ଭିସୁଟର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରବୁଦ୍ଧ ନାଗରିକଙ୍କ କୃତଜ୍ଞତା ଜ୍ଞାପନ

0 64

ସମ୍ବଲପୁର: ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ)କୁ ବିକଶିତ କରିବା ପାଇଁ ବିଗତ ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୦୦ କୋଟି ଟଙ୍କା ଓ ୧୦୦ ଏକଡ଼ ଭୂମି ଯୋଗାଇ ଦେବାକୁ ଘୋଷଣା କରିଛନ୍ତି । ଏଥିପାଇଁ ଏଠାକାର ବିଭିନ୍ନ ସଂଗଠନ ଓ ବ୍ୟକ୍ତି ବିଶେଷଙ୍କ ପକ୍ଷରୁ ଧନ୍ୟବାଦର ସୁଅ ଛୁଟୁଛି । ଏହି ପରିପ୍ରେକ୍ଷୀରେ ଆଜି ସନ୍ଧ୍ୟା ସମ୍ବଲପୁରର ପୂର୍ବତନ ବିଧାୟକ ଡା ରାସେଶ୍ୱରୀ ପାଣିଗ୍ରାହୀଙ୍କ ନେତୃତ୍ୱରେ ଏକ କୃତଜ୍ଞତା ଜ୍ଞାପନ ସଭା ଆୟୋଜନ କରାଯାଇଥିଲା ଓ ଏଥିରେ ବିଭିନ୍ନ ଗଣମାଧ୍ୟମରେ ପ୍ରତିନିଧି ଓ ସାମ୍ବାଦିକମାନଙ୍କୁ ଆମନ୍ତ୍ରିତ କରାଯାଇଥିଲା । ଏହି ଅବସରରେ ଡ଼ା ପାଣିଗ୍ରାହୀଙ୍କ କହିବା ଅନୁସାରେ ୧୯୫୬ରେ ତତ୍କାଳୀନ ପ୍ରବାଦ ପୁରୁଷ ଓ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଥିଲେ ଓ ଏହା ସମଗ୍ର ଓଡ଼ିଶାରେ ପ୍ରଥମ ଇଞ୍ଜିନିୟରିଙ୍ଗ କଲେଜ ରୂପେ ପ୍ରସିଦ୍ଧି ଲାଭ କରିଥିଲା । ସେତେବେଳେ ମାତ୍ର ୩୦୦ ଛାତ୍ରଙ୍କ ପାଇଁ ଉଦ୍ଦିଷ୍ଟ ଏହି ବୈଷୟିକ ଶିକ୍ଷା ଅନୁଷ୍ଠାନର କଳେବର ବୃଦ୍ଧି ପାଇ ବର୍ତ୍ତମାନ ଏହା ଏକ ସ୍ୱୟଂ ସମ୍ପୂର୍ଣ୍ଣ ବିଶ୍ୱବିଦ୍ୟାଳୟ ରୂପେ ଗଢି ଉଠିଛି ଓ ଏହାର କ୍ଷମତା ବଢି ୫ହଜାର ହୋଇଯାଇଛି ତଥା ଆଗକୁ ଏହାର ଅଭିବୃଦ୍ଧି ସହ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୧୦ ହଜାର ଯାଏଁ କରାଯିବାର ଲକ୍ଷ୍ୟ ରଖାଯାଇଛି । ଇତିମଧ୍ୟରେ ପୂର୍ବରୁ ଏହି ଅନୁଷ୍ଠାନର ଇ-ଲର୍ନିଙ୍ଗ କେନ୍ଦ୍ର ଉଦଘାଟନ ସମୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏହାର କଳେବର ବୃଦ୍ଧି ବିଷୟରେ ସୂଚନା ଦେଇଥିଲେ ଓ ବର୍ତ୍ତମାନ ଏହା ଯଥାର୍ଥରେ ପରିଣତ କରିବାକୁ ଯାଉଛନ୍ତି । ଏଥିପାଇଁ ସମଗ୍ର ସମ୍ବଲପୁର ନାଗରିକଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଡ଼ା ପାଣିଗ୍ରାହୀ କୃତଜ୍ଞତା ଜ୍ଞାପନ କରିଛନ୍ତି । ଏହି ଅବସରରେ ବିଶିଷ୍ଟ ଶିକ୍ଷାବିତ ପ୍ରୋ ଶଙ୍କର ପତି ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିବା ସହିତ ତାଙ୍କର ଏଭଳି କୃପା ଦୃଷ୍ଟି ଏଠାକାର ବୀର ସୁରେନ୍ଦ୍ର ସାଏ ଚିକିତ୍ସା ଓ ଅନୁସନ୍ଧାନ କେନ୍ଦ୍ର (ଭିମସାର) ଉପରେ ଦେବାକୁ ଅନୁରୋଧ କରିଥିଲେ । ସେହିପରି କୃତଜ୍ଞତା ଜ୍ଞାପନ କରିବା ସହିତ ସମ୍ବଲପୁରର ପୂର୍ବତନ ସାଂସଦ ଭବାନୀ ଶଙ୍କର ହୋତା କହିଲେ ଯେ ଏହି ବୈଷୟିକ ଶିକ୍ଷା ଅନୁଷ୍ଠାନର ଲାଭ ସ୍ଥାନୀୟ ଜନସାଧାରଣଙ୍କୁ ମଧ୍ୟ ମିଳିବା ଉଚିତ । ଏହି ଅବସରରେ ସ୍ଥାନୀୟ ଅନ୍ୟାନ୍ୟ ସମସ୍ୟା ଭାବେ ଭିମସାରର ଉନ୍ନତି ଓ ବାୟୁସେବା ସଂଯୋଗର ବିକାଶ କଥା ବିଷୟରେ ଆଲୋଚନା ହୋଇଥିଲା । ଏହି ସଭାରେ ସ୍ଥାନୀୟ ପ୍ରବୁଦ୍ଧ ନାଗରିକ ରୂପେ ଗୋପରାମ ଦୁବେ, ଅରବିନ୍ଦ ମହାପାତ୍ର, ଡ଼ା ରମା ବଲ୍ଲଭ ମିଶ୍ର, ରଘୁନାଥ ମିଶ୍ର, କାମଦେବ ସାହୁ, ପ୍ରୋ ମୀନ କେତନ ପାଠୀ ଓ ଡ଼ା ଶ୍ୟାମସୁନ୍ଦର ଧର ପ୍ରମୁଖ ନିଜ ନିଜ ବକ୍ତବ୍ୟ ରଖିଥିଲେ ।

hiranchal ad1
Leave A Reply

Your email address will not be published.

two + 17 =