିଥିଲେ । ଅନ୍ୟ ପକ୍ଷେ ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ଦ୍ୱାରା ୨୦୨୦-୨୧ ଆର୍ଥିକ ବର୍ଷରେ ନିର୍ମିତ କ୍ଷେତ ପୋଖରୀ, ଉଦ୍ୟାନ କୃଷି ବିଭାଗ ଦ୍ୱାରା ଆମ୍ବ ଚାରାରୋପଣ ସ୍ଥଳ ପରିଦର୍ଶନ କରିଥିଲେ । ବାଣ୍ଠପୁର ସଂରକ୍ଷିତ ଜଙ୍ଗଲରେ ବନବିଭାଗ ଦ୍ୱାରା ନିର୍ମିତ ରାସ୍ତା ସମେତ ଚାରା ରୋପଣ, ଜୀବଜନ୍ତୁଙ୍କ ପାଇଁ ନିର୍ମିତ ଜଳାଶୟ ବୁଲି ଦେଖିଥିଲେ । ଉଦ୍ୟାନ କୃଷି ବିଭାଗ ଓ ବନ ବିଭାଗର ବିଭିନ୍ନ ପ୍ରକଳ୍ପ ବୁଲି ଦେଖି କେନ୍ଦ୍ରୀୟ ଦଳ ସମ୍ପୂର୍ଣ୍ଣ ଅସନ୍ତୋଷ ବ୍ୟକ୍ତ କରିଥିବା ଜଣାପଡ଼ିଛି । ଠିକ ସେହିପରି ସୁନାମୁହିଁ ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ, ନୂଆସାହି ଠାରୁ ବଦ୍ୟବନ୍ଧ ରାସ୍ତା, କେନ୍ଦୁଆ ପଡିଆଠାରୁ ଖାଲ ବିଲ ରାସ୍ତା, ବାଲିସିଂଶା ଶାଳୀଆଝରି ଓ ଭର୍ତ୍ତିଆଖାଲ ପୋଖରୀ ପରିଦର୍ଶନ କରିଥିଲେ । ଅନ୍ୟପକ୍ଷେ କେନ୍ଦ୍ରୀୟ ଦଳ ଆସୁଥିବା ଖବର ପାଇ ୧୦୦ରୁ ଉର୍ଦ୍ଧ୍ୱ ଜବକାର୍ଡ ଧାରୀ ଉପସ୍ଥିତ ରହି ମନରେଗା ସମ୍ପର୍କିତ ବିଭିନ୍ନ ଦାବି ଉପସ୍ଥାପନ କରିଥିଲେ । ବିଶେଷ କରି ମନରେଗା ଯୋଜନାର ପାରିଶ୍ରମିକ ୨୨୦ ଟଙ୍କାରୁ ବୃଦ୍ଧି କରି ୩୦୦ ଟଙ୍କା କରିବା ସହ ସଠିକ ସମୟରେ ମନରେଗା ଅର୍ଥ ରାଶି ଛାଡିବା ପାଇଁ କହିଥିଲେ । କୁରାଳରେ ଡାକ୍ତରଖାନା ପଛ ପାଖ ପ୍ରଧାନମନ୍ତ୍ରୀ ଆବାସ ସମେତ ଉଦ୍ୟାନ କୃଷି ବିଭାଗର ପାମୋଲିନ ରୋପଣ, ମନରେଗା ଯୋଜନାରେ ନିର୍ମିତ ରାସ୍ତା ବୁଲି ଦେଖିଥିଲେ । ପରିଶେଷରେ ଓଡ଼ଗାଁ ବ୍ଲକ କାର୍ଯ୍ୟାଳୟରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିବା ସହ ସରକାରଙ୍କର ବିଭିନ୍ନ ଯୋଜନାର ସଫଳ ରୂପାୟନ ହୋଇଥିବା ଜାଣି ସନ୍ତୋଷ ବ୍ୟକ୍ତ କରି ସନ୍ଧ୍ୟା ସମୟରେ ଫେରିଥିବା ଜଣାପଡିଛି । ଏହି ଗସ୍ତ ସମୟରେ ବ୍ଲକ ସହକାରୀ ଯନ୍ତ୍ରୀ ଅରୁନ୍ଧତୀ ପଣ୍ଡା, ବ୍ଲକ ମୃତ୍ତିକା ସଂରକ୍ଷଣ ସହକାରୀ ଯନ୍ତ୍ରୀ ମିହିର ପାତ୍ର, ସରପଞ୍ଚ ସୁନିତା ବାରିକ, ରୀନା ନାୟକ, ବିଜନ ପାଇକରାୟଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

two × 1 =