ଆଶା ପାରେଖଙ୍କୁ ଫାଲକେ ଆୱାର୍ଡ

0 44

ମୁମ୍ବାଇ: ବଲିଉଡର ବର୍ଷିଆନ ଓ ଲୋକପ୍ରିୟ ଅଭିନେତ୍ରୀ ଆଶା ପାରେଖ ପାଇବେ ଦାଦା ସାହେବ ଫାଲକେ ଆୱାର୍ଡ । ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରୀକୁ ଅତୁଳନୀୟ ଅବଦାନ ପାଇଁ ୭୯ ବର୍ଷୀୟ ଆଶାଙ୍କୁ ଏହି ସର୍ବୋଚ୍ଚ ପୁରସ୍କାରରେ ସମ୍ମାନିତ କରାଯିବା ପାଇଁ ମନୋନୀତ କରାଯାଇଛି । ଆଜି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଏହା ଘୋଷଣା କରିଛନ୍ତି । ୨୦୨୦ ବର୍ଷ ପାଇଁ ତାଙ୍କୁ ଦାଦା ସାହେବ ଫାଲକେ ପୁରସ୍କାର ଦିଆଯିବ । ୧୯୯୨ରେ ଅଶାଙ୍କୁ ‘ପଦ୍ମଶ୍ରୀ’ ସମ୍ମାନରେ ସମ୍ମାନିତ କରାଯାଇଥିଲା । ୨୨ ବର୍ଷ ପରେ ପ୍ରଥମ ଥର କୌଣସି ମହିଳାଙ୍କୁ ଏହି ସମ୍ମାନ ମିଳିବାକୁ ଯାଉଛି । ଆଶା ପାରେଖ ନିଜର ୬୯ ବର୍ଷର ଫିଲ୍ମ କ୍ୟାରିୟର୍‌ରେ ୮୦ରୁ ଅଧିକ ଫିଲ୍ମରେ ନିଜ ଅଭିନୟର ଯାଦୁ ଦେଖାଇଛନ୍ତି । ୧୯୯୯ରେ ଆଶାଙ୍କୁ ଶେଷଥର ପାଇଁ ‘ସର୍‌ ଆଖୋଁ ପର୍‌’ ଫିଲ୍ମରେ ଦେଖିବାକୁ ମିଳିଥିଲା । ଏହାପୂର୍ବରୁ ୨୦୧୯ ବର୍ଷ ପାଇଁ ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କୁ ଦାଦା ସାହେବ ଫାଲକେ ଆୱାର୍ଡରେ ସମ୍ମାନିତ କରାଯାଇଥିଲା । ଶିଶୁ କଳାକାର ଭାବେ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ ଆଶା ପାରେଖ । ୧୯୫୨ରେ ୧୦ ବର୍ଷ ବୟସରେ ବିମଳ ରୟଙ୍କ ଫିଲ୍ମ ମା’ରେ ସେ ପ୍ରଥମେ ଅଭିନୟ କରିଥିଲେ । ସେ ୫ରୁ ଅଧିକ ଫିଲ୍ମରେ ଶିଶୁ କଳାକାର ଭାବେ ଅଭିନୟ କରିଥିଲେ । ୧୯୫୯ରେ ରିଲିଜ୍‌ ହୋଇଥିଲା ଫିଲ୍ମ ‘ଦିଲ୍‌ ଦେକେ ଦେଖୋ’ । ସ୍ୱର୍ଗତ ପ୍ରଯୋଜକ ଓ ନିର୍ଦ୍ଦେଶକ ନାସିର ହୁସେନଙ୍କ ଏହି ଫିଲ୍ମରେ ଲିଡ୍‌ ରୋଲ୍‌ରେ ଆସିଥିଲେ ଆଶା । ଏହା ଥିଲା ତାଙ୍କ ଡେବ୍ୟୁ ଫିଲ୍ମ । ମାତ୍ର ୧୭ ବର୍ଷ ବୟସରେ ସେ ଏହି ଫିଲ୍ମ କରିଥିଲେ । ଆଉ ତା’ପରେ ସେ ପଛକୁ ଚାହିଁ ନଥିଲେ । ତାଙ୍କ ହାତକୁ ଆସିଥିଲା ଗୋଟିଏ ପରେ ଗୋଟିଏ ଫିଲ୍ମ । ‘ଦିଲ୍‌ ଦେକେ ଦେଖୋ’ ପରେ ସେ ନାସିର ହୁସେନଙ୍କର ଆହୁରି ୬ଟି ଫିଲ୍ମରେ ଅଭିନୟ କରିଥିଲେ । ପ୍ରଥମେ ଆଶା ପାରେଖ ଗ୍ଲାମର ଗର୍ଲର ଟ୍ୟାଗ୍‌ ପାଇଥିଲେ । କିନ୍ତୁ ନିର୍ଦ୍ଦେଶକ ରାଜ୍‌ ଖୋସଲେ ତାଙ୍କ କ୍ୟାରିୟରକୁ ଦେଇଥିଲେ ଭିନ୍ନ ମୋଡ । ଆଶାଙ୍କୁ ସେ ସିରିୟସ ରୋଲ୍‌ ଦେଇଥିଲେ । ଆଶାଙ୍କ ସେହିଭଳି କିଛି ଫିଲ୍ମ ମଧ୍ୟରେ ରହିଛି ‘ଦୋ ବଦନ’, ‘ଚିରାଗ୍‌’ ଓ ‘ମେଁ ତୁଲ୍‌ସୀ ତେରେ ଆଙ୍ଗନକି’ । ସେହିପରି ନିର୍ଦ୍ଦେଶକ ଶକ୍ତି ସାମନ୍ତ ତାଙ୍କୁ ଅଧିକ ଡ୍ରାମାଟିକ୍‌ ରୋଲ୍‌ ଦେଇଥିଲେ । ଆଶାଙ୍କ ଏହିଭଳି ଫିଲ୍ମ ମଧ୍ୟରେ ରହିଛି ‘ପାଗଲ୍‌ କହିଁ କା’ ଓ ‘କଟୀ ପତଙ୍ଗ’ । ୧୯୭୦ରେ ରିଲିଜ୍‌ ହୋଇଥିବା ଫିଲ୍ମ ‘କଟୀ ପତଙ୍ଗ’ ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଫିଲ୍ମ ଫେୟାର ପୁରସ୍କାର ପାଇଥିଲେ ଆଶା । ୨୦୦୨ରେ ତାଙ୍କୁ ଫିଲ୍ମ ଫେୟାର ଲାଇଫ୍‌ଟାଇମ୍‌ ଆଚିଭ୍‌ମେଣ୍ଟ ଆୱାର୍ଡ ପ୍ରଦାନ କରାଯାଇଥିଲା । ୧୯୯୨ରେ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରିଥିଲେ ।

hiranchal ad1
Leave A Reply

Your email address will not be published.

one × 2 =