ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଇତିହାସରେ ଏକ ବିରଳ ଘଟଣା ଘଟିଛି । ପ୍ରଧାନ ବିଚାରପତି ଜଷ୍ଟିସ ୟୁୟୁ ଲଳିତଙ୍କ ଦ୍ୱାରା ହୋଇଥିବା ମାମଲାଗୁଡ଼ିକର ତାଲିକାକରଣ ବା ଲିଷ୍ଟିଂ ବ୍ୟବସ୍ଥାକୁ ବିରୋଧ କରିଛନ୍ତି କୋର୍ଟର ଏକ ଦୁଇ ଜଣିଆ ବେଞ୍ଚ । ଏନେଇ ବେଞ୍ଚ କଡ଼ା ସମାଲୋଚନା କରିଛନ୍ତି । ଏ ଘଟଣା ଏବେ ଗଣମାଧ୍ୟମରେ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି । ସୁପ୍ରିମକୋର୍ଟରେ ପ୍ରଥମ ଥର ପାଇଁ ଏଭଳି ଘଟଣା ଘଟିଛି । ଜଷ୍ଟିସ ସଞ୍ଜୟ କିଶନ କୌଲଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ଏକ ନ୍ୟାୟିକ ନିର୍ଦ୍ଦେଶରେ କହିଛନ୍ତି ଯେ ନୂଆ ଲିଷ୍ଟିଂ ବ୍ୟବସ୍ଥା ଜଜ୍ମାନଙ୍କୁ ମାମଲାର ଶୁଣାଣି ପାଇଁ ଯଥେଷ୍ଟ ସମୟ ଦେଇପାରୁନି । ମାମଲାର ଶୁଣାଣି ପାଇଁ ସମୟର ଅଭାବ ରହୁଛି । ଜଷ୍ଟିସ କୌଲ ଓ ଜଷ୍ଟିସ ଅଭୟ ଏସ୍ ଓକାଙ୍କୁ ନେଇ ଗଠିତ ଦୁଇ ଜଣିଆ ବେଞ୍ଚ ମଙ୍ଗଳବାର ନାଗେଶ ଚୌଧୁରୀ ବନାମ ଷ୍ଟେଟ ଅଫ ଉତ୍ତର ପ୍ରଦେଶ ମାମଲାର ଶୁଣାଣିକୁ ସ୍ଥଗିତ ରଖିବା ପାଇଁ ଦେଇଥିବା ନିର୍ଦ୍ଦେଶରେ ଏପରି କଥା ଉଲ୍ଲେଖ କରିଛନ୍ତି । ଏଥିରେ କୁହାଯାଇଛି ଯେ “ନୂଆ ଲିଷ୍ଟିଂ ବ୍ୟବସ୍ଥା ଦ୍ୱାରା ଧାର୍ଯ୍ୟ ମାମଲାର ଶୁଣାଣି ପାଇଁ ଉପଯୁକ୍ତ ସମୟ ମିଳୁନି । ମଧ୍ୟାହ୍ନ ସେସନ୍ସରେ ଏକାଧିକ ମାମଲା ଶୁଣାଣି ପାଇଁ ରହୁଛି ।” ଦେଶର ୪୯ତମ ସିଜେଇ ଭାବେ ଜଷ୍ଟିସ ୟୁୟୁ ଲଳିତ ଶପଥ ନେବା ପରେ ମାମଲାର ଶୁଣାଣି ବ୍ୟବସ୍ଥାକୁ ତ୍ୱରାନ୍ୱିତ କରାଯିବ ବୋଲି କହିଥିଲେ । ପୂର୍ବ ସିଜେଆଇ ଜଷ୍ଟିସ ଏନଭି ରମନା ନିଜ ଆଡୁ ଏହି ଲିଷ୍ଟିଂ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେଇପାରି ନଥିବା କହିଥିଲେ । ଏହାପରେ ଜଷ୍ଟିସ ୟୁୟୁ ଲଳିତ ନୂଆ ଲିଷ୍ଟିଂ ବ୍ୟବସ୍ଥା ଲାଗୁ କରିଥିଲେ ।