ନୂଆଦିଲ୍ଲୀ: ଆସନ୍ତା ୧୫ ଓ ୧୬ ତାରିଖରେ ଉଜ୍ବେକିସ୍ତାନର ସମରକନ୍ଦରେ ହେବ ‘ସାଙ୍ଘାଇ କୋଅପରେସନ୍ ଅର୍ଗାନାଇଜେସନ୍’(ଏସ୍ସିଓ)ର ଶିଖର ସମ୍ମିଳନୀ । ଏଥିରେ ବିଶ୍ୱର ୧୫ଜଣ ନେତା ଯୋଗଦେବେ । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଗୁରୁତ୍ୱପୂର୍ଣ୍ଣ ସମ୍ମିଳନୀରେ ଯୋଗଦେବେ । ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ ଏବଂ ଚୀନା ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ ମଧ୍ୟ ସମ୍ମିଳନୀରେ ଯୋଗଦେବେ । କୋଭିଡ୍ ମହାମାରୀ ପରେ ଏହା ହେଉଛି ‘ଏସ୍ସିଓ’ର ପ୍ରଥମ ପ୍ରତ୍ୟକ୍ଷ ଶିଖର ସମ୍ମିଳନୀ । ୨୦୧୯ ଜୁନ୍ରେ କିର୍ଗିଜ୍ସ୍ତାନ୍ର ବିସ୍ଖେକ୍ରେ ଶେଷ ଶିଖର ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ପ୍ରଧାନମନ୍ତ୍ରୀ ସେପ୍ଟମ୍ବର ୧୪ରେ ସମରକନ୍ଦରେ ପହଞ୍ଚି ସେପ୍ଟେମ୍ବର ୧୬ରେ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିବେ । ସମରକନ୍ଦ ଶିଖର ସମ୍ମିଳନୀ ଉପରାନ୍ତେ ପାଳି ଆଧାରରେ ଚାଲିଥିବା ‘ଏସ୍ସିଓ’ର ଅଧ୍ୟକ୍ଷତା ଭାର ଭାରତ ଉପରେ ପଡୁଥିବାରୁ ଏହା ଦେଶ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ । ୨୦୨୩ ସେପ୍ଟେମ୍ବର ଅର୍ଥାତ୍ ବର୍ଷକ ପର୍ଯ୍ୟନ୍ତ ନୂଆଦିଲ୍ଲୀ ‘ଏସ୍ସିଓ’ର ଅଧ୍ୟକ୍ଷତା କରିବ । ତେଣୁ, ଆସନ୍ତାବର୍ଷ ଭାରତ ‘ଏସ୍ସିଓ’ ଶିଖର ସମ୍ମିଳନୀ ଆୟୋଜନ କରିବ । ସୂଚନାଯୋଗ୍ୟ, ୨୦୦୧ ଜୁନ୍ ମାସରେ ସ୍ଥାପିତ ‘ଏସ୍ସିଓ’ ହେଉଛି ଏକ ଆନ୍ତଃ-ସରକାରୀୟ ସଂଗଠନ । ସମ୍ପ୍ରତି ଏଥିରେ ଚୀନ୍, ଭାରତ, କାଜାଖସ୍ତାନ୍, କିର୍ଗିଜ୍ସ୍ତାନ୍, ରୁଷ୍, ପାକିସ୍ତାନ, ତାଜିକିସ୍ତାନ ଏବଂ ଉଜ୍ବେକ୍ସ୍ତାନ ଆଦି ୮ଟି ସଦସ୍ୟ ଦେଶ ଅଛନ୍ତି । ଏହାଛଡା, ପୂର୍ଣ୍ଣ ସଦସ୍ୟତା ପାଇଁ ଆଗ୍ରହୀ ଆଫଗାନିସ୍ତାନ, ବେଲାରୁଷ୍, ଇରାନ୍ ଓ ମଙ୍ଗୋଲିଆ ଆଦି ୪ଟି ‘ଅବ୍ଜରର୍ଭର୍ ଷ୍ଟେଟ୍’ ଅଛନ୍ତି ।