ସୁବର୍ଣ୍ଣପୁର : ଆଜି ପବିତ୍ର ତିଥି ମହାଳୟା ଉପଲକ୍ଷେ ମନ୍ଦିର ମାଳିନୀ ସହରତଥା ମନ୍ତ୍ର ତନ୍ତ୍ର ଓ ଯନ୍ତ୍ରର ସୁବର୍ଣ୍ଣପୁରସହର ଚଳଚଞ୍ଚଳ ହୋଇ ଉଠିଥିବା ବେଳେ ଆଜି ଧବଳମୁଖୀ ବେଶରେ ଇଷ୍ଟ ଦେବୀ ମା’ ସୁରେଶ୍ୱରୀ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । ମାଙ୍କୁ ଦର୍ଶନ ଲାଭ ଓ ଆଶୀର୍ବାଦ ଭିକ୍ଷା କରିବାକୁ ସକାଳ ୮ ଟାରୁ ଢେର ରାତି ଯାଏ ମାଙ୍କ ମନ୍ଦିରରେ ସହର ତଥା ଦୂରଦୂରାନ୍ତର ହଜାରହଜାର ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଥିଲା । କୋଭିଡ ମହାମାରୀ ପାଇଁ ବିଗତ୨ ବର୍ଷ ଧରି ଭକ୍ତ ଓ ଶ୍ରଦ୍ଧାଳୁ ମାଙ୍କ ବେଶ ଦର୍ଶନରୁ ବଞ୍ଚିତ ଥିବା ବେଳେ ଏବର୍ଷ ଭକ୍ତ ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଉଦ୍ଦିପନା ଦେଖିବାକୁ ମିଳିଛି । ଆଜିଠାରୁ କ୍ରମାନ୍ୱୟରେ ମାଁ ସୁରେଶ୍ୱରୀ କାଳୀ,ତାରା,ଷୋଡଶୀ,ଭୁବନେଶ୍ୱରୀ,ଭୈରବୀ, ବଗଳାମୁଖି, ଧୂମାବତୀ,ଜୟଦୁର୍ଗା,ମହିଷାମର୍ଦ୍ଦିନୀ ଓ ରାଜରାଜେଶ୍ୱରୀ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ । ଆଜିଠାରୁ ମାଁଙ୍କର ଏଇ ବିରଳ ବେଶ ଦର୍ଶନ ପାଇଁ ସକାଳୁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିରହିଛି । ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ମନ୍ଦିର କମିଟି ଓ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।