ଗୁରୁଶ୍ରୀ ସତ୍ୟନାରାୟଣ ବହିଦାରଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଭୂମିପୂଜନ ସମ୍ପନ୍ନ

0 74

ସମ୍ବଲପୁର:ଅବିଭକ୍ତ ବଲାଙ୍ଗୀର ଜିଲ୍ଲା ଯାହାଙ୍କର ଜନ୍ମଭୂମି ଓ ଅବିଭକ୍ତ ସମ୍ବଲପୁର ଜିଲ୍ଲା ଯାହାଙ୍କର କର୍ମଭୂମି ସେ ହେଉଛନ୍ତି ଦୁଇ କୋଟିରୁ ଉର୍ଦ୍ଧ୍ୱ ଲୋକ ବ୍ୟବହାର କରୁଥିବା ସମ୍ବଲପୁରୀ ଭାଷା, ସାହିତ୍ୟ, ସଂସ୍କୃତି ଓ ପରମ୍ପରାର ବାର୍ତ୍ତାବାହକ । ସେହି ମହାନ ବରପୁତ୍ରଙ୍କୁ ଯଥୋଚିତ ସମ୍ମାନ, ତାଙ୍କର ଅବଦାନକୁ ଲୋକଲୋଚନକୁ ଆଣିବା ଓ ତାଙ୍କର ପବିତ୍ର ଆତ୍ମାକୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ପାଇଁ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ହାତକୁ ନେଉଛି ପଶ୍ଚିମାଞ୍ଚଳ ଏକତା ମଞ୍ଚ । ସମ୍ବଲପୁରୀ ଭାଷା, ସାହିତ୍ୟ, ସଂସ୍କୃତି ଓ ପରମ୍ପରାର ପୁରୋଧା ଗୁରୁଶ୍ରୀ ସତ୍ୟନାରାୟଣ ବହିଦାରଙ୍କ ପବିତ୍ର ଜନ୍ମଦିନ ୧ ଅଗଷ୍ଟକୁ ସମ୍ବଲପୁରୀ ଦିନ୍‌ ଭାବରେ ୨୦୧୩ ମସିହାରୁ ପ୍ରତିବର୍ଷ ପାଳନ କରାଯାଉଛି । ଦିନକୁ ଦିନ ଯେମିତି ସମ୍ବଲପୁରୀ ଦିନର ଆଦୃତା ବଢ଼ିବାରେ ଲାଗିଛି ସେଭଳି ଭାବରେ ଗୁରୁଶ୍ରୀ ବହିଦାରଙ୍କ ଗ୍ରହଣୀୟତା ଓ ଲୋକପ୍ରିୟତା ମଧ୍ୟ ବଢ଼ି ଚାଲୁଛି । ବର୍ତ୍ତମାନ ପର୍ଯ୍ୟନ୍ତ ମହାନ ବରପୁତ୍ର ଗୁରୁ ସତ୍ୟ ନାରାୟଣ ବହିଦାରଙ୍କର ତାଙ୍କର କର୍ମକ୍ଷେତ୍ର ସମ୍ବଲପୁରରେ କୌଣସି ପ୍ରତିମୂର୍ତ୍ତି ଟିଏ ନିର୍ମାଣ କରାଯାଇ ପାରିନାହିଁ । ଲୋକେ ତାଙ୍କୁ କେବଳ ଫଟୋଚିତ୍ରରେ ଦେଖୁଛନ୍ତି । ତେଣୁ ତାଙ୍କର ଏକ ପୂର୍ଣ୍ଣ ଅବୟବ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ପଶ୍ଚିମାଞ୍ଚଳ ଏକତା ମଞ୍ଚ ୨୦୧୯ ମସିହାରେ ନିଷ୍ପତ୍ତି ନେଇଥିଲା । ତେବେ ମହାମାରୀ କରୋନା ପାଇଁ ପ୍ରତିମୂର୍ତ୍ତି ନିର୍ମାଣ କାମ ଆଗକୁ ବଢି ପାରି ନଥିଲା ଓ ୨୦୨୧ ରୁ ପ୍ରତିମୂର୍ତ୍ତି ନିର୍ମାଣ କାମ ଆଗକୁ ବଢିଥିଲା । ଗତ ଜୁଲାଇ ମାସରୁ ପ୍ରତିମୂର୍ତ୍ତି ନିର୍ମାଣ କାମ ଶେଷ ହୋଇଛି । ସମ୍ବଲପୁର ମହାନଗର ନିଗମ ଆୟୁକ୍ତଙ୍କ ଅସହଯୋଗ ଯୋଗୁଁ ପ୍ରତିମୁର୍ତ୍ତି ସ୍ଥାପନରେ ପ୍ରାୟ ଦୁଇମାସ ହେବ ବିଲମ୍ବ ହୋଇସାରିଛି । ସେଥିପାଇଁ ସମ୍ବଲପୁର ବିଭିନ୍ନ ସଂଗଠନର କର୍ମକର୍ତ୍ତାଗଣଙ୍କ ଉପସ୍ଥିତିରେ ଗୁରୁ ସତ୍ୟ ନାରାୟଣ ସ୍ମୃତି ଉଦ୍ୟାନରେ ପ୍ରତିମୁର୍ତ୍ତି ସ୍ଥାପନ ପାଇଁ ଭୂମିପୂଜନ କରାଯାଇଛି । ଗୁରୁ ସତ୍ୟ ନାରାୟଣ ବହିଦାରଙ୍କ ପୁଣ୍ୟତିଥିରେ ପ୍ରତିମୁର୍ତ୍ତି ଉନ୍ମୋଚନ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏହି ଭୂମିପୂଜନ କାର୍ଯ୍ୟକ୍ରମରେ ଡ ପରେଶ ଚନ୍ଦ୍ର ଦାନି, ପ୍ରଫୁଲ୍ଲ ହୋତା, ଅଖିଳ ପଟନାୟକ, ଇନ୍ଦ୍ର ଭୁଷଣ ପୃଷେଠ, ଦୀପକ କୁମାର ପଣ୍ଡା, ରାମାନୁଜ ପଣ୍ଡା, ଶିବ ପ୍ରସାଦ ମେହେର, ସୁରେଖା ସାହୁ, ବୋଧରାମ ଦାସ, ପ୍ରଶାନ୍ତ ମିଶ୍ର, କାର୍ତ୍ତିକ ବହିଦାର, ମାନସ ସାହୁ, ପଂକଜିନୀ ମେହେର, ଜୁସମନ ବାଦଶାହ, ଲଲିତ ମୋହନ ବେବର୍ତ୍ତା, ସରୋଜ ଦାସ, ଆନନ୍ଦ ସାଗର ଦାସ, ଅଜୟ ନାଥ, କାନ୍ତି ମେହେର ଓ ସ୍ୱାଧୀନ ମେହେର ପ୍ରମୁଖ ସାମିଲ ହୋଇଥିଲେ । ଭୂମିପୂଜନ କାର୍ଯ୍ୟକ୍ରମକୁ ପଶ୍ଚିମାଞ୍ଚଳ ଏକତା ମଂଚର ମାନସ ରଂଜନ ବକ୍ସୀ ଏବଂ ଭବାନୀଶ ଭୋଇ ପରିଚାଳନା କରିଥିଲେ ।

hiranchal ad1
Leave A Reply

Your email address will not be published.

12 − three =