କନ୍ଧମାଳ ଜିଲ୍ଲାପାଳଙ୍କ ନୂତନ ପ୍ରୟାସ, ବିଦ୍ୟାଳୟ ସାଜିଲା କୃତ୍ରିମ ବଜାର

0 69

ଘୁ ଉଦୟଗିରି: ଆଦିବାସୀ ଅଧ୍ୟୁଷିତ ଅନୁନ୍ନତ କନ୍ଧମାଳ ଜିଲ୍ଲାର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପାଠପଢ଼ାରେ ଆଗ୍ରହ ସୃଷ୍ଟି କରିବା ପାଇଁ ବିଶେଷ କରି ପ୍ରତ୍ୟେକ ଜିନିଷ ଉପରେ ଧାରଣା ପାଇବା ସହିତ ହିସାବ କିତାବ କିପରି ଜାଣିପାରିବେ ସେଥିପାଇଁ କନ୍ଧମାଳ ଜିଲ୍ଲାପାଳ ଆଶିଷ ଇଶ୍ୱର ପାଟିଲ ସମସ୍ତ ବିଦ୍ୟାଳୟ ମାନଙ୍କରେ ଦିନିକିଆ କୃତ୍ରିମ ବଜାର ତିଆରି କରି ଛାତ୍ରଛାତ୍ରୀ ମାନେ ଯେପରି ନୂତନ ଜ୍ଞାନ ଆହରଣ କରିପାରିବେ ସେଥିପାଇଁ ନୂତନ ପ୍ରୟାସ କରିଛନ୍ତି । ଜିଲ୍ଲାପାଳଙ୍କ ଏହି ମହତ୍‌ ଉଦ୍ଦେଶ୍ୟକୁ ସାକାର କରିବା ପାଇଁ ଟିକାବାଲି ଗୋଷ୍ଠୀ ଶିକ୍ଷା କେନ୍ଦ୍ର ଅନ୍ତର୍ଗତ ପୁକୁଲିଙ୍ଗିଆ ପ୍ରାଥମିକ ବିଦ୍ୟାଳୟ ତରଫରୁ ମଧ୍ୟ ବିଦ୍ୟାଳୟ ପରିସରରେ ଆମ ବଜାର ନାମରେ ଏକ କୃତ୍ରିମ ବଜାର ତିଆରି କରି ସେଥିରେ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ଭୂମିକାରେ ଭାଗ ନେବାପାଇଁ ଉତ୍ସାହ କରାଯାଇଥିଲା । ଛାତ୍ରଛାତ୍ରୀମାନେ ଏହି କୃତ୍ରିମ ବଜାରରେ ବ୍ୟବସାୟ କରି ପ୍ରତ୍ୟେକ ଜିନିଷକୁ ଚିହ୍ନିବା ଓ ଜାଣିବା ସହିତ ହିସାବ କିତାବ କରିବାର ଧାରଣା ପାଇଥିଲେ । ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ବିନିତା ପ୍ରଧାନ, ସହକାରୀ ଶିକ୍ଷକ ବିସୁମନ ପ୍ରଧାନ ଓ ଶିକ୍ଷକ ଦୁର୍ଗା ପ୍ରସାଦ ସାହୁ ପ୍ରମୁଖ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରିବା ପାଇଁ ଏହି କୃତ୍ରିମ ବଜାର ତିଆରି କରିବାରେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିବା ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଆୟୁଷ ପ୍ରଧାନ ପ୍ରବେଶ ଦ୍ୱାରରେ ଠିଆ ହୋଇ ବଜାର ଭିତରକୁ ଆସୁଥିବା ଗ୍ରାହକ ମାନଙ୍କୁ ସାନିଟାଇଜର୍‌ ହାତରେ ଦେଇ ଭିତରକୁ ପ୍ରବେଶ କରିବାକୁ ଦେଉଥିଲା ବେଳେ, ସୁଧାଂଶୁ ଶେଖର ପ୍ରଧାନ, ଅନିତା ନାୟକ, ସୁହାନି ପ୍ରଧାନ, ପୁଷ୍ପାଞ୍ଜଳି ପ୍ରଧାନ, ଜାପ୍ଲୀନ୍‌ ଦିଗାଲ ଓ ଶିବାନୀ ପ୍ରଧାନ ପ୍ରମୁଖ ଆମ ବଜାରରେ ବିଭିନ୍ନ ବ୍ୟବସାୟୀ ଭାବେ କାର୍ଯ୍ୟ କରି ଜିନିଷ କିଣୁଥିବା ଗ୍ରାହକ ମାନଙ୍କୁ ଜିନିଷ ସାଥିରେ ବିଲ୍‌ ଦେଇ ମ୍ୟାନେଜରଙ୍କୁ ବିଲ୍‌ ହିସାବ ପୈଠ କରିବାକୁ ମଧ୍ୟ କହୁଥିଲେ । ମ୍ୟାନେଜର ଭାବେ କୁମାର ଅଭିଜିତ ତାଙ୍କ ଦାୟିତ୍ୱ କରୁଥିବା ବେଳେ, ଅନ୍ୟ ଛାତ୍ରଛାତ୍ରୀମାନେ ଗ୍ରାହକ ହୋଇ ଜିନିଷ କିଣି ମ୍ୟାନେଜରଙ୍କୁ ବିଲ୍‌ ପୈଠ କରି ଫେରୁଥିବା ସମୟରେ, ପ୍ରସ୍ଥାନ ଦ୍ୱାରରେ ଠିଆ ହୋଇ ଶୁଭଙ୍କର ପ୍ରଧାନ ରସିଦ ଦେଖି ଜିନିଷ ଗୁଡିକୁ ତନଖି ବାହାରକୁ ଛାଡୁ ଥିବାର ଦେଖିବାକୁ ମିଳିଥିଲା । ଶେଷରେ ବରିଷ୍ଠ ଶିକ୍ଷକ ଦୁର୍ଗା ପ୍ରସାଦ ସାହୁ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ମାନେ ସୂଚାରୁରୂପେ କାର୍ଯ୍ୟ ତୁଲାଇଥିବାରୁ ଏବଂ ସେମାନେ ଏହି କୃତ୍ରିମ ବଜାରରୁ କିଛି ଶିକ୍ଷା ଆହରଣ କରିପାରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଦେଇ କାର୍ଯ୍ୟକ୍ରମକୁ ସମାପ୍ତ କରିଥିଲେ ।

hiranchal ad1
Leave A Reply

Your email address will not be published.

3 × three =