ଗାନ୍ଦ୍ରିଗାଁ ପଞ୍ଚାୟତରେ ପରିବର୍ତ୍ତନ ମେଳା କାର୍ଯ୍ୟକ୍ରମ

0 69

ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକ ପ୍ରଶାସନ ପକ୍ଷରୁ ଆଜି ଗାନ୍ଦ୍ରିଗାଁ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଗାନ୍ଦ୍ରିଗାଁ ଓ ଚାଞ୍ଚୋଡି ଦୁଇଟି ପଞ୍ଚାୟତର ଲୋକଙ୍କୁ ନେଇ ପରିବର୍ତ୍ତନ ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଶିକ୍ଷା, ସ୍ୱାସ୍ଥ୍ୟ, ପୁଷ୍ଟିକର ଖାଦ୍ୟ, ବିଭିନ୍ନ ପ୍ରକାର ପିଠାପଣା ପନିପରିବା ପ୍ରଦର୍ଶିତ କରି ସଚେତନତା କରାଯାଇଥିଲା । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଅଧାରୁ ପାଠପଢା ବନ୍ଦ କରିଥିବା ଛାତ୍ରଛାତ୍ରୀମାନେ କିଭଳି ପୁଣିଥରେ ଉଚ୍ଚଶିକ୍ଷା ପାଇପାରିବେ ସେ ବିଷୟରେ ଉପସ୍ଥିତ ଛାତ୍ରଛାତ୍ରୀ,ଅଭିଭାବକ, ଅଙ୍ଗନବାଡ଼ି କର୍ମୀ, ଆଶା ଓ ଗ୍ରାମବାସୀଙ୍କୁ ସୂଚନା ଦିଆଯାଇଥିଲା । ଗ୍ରାମରେ ରହୁଥିବା ଲୋକେ ନିଜ ବାଡିରେ କିଚେନ ଗାର୍ଡେନ ନିର୍ମାଣ କରି ଉନ୍ନତମାନର ଶାଗ,ପନି ପରିବା ଅମଳ କରିବା ନିମନ୍ତେ ଗ୍ରାମବାସୀଙ୍କୁ ବ୍ଲକ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଥିଲା । ଏଥିସହିତ ଅଙ୍ଗନବାଡି କେନ୍ଦ୍ରରେ ପୁଷ୍ଟିକର ଖାଦ୍ୟ, ଗ୍ରାମରେ ଥିବା ଶିଶୁ ଓ ପ୍ରସୂତି ମହିଳାମାନେ ଖାଇବା ନିମନ୍ତେ ପରାମର୍ଶ ଦିଆଯାଇଥିଲା । ଏହାସହ ଗ୍ରାମରେ ଥିବା ସମସ୍ତେ କିଭଳି ସରକାରଙ୍କ ମୌଳିକ ଅଧିକାର ବିଦ୍ୟୁତ, ରାସନ୍‌ ଓ ବାର୍ଦ୍ଧକ୍ୟ ଭତ୍ତା ଭଳି ସୁବିଧା ପାଇପାରିବେ ସେନେଇ ସମସ୍ତ ବିଭାଗର ଅଧିକାରୀମାନେ ଜନସାଧାରଣଙ୍କୁ ବୁଝାଇଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାଲିଗୁଡା ବିଧାୟକ ଚକ୍ରମଣି କହଁର ଶୁଭାରମ୍ଭ କରିଥିବା ବେଳେ ବିଡିଓ ଶରତ କୁମାର ପାତ୍ର, ସହକାରୀ ନିର୍ବାହୀ ଯନ୍ତ୍ରୀ ଶୁଭମ ମହାପାତ୍ର , ସହକାରୀ ଯନ୍ତ୍ରୀ ସିଦେ୍ଧଶ୍ୱର ପାଣିଗ୍ରାହୀ,ବ୍ଲକ ଅଧ୍ୟକ୍ଷା ସୁଲୋଚନା ଦଳବେହେରା, ଜିଲ୍ଲା ପରିଷଦ ସଭ୍ୟା ଅନୀତା ମଲ୍ଲିକ,ସିଡିପିଓ ଦ୍ରୌପଦୀ କହଁର, ଡାକ୍ତର ସତ୍ୟ ପଟ୍ଟନାୟକ, ସରପଂଚ ଦେବସ୍ମିତା ପ୍ରଧାନ ଓ ମନିଷା ପ୍ରଧାନ ଯୋଗଦେଇ ଗ୍ରାମବାସୀଙ୍କୁ ସରକାରଙ୍କ ସମସ୍ତ ଯୋଜନା ସମ୍ପର୍କରେ ସଚେତନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଜିପିଇଓ ପ୍ରଦୀପ କୁମାର ମହାନ୍ତି,ପିଇଓ ନାଥୁରାମ ନାୟକଙ୍କ ସମେତ ଅନ୍ୟ କର୍ମଚାରୀମାନେ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

nine + seven =