ଦଶପଲ୍ଲା,୨୬/୯: – ଖୋର୍ଦ୍ଧା – ବଲାଙ୍ଗିର ରେଳପଥ ଏବେ ଅନିଶ୍ଚିତତା ଭିତରକୁ ଚାଲିଯାଇଛି । ଗତିପଥରେ ଜଙ୍ଗଲ ଜମି ଓ ହାତୀ ଚଲାପଥ ପଡୁଥିବାରୁ ପରିବେଶ ଅନୁମତିରେ ବାଧା ଉପୁଜିଛି । ଗୋଟିଏ ପଟେ ରାଜ୍ୟ ସରକାରଙ୍କ ୬୮ କିମି ପ୍ରମୁଖ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ( ପିସିସିଏଫ୍ ) ଉକ୍ତ ଅଞ୍ଚଳରେ କେତେକ ସର୍ତ୍ତାବଳୀକୁ ନେଇ ଗତ ୨୨ ତାରିଖରେ ରେଳପଥ ଲାଗି ଅନୁମତି ପ୍ରଦାନ କରିଥିବା ବେଳେ ଅନ୍ୟପକ୍ଷେ କେନ୍ଦ୍ର ଜଙ୍ଗଲ ଓ ପରିବେଶ କାର୍ଯ୍ୟ ସ୍ଥଗିତ ମନ୍ତ୍ରାଳୟ ଆପତ୍ତି ଉଠାଇଛି । ଏନେଇ ଗତ ୧୫ ତାରିଖରେ ଏକ ଉଚ୍ଚସ୍ତରୀୟ ବୈଠକରେ ତର୍ଜମା କରାଯିବାପରେ ଖୋର୍ଦ୍ଧା ବଲାଙ୍ଗିର ରେଳପଥର ୧୧୨ ରୁ ୧୮୦ କିମି ପର୍ଯ୍ୟନ୍ତ ୬୮ କିମି ରେଳପଥକୁ ପରିବେଶ ଅନୁମତି ନଦେଇ ବର୍ତ୍ତମାନ ପାଇଁ ସ୍ଥଗିତ ରଖିବାକୁ ନିଷ୍ପତ୍ତିି ହୋଇଛି । ମାତ୍ର ଏହି ପରିପ୍ରେକ୍ଷୀରେ ରବିବାର ସନ୍ଧ୍ୟାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଘଟଣାରେ ହସ୍ତକ୍ଷେପ କରିବା ପରେ ପ୍ରସଙ୍ଗ ଭିନ୍ନ ମୋଡ଼ ନେଇଛି । ଗତକାଲିର ବୈଠକରୁ ଜଣାଯାଇଛି ଯେ , ଖୋର୍ଦ୍ଧା – ବଲାଙ୍ଗୀର ରେଳପଥର ୧୪୩ କିମିରୁ ୧୮୦ କିମି ପର୍ଯ୍ୟନ୍ତ ଜଙ୍ଗଲ ଜମି ରହିଥିଲେହେଁ ହାତୀ ଚଲାପଥ ନାହିଁ , ତେଣୁ ନିର୍ମାଣ କାର୍ଯ୍ୟ ହୋଇପାରିବ । ଏଥିପାଇଁ ଜଙ୍ଗଲ ମନ୍ତ୍ରାଳୟ ପୁନର୍ବାର ତର୍ଜମା କରି ଅନୁମତି ଦେଇପାରେ ବୋଲି , ମନ୍ତ୍ରାଳୟର ଉପମହାର୍ନିେଶକ ତଥା ଆଇଆରଓ ଏ . ଟି . ମିଶ୍ର କହିଛନ୍ତି । ତେବେ ଖୋର୍ଦ୍ଧା – ବଲାଙ୍ଗୀର ରେଳପଥର ୧୧୨ କିମିରୁ ୧୪୩ କିମି ପର୍ଯ୍ୟନ୍ତ ହାତୀ ଚଲାପଥ ଓ ଜଙ୍ଗଲ ରହିଥିବାରୁ ଏନେଇ ଆଜିର ବୈଠକରେ କୌଣସି ନିଷ୍ପତ୍ତି ହୋଇପାରିନାହିଁ । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏ ସମ୍ପର୍କରେ ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ସହ ବ୍ୟକ୍ତିଗତ ଭାବେ ଆଲୋଚନା କରିବେ ବୋଲି କହିଥିବା ବୈଠକରୁ ଜଣାଯାଇଛି । ଅନ୍ୟପକ୍ଷରେ ଶ୍ରୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗତ ୧୫ ତାରିଖରେ ଅନୁଷ୍ଠିତ ବୈଠକର ତଥ୍ୟ ଅନୁଯାୟୀ ଖୋର୍ଦ୍ଧା – ବଲାଙ୍ଗୀର ରେଳପଥର ଶୂନରୁ ୧୧୨ କିମି ପର୍ଯ୍ୟନ୍ତ ଅନୁମତି ମିଳିସାରିଛି । ସେହିପରି ୧୮୦ରୁ ୨୮୯ କିମି ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ପରିବେଶ ଅନୁମତି ମିଳିଛି । ହେଲେ ୧୧୨ କିମିରୁ ୧୮୦ କିମି ପର୍ଯ୍ୟନ୍ତ ଅଞ୍ଚଳ ଜଙ୍ଗଲ ଜମି ଓ ହାତୀ ଚଲାପଥ ରହିଥିବାରୁ ଏହାକୁ ଅନୁମତି ଯୋଗାଇବା ସମ୍ଭବପର ହୋଇପାରୁନାହିଁ । ଏହାକୁ ସ୍ଥଗିତ ରଖିବା ସହିତ ଗତିପଥ ପରିବର୍ତ୍ତନ କରାଯିବାକୁ ନିଷ୍ପତ୍ତି ହୋଇଥିଲା । ଏଥିପୂର୍ବରୁ ରେଳପଥ ଲାଗି ଜମି ଅଧିଗ୍ରହଣ ପ୍ରକ୍ରିୟା ଜୋରଦାର ଚାଲିଥିଲା । ବୁଗୁଡାରୁ ବାଣୀଗୋଚ୍ଛା ମଧ୍ୟରେ ଚାଷୀଙ୍କ ଜମି ଅଧିଗ୍ରହଣ ବାବଦକୁ ରାଜ୍ୟ ସରକାର ପ୍ରାୟ ୩୮କୋଟି ଟଙ୍କା ପ୍ରଦାନ କରି ସାରିଛନ୍ତି । ଯଦି ରେଳପଥ ପରିବର୍ତ୍ତନ ହେବ , ତେବେ ଚାଷୀଙ୍କ ଟଙ୍କା କିଭଳି ଫେରସ୍ତ ଆସିବ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଖୋର୍ଦ୍ଧା – ବଲାଙ୍ଗୀର ରେଳପଥ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲେ ୬ଟି ଜିଲ୍ଲାବାସୀଙ୍କ ସାମାଜିକ ଓ ଅର୍ଥନୈତିକ ପ୍ରଗତି ହୋଇଥାନ୍ତା । ବିଶେଷକରି ପୁରୀ , ଖୋର୍ଦ୍ଧା , ନୟାଗଡ , ବୌଦ୍ଧ , ସୁବର୍ଣ୍ଣପୁର ଓ ବଲାଙ୍ଗୀର ଜିଲ୍ଲାବାସୀ ଉପକୃତ ହୋଇଥାନ୍ତେ । ଏହାସହିତ ନୂଆଦିଲ୍ଲୀ , ମୁମ୍ବାଇ ତଥା ପଶ୍ଚିମ ଭାରତକୁ ଯାତାୟାତରେ ୧୪୦ କିମି କମ ପଡିଥାନ୍ତା । ଯଦି ଏହି ରେଳପଥର ଗତିପଥ ପରିବର୍ତ୍ତନ ହୁଏ , ତେବେ ପୁଣିଥରେ ସର୍ବେକ୍ଷଣ କରାଯିବା ସହିତ ସାନି ଟେଣ୍ଡର, ପରିବେଶ ଅନୁମତି, ପିସିସିଏଫ୍ ଅନୁମତି ଭଳି ବିଭିନ୍ନ ସମସ୍ୟା ଉଠିବ । ଇତିମଧ୍ୟରେ ରେଳବାଇ ସହିତ ରାଜ୍ୟ ସରକାରଙ୍କ ବୁଝାମଣା ହେବାର ୨୭ବର୍ଷ ବିତିଲାଣି । ଯଦି ପୁଣିଥରେ ଗତିପଥ ପରିବର୍ତ୍ତନ ହେବ ତେବେ କେତେ ସମୟ ବିଳମ୍ବ ହେବ ତାହା କହିହେବ ନାହିଁ । ଘଟଣାର ଗୁରୁତ୍ୱକୁ ନେଇ କେନ୍ଦ୍ର ରେଳ ଓ ଜଙ୍ଗଲ ମନ୍ତ୍ରାଳୟ ତୁରନ୍ତ ହସ୍ତକ୍ଷେପ କରିବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହୋଇଛି ।