ଦଶପଲ୍ଲା : ଆଜି ଦଶପଲ୍ଲାର ଶିକ୍ଷକ ଭବନଠାରେ ଓଡିଶା କୃଷକ ସଭାର ଦଶପଲ୍ଲା ବ୍ଲକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସମ୍ମିଳନୀ ପ୍ରାରମ୍ଭରେ ସଂଗଠନର ନେତା କମ୍ରେଡ୍ ଶରତ ଚନ୍ଦ୍ର ବେହେରା ପତାକା ଉତ୍ତୋଳନ କରି ସହିଦ୍ ବେଦିରେ ପୁଷ୍ପ ମାଲ୍ୟ ପ୍ରଦାନ କଲା ପରେ ସମସ୍ତ କୃଷକ ନେତା ଓ ପ୍ରତିନିଧି ମାନେ ସହିଦ୍ ବେଦିରେ ପୁଷ୍ପମାଲ୍ୟ ପ୍ରଦାନ କରିଥିଲେ । ସମ୍ମିଳନୀକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ କୃଷକ ସଭାର ନୟାଗଡ଼ ଜିଲ୍ଲା କମିଟି ସମ୍ପାଦକ ହରିଶ୍ଚନ୍ଦ୍ର ମିଶ୍ର । ବ୍ଲକ କମିଟି ସମ୍ପାଦକ ଗଣେଶ୍ୱର ନାୟକ ସଂପାଦକୀୟ ବିବରଣୀ ଉପସ୍ଥାପନ କରିଥିଲେ । ଏହାପରେ ବିଭିନ୍ନ ପଞ୍ଚାୟତର ପ୍ରତିନିଧି ମାନେ ଆଲୋଚନା କରିଥିଲେ । ସମ୍ମିଳନୀକୁ ଶରତ ଚନ୍ଦ୍ର ବେହେରା ଉଦବୋଧନ ଦେଇଥିବା ବେଳେ ବିଶ୍ୱନାଥ ମହାପାତ୍ର ଉଦଯାପନୀ ବକ୍ତବ୍ୟ ପ୍ରଦାନ କରିଥିଲେ । ବ୍ଲକ୍ କମିଟି ସଭାପତି ବ୍ରଜବନ୍ଧୁ ପ୍ରଧାନ, ବୈକୁଣ୍ଠ ନାଥ ନାୟକ ଓ ସରୋଜିନୀ ଜନୀଙ୍କୁ ନେଇ ଏକ ସଭାପତି ମଣ୍ଡଳୀ ସମ୍ମିଳନୀକୁ ପରିଚାଳନା କରିଥିଲେ । ଆଗାମୀ ଦିନପାଇଁ ଏକ ନୂତନ ପଚିଶ ଜଣିଆ ବ୍ଲକ କମିଟି ନିର୍ବାଚିତ କରାଯାଇଥିଲା । ବୃତ୍ତଙ୍ଗ ଜଳସେଚନ ଯୋଜନା କାର୍ଯ୍ୟକାରିତାଠାରୁ ଆରମ୍ଭ କରି ଭୂମିହୀନଙ୍କୁ ଜମି, ଘର ଡିହ ପଟ୍ଟା, କୃଷି ଜାତ ଦ୍ରବ୍ୟର ଉଚିତ ମୂଲ୍ୟ, ସାରର କଳାବଜାରୀ ବନ୍ଦକରିବା ଓ ଧାନ ମଣ୍ଡିରେ ଅବ୍ୟବସ୍ଥା ବନ୍ଦ ପାଇଁ ଏକ ଦବିସନନ୍ଦ୍ ଗୃହୀତ ହୋଇଯାଇଛି । ଆଗାମୀ ଦିନରେ ଏଥିପାଇଁ ଚାଷୀ ଆନ୍ଦୋଳନ ଗଢ଼ି ତୋଳିବା ପାଇଁ ଆହ୍ୱାନ ଦିଆଯାଇଛି ।