ଦାରିଙ୍ଗବାଡ଼ି ବ୍ଲକର ୪ର୍ଥ ସମିତି ବୈଠକ

0 145

ବାଲିଗୁଡ଼ା:ଦାରିଙ୍ଗବାଡ଼ି ବ୍ଲକ ସଭାଗୃହଠାରେ ୪ର୍ଥ ସମିତି ବୈଠକ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗଦାଧର ପାତ୍ର ପରିଚାଳନା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଯୋଗ ଦେଇଥିଲେ । ବୈଠକରେ ବିପର୍ଯ୍ୟୟ ପରିଚାଳନା, ଶିକ୍ଷା, ସ୍ୱାସ୍ଥ୍ୟ,ଶିଶୁ ବିକାଶ, ପାନୀୟଜଳ ଓ ଗମନାଗମନ ସମ୍ପର୍କରେ ଆଲୋଚନା ହୋଇଥିଲା । ବୈଠକ ପ୍ରାରମ୍ଭରେ ବିଧାୟକ ତାଙ୍କ ବକ୍ତବ୍ୟରେ ଲଗାଣ ବର୍ଷାରେ ବିଭିନ୍ନ ପଞ୍ଚାୟତରେ ହୋଇଥିବା କ୍ଷୟକ୍ଷତିକୁ କିପରି ପୂରଣ କରାଯିବ ସେ ନେଇ ସୂଚନା ଦେଇଥିଲେ । ଏହାପରେ ବ୍ଲକ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ କୃପାସିନ୍ଧୁ ବେହେରା ଗତ ସମିତି ବୈଠକର ବିବରଣୀ ପଠନ କରିଥିଲେ । ତେବେ ବୈଠକରେ ବୈଠକ ହେବା ନେଇ ସମିତି ସଭ୍ୟ ସଭ୍ୟାମାନଙ୍କୁ ଚିଠି ପ୍ରଦାନ ନକରାଯାଇଥିବାରୁ ସିମନବାଡି ସମିତି ସଭ୍ୟ ସାଧୁ ନାୟକ କାହିଁକି ସମିତି ସଭ୍ୟ ସଭ୍ୟା ମାନଙ୍କୁ ଚିଠି କରାଯାଉନାହିଁ ବୋଲି ପ୍ରଶ୍ନ କରିଥିଲେ । ଏନେଇ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ସମସ୍ତଙ୍କୁ ମୋବାଇଲରେ ମେସେଜ ଦେଇ ସୂଚନା ଦିଆଯାଇଥିବା ନେଇ କହିବା ପରେ ସମିତି ସଭ୍ୟ ସଭ୍ୟା ମାନେ ଦୁର୍ଗମ ଅଞ୍ଚଳରେ ମୋବାଇଲ ନେଟୱର୍କ ସମସ୍ୟା ଥିବାରୁ ଆଗକୁ ଏଭଳି ନକରି ସମସ୍ତଙ୍କୁ ଚିଠି ମାଧ୍ୟମରେ ଅବଗତ କରାଇବାକୁ କହିଥିଲେ । ଏହାପରେ ସ୍ୱାସ୍ଥ୍ୟ ସେବା ବାବଦରେ ଆଲୋଚନା ହୋଇଥିଲା । ସ୍ୱାସ୍ଥ୍ୟ ବିଭାଗ ତରଫରୁ ଗୋଷ୍ଠୀ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡଃ ଯାକେଶ ସାମନ୍ତରାୟ ଉପସ୍ଥିତ ରହି ବ୍ଲକର ସ୍ୱାସ୍ଥ୍ୟବସ୍ଥା ବାବଦରେ ବିସ୍ତୃତ ଭାବରେ ସୂଚନା ପ୍ରଦାନ କରିଥିଲେ । ତେବେ ଏହି ସମୟରେ ଉପସ୍ଥିତ ଲୋକ ପ୍ରତିନିଧିମାନେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ଗାଇନିକ ବିଭାଗ ଡାକ୍ତର ଆବଶ୍ୟକତା ହେତୁ ତୁରନ୍ତ ଜଣକୁ ଏଠାରେ ସେହି ବିଭାଗର ଡାକ୍ତରଙ୍କୁ ଆଣିବା ପାଇଁ କହିବା ସହିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଷ୍ଟାଫ ନର୍ସ ଓ ମହିଳା ଆଟେଣ୍ଡାଣ୍ଟଙ୍କୁ ନିଯୁକ୍ତ କରିବା ପାଇଁ ଦାବି ଉପସ୍ଥାପନ କରିଥିଲେ । ଏହାପରେ ଶିକ୍ଷା ବିଭାଗର ଆଲୋଚନା ବେଳେ କିଛି ସ୍ଥାନରେ ୨୦କମ ଛାତ୍ରଛାତ୍ରୀଙ୍କ ଯୋଗୁଁ ସ୍କୁଲ ବନ୍ଦ କରାଯାଇଛି କିନ୍ତୁ ବନ୍ଦ ହୋଇଥିବା