୬୦ଟି ସ୍ଥାନରେ ଏନଆଇଏ ରେଡ୍‌

0 74

ନୂଆଦିଲ୍ଲୀ: ଜାତୀୟ ଅନୁସନ୍ଧାନ ସଂସ୍ଥା ବା ଏନଆଇଏ ତା’ର ତଦନ୍ତକୁ ଜୋରଦାର କରିଛି । ଦେଶର ପାଞ୍ଚଟି ରାଜ୍ୟର ପ୍ରାୟ ୬୦ଟି ସ୍ଥାନରେ ଆଜି ସକାଳୁ ଏନଆଇଏ ନିଜ ଚଢାଉକୁ ଜୋରଦାର କରିଛି । ଗ୍ୟାଙ୍ଗଷ୍ଟର ସହିତ ଆତଙ୍କବାଦୀ କନେକସନ୍‌ ମାମଲାରେ ଏହି ଚଢାଉ ଚାଲିଛି । ବହୁ ସଂଖ୍ୟାରେ କୁଖ୍ୟାତ ଗ୍ୟାଙ୍ଗଷ୍ଟାର ଦେଶ ସମେତ ବିଦେଶ ତଥା ଭାରତୀୟ ଜେଲ୍‌ରେ ଥାଇ ବି ବାହାରେ ନିଜ ଅପରେସନକୁ ଜୋରଦାର କରୁଛନ୍ତି । ଗୋଲ୍ଡି ବ୍ରାରଙ୍କ ସମେତ ଅନେକ ଗ୍ୟାଙ୍ଗଷ୍ଟର ବିଦେଶରେ ସକ୍ରିୟ ଅଛନ୍ତି । ଏହି ମାମଲାରେ ଆଜି ସକାଳୁ ପଞ୍ଜାବ, ହରିୟାଣା ଓ ରାଜସ୍ଥାନ ସମେତ ୫ ରାଜ୍ୟର ଭିନ୍ନ ଭିନ୍ନ ସ୍ଥାନରେ ରେଡ ଚାଲିଛି । ନିକଟରେ ଏନଆଇଏର ବରିଷ୍ଠ ଅଧିକାରୀମାନେ ଏ ସମ୍ପର୍କରେ ହରିୟାଣା ଏବଂ ପଞ୍ଜାବ ପୁଲିସର ଅଧିକାରୀଙ୍କୁ ଭେଟି ଅବଗତ କରାଇଥିଲେ । ପଞ୍ଜାବରେ କେବଳ ୨୫ରୁ ଅଧିକ ଜାଗାରେ ଚଢାଉ ଚାଲିଥିବା ଜଣାଯାଇଛି । ପଞ୍ଜାବ ପୁଲିସ୍‌ର ଆଣ୍ଟି-ଗ୍ୟାଙ୍ଗଷ୍ଟାର ଟାସ୍କ ଫୋର୍ସ ସମେତ ଦିଲ୍ଲୀ ପୁଲିସ୍‌ ଓ କେନ୍ଦ୍ର ଏଜେନ୍ସି ଏହି ଚଢାଉରେ ସାମିଲ ହୋଇଛନ୍ତି । ହରିୟାଣାର ଯମୁନାନଗରରେ ଥିବା ଗ୍ୟାଙ୍ଗଷ୍ଟର କାଲା ରାଣାଙ୍କ ଘରେ ଆଜି ସକାଳୁ ରେଡ କରିଛି ଏନଆଇଏ ଟିମ୍‌ । ରାଣାଙ୍କ ଘର ବାହାରେ ବହୁ ସଂଖ୍ୟାରେ ପୁଲିସ୍‌ ଫୋର୍ସ ମୁତୟନ କରାଯିବା ସହ ତାଙ୍କ ପିତାମାତାଙ୍କୁ ପଚରାଉଚରା କରାଯାଉଛି । ମଜିଠା ରୋଡରେ ଥିବା ଗ୍ୟାଙ୍ଗଷ୍ଟର ଶୁଭମଙ୍କ ଘରେ ମଧ୍ୟ ଏନଆଇଏ ଟିମ୍‌ ରେଡ କରିଛି । ଏନଆଇଏ ଟିମ୍‌ ତାଙ୍କ ଘରେ ଖୋଜାଖୋଜି କରୁଛି । ଅନ୍ୟପକ୍ଷରେ, ପଞ୍ଜାବର ମୁକ୍ତସରରେ ଥିବା ଗୋଲ୍ଡି ବ୍ରାରଙ୍କ ଘର ଏବଂ ଗୁରୁଦାସପୁରର ଜଗଗୁ ଭଗବାନପୁରିଆଙ୍କ ଘରେ ଚଢାଉ କରାଯାଉଛି । ସିଦ୍ଧୁ ମୋସେୱାଲା ମର୍ଡର କେସ୍‌ରେ ଉଭୟ ଅଭିଯୁକ୍ତ । ଗତ ଦୁଇ ମାସ ମଧ୍ୟରେ ପଞ୍ଜାବରେ ହୋଇଥିବା ଗ୍ୟାଙ୍ଗୱାର ସମ୍ପର୍କରେ କେନ୍ଦ୍ର ପକ୍ଷରୁ ପଞ୍ଜାବ ପୁଲିସକୁ ବହୁଥର ଆଲର୍ଟ କରାଯାଇଛି । ବହୁ ଆତଙ୍କୀ ହାମଲା ପଛରେ ଗ୍ୟାଙ୍ଗୱାର ଥିବା ପଦାକୁ ଆସିଛି । ଏପରିକି ବହୁ ଦୁର୍ଦ୍ଦାନ୍ତ ଅପରାଧୀ ଜେଲ୍‌ ଚାରିକାନ୍ଥରେ ଥାଇ ବି ବାହାରେ ନିଜ ଅପରେସନ ଚଳାଉଛନ୍ତି ।

hiranchal ad1
Leave A Reply

Your email address will not be published.

11 + 20 =