ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ଲଣ୍ଡାଗାଁ ଗ୍ରାମ ପଞ୍ଚାୟତର ପୁଟୁକିପାଲି ଜଙ୍ଗଲରୁ ଅଖାରେ ବନ୍ଧା ହୋଇଥିବା ଅବସ୍ଥାରେ ଜଣେ ଯୁବକଙ୍କ ଗଳିତ ଶବ ଉଦ୍ଧାର କରିଥିଲା ପୋଲିସ୍ । ଶବ ଉଦ୍ଧାରର ଦୁଇଦିନ ମଧ୍ୟରେ ହତ୍ୟାକାଣ୍ଡର ଗୁମର ଖୋଲିଛି ବାଲିଗୁଡ଼ା ପୋଲିସ୍ । ଏହା ଏକ ପ୍ରେମଜନିତ ଯୋଜନାବଦ୍ଧ ହତ୍ୟାକାଣ୍ଡ ହୋଇଥିବା ବେଳେ ଘଟଣାରେ ସମ୍ପୃକ୍ତ ସାତଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ୍ । ଗତ ୨୬ ତାରିଖରେ ମୃତକ ଶୁକଦେବ ରଣା ବୌଦ୍ଧ ଜିଲ୍ଲା ଘଣ୍ଟାପଡ଼ା ଅଞ୍ଚଳରୁ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ଲଣ୍ଡାଗାଁ ଅଞ୍ଚଳକୁ ପ୍ରେମିକା ସହ ଦେଖାକରିବାକୁ ଆସିଥିଲେ । ହେଲେ ପୂର୍ବ ଯୋଜନା ମୁତାବକ ପ୍ରେମିକାଙ୍କ ସମ୍ପର୍କୀୟ ଲୋକେ ଶୁକଦେବଙ୍କୁ ମାଡ଼ ମାରିବା ସହ ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ କରି ହତ୍ୟା କରିବା ପରେ ଶବକୁ ଏକ ଅଖାରେ ପୁରାଇ ପୁଟକିପାଲି ନିକଟସ୍ଥ ଜଙ୍ଗଲରେ ଫିଙ୍ଗି ଦେଇଥିଲେ । ପରିବାର ଲୋକେ ବହୁତ ଖୋଜାଖୋଜି କରି ଶୁକଦେବଙ୍କର କୌଣଶି ସନ୍ଧାନ ନପାଇ ଥାନାରେ ଏତଲା ଦେଇଥିଲେ । ପୁଟୁକିପାଲି ଜଙ୍ଗଲରେ ଏକ ଶବ ପଡ଼ିଥିବା ଖବରପାଇ ବାଲିଗୁଡ଼ା ପୋଲିସ୍ ଘଟଣାସ୍ଥଳରେ ପହଁଚି ଶବ ଉଦ୍ଧାର କରିବାପରେ ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ କରିଥିଲା । ଘଟଣାରେ ବାଲିଗୁଡ଼ା ଥାନା କେସ୍ ନଂ ୧୯୨/୦୫.୦୮.୨୦୨୨ ରେ ଏକ ମାମଲା ରୁଜୁ କରି ଦଫା ୩୦୨,୧୨୦,୩୪ ଧାରେ ଆଧାରରେ ଗିରଫ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି । ଗିରଫ ବ୍ୟକ୍ତିମାନନେ ତଳିପଡ଼ା ଅଞ୍ଚଳର ଦୁସାଶନ ମଲ୍ଲିକ (୪୦), ନୀଳବନ୍ତ ମଲ୍ଲିକ (୨୧),ଗିରିଶ ଚନ୍ଦ୍ର ମଲ୍ଲିକ (୨୨), ଯୋଗେନ୍ଦ୍ର ମଲ୍ଲିକ (୪୦), ଉତ୍କଳ ମଲ୍ଲିକ (୧୯) ହୋଇଥିବା ବେଳେ ପୁଟୁକିପାଲି ଗ୍ରାମର ସୁଦୀପ ସେଠ୍ (୨୨) ଏବଂ କବିରାଜ ଠେଲା (୨୧) ହୋଇଥିବା ପୋଲିସ୍ ପକ୍ଷରୁ ସୂଚନା ମିଳିଛି । ଅନ୍ୟପଟେ ବର୍ତ୍ତମାନ ସୁଦ୍ଧା ତଦନ୍ତ ପ୍ରକ୍ରିୟା ଜାରି ରହିଥିବା କହିଛନ୍ତି ଥାନା ଅଧିକାରୀ ବାବାଶଙ୍କର ସରାଫ୍ ।