ସ୍କୁଲ ଗୁଡ଼ିକର ଛାତ୍ରଛାତ୍ରୀମାନେ ବଣ ପାହାଡ଼ ଡେଇଁ ଯା’ଆସ କରୁଛନ୍ତି ବୋଲି ଖୋଦ ବିଧାୟକ ଏନେଇ ଉଦବେଗ ପ୍ରକାଶ କରି ବନ୍ଦ ହୋଇଥିବା ସ୍କୁଲ ଗୁଡ଼ିକର ରିପୋର୍ଟ ଆଣି ୧୫ଜଣ ଛାତ୍ରଛାତ୍ରୀ ଥିବା ଗ୍ରାମରେ ସ୍କୁଲ ଖୋଲିବା ନେଇ ଉଦ୍ୟମ କରିବାକୁ ଶିକ୍ଷା ବିଭାଗ ତରଫରୁ ଆସିଥିବା ଅତିରିକ୍ତ ଶିକ୍ଷା ଅଧିକାରୀ ସୁବାସିନୀ ଦିଗାଲଙ୍କୁ କହିଥିଲେ । ଏହାପରେ ଶିଶୁ ବିକାଶ ସମ୍ପର୍କିତ ଆଲୋଚନା ବେଳେ ସିମନବାଡି ସମିତିସଭ୍ୟ ସାଧୁ ନାୟକ ସିଡିପିଓ ଅଞ୍ଜଳି ମହାପାତ୍ରଙ୍କୁ ୬ମାସ ତଳେ ଦେଇଥିବା ଅଭିଯୋଗର ତଦନ୍ତ ନକରି ସିମନବାଡି ଗ୍ରାମର ଏକ ଅଙ୍ଗନବାଡ଼ି କେନ୍ଦ୍ରର ଅଙ୍ଗନବାଡ଼ି କର୍ମୀ ୱାର୍ଡମେମ୍ବରଙ୍କ ଜାଲ ଦସ୍ତଖତ କରି ଟଙ୍କା ବ୍ୟାଙ୍କରୁ ଉଠାଉଥିବା ସତ୍ତେ୍ୱ ତାଙ୍କୁ ସହଯୋଗ କରୁଛନ୍ତି ଏବଂ ସେ କୁଆଡେ ଅଙ୍ଗନବାଡି କର୍ମୀ ମାନଙ୍କ ଠାରୁ କେତେ ଟଙ୍କା ମାସିକ ବଟି ନେଉଛନ୍ତି ବୋଲି ବୈଠକରେ ଯୁକ୍ତିତର୍କ କରିଥିଲେ ଯାହା ଫଳରେ ବୈଠକରେ ହୋହଲ୍ଲା ଦେଖିବାକୁ ମିଳିଥିଲା । ଏଥିସହିତ ଦାରିଙ୍ଗବାଡ଼ି ପଞ୍ଚାୟତରେ ପାନୀୟଜଳ ଯୋଗାଣରେ ବହୁତ ସମସ୍ୟା ଥିବା ନେଇ ସରପଞ୍ଚ ଚନ୍ଦ୍ରିକା ମଲ୍ଲିକ ପ୍ରକାଶ କରି ଯଥାଶୀଘ୍ର ଏହାର ସମାଧାନ କରିବାକୁ ବିଡିଓଙ୍କୁ କହିଥିଲେ । ଏଥିସହିତ ବିପର୍ଯ୍ୟୟ ସମୟରେ ବିପର୍ଯ୍ୟୟ ପରିଚାଳନା ପାଇଁ କିଭଳି ପଦକ୍ଷେପ ପଞ୍ଚାୟତସ୍ତରରେ କରାଯାଇପାରିବ କ’ଣ କ’ଣ କରିହେବ ସେ ନେଇ ଆଲୋଚନା ସହିତ ଏଥିପାଇଁ ଜିଲ୍ଲା ବିପର୍ଯ୍ୟୟ ହ୍ରାସ ବିଭାଗର ପରାମର୍ଶଦାତା ସରୋଜ କୁମାର ଦାସ ବୈଠକରେ ଉପସ୍ଥିତ ଜନ ପ୍ରତିନିଧିମାନଙ୍କୁ ସୂଚନା ଦେଇ କନ୍ଧମାଳ ଜିଲ୍ଲାରୁ ବିପର୍ଯ୍ୟୟ ହ୍ରାସ କରିବା ପାଇଁ ଦାରିଙ୍ଗବାଡ଼ି ବ୍ଲକକୁ ମଡେଲ ଭାବେ ଗ୍ରହଣ କରାଯାଇ ଭ୍ରମର ବାଡି ଓ ସିର୍କାବର୍ଗ ପଞ୍ଚାୟତକୁ ନିଆଯାଇଛି, ସେହି ୨ଟି ପଞ୍ଚାୟତରେ ପ୍ରଥମେ ଏହାର କାର୍ଯ୍ୟ କରାଯିବ ବୋଲି କହିଥିଲେ । ଏହି ଭଳି ଭାବେ ବୈଠକଟି ଖୁବ ସରଗରମ ରହିଥିଲା । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ଶିଶିର କୁମାର ପାତ୍ର, ଗୋଷ୍ଠୀ କୃଷି ଅଧିକାରୀ ବୃନ୍ଦାବନ ବେହେରା, ସାଂସଦଙ୍କ ନୂତନ ବ୍ଲକ ପ୍ରତିନିଧି ଅକ୍ଷୟ କୁମାର ନାୟକଙ୍କ ସମେତ ଏପିଓ ତ୍ରିନାଥ ନାୟକ ବ୍ଲକର ବିଭିନ୍ନ ବିଭାଗର କର୍ମଚାରୀ ଓ ସମସ୍ତ ୨୫ପଞ୍ଚାୟତର ସମିତି ସଭ୍ୟସଭ୍ୟାମାନେ ଉପସ୍ଥିତ ରହିଥିଲେ ।

hiranchal ad1
Leave A Reply

Your email address will not be published.

1 × three =