ପୁରୀ,୯/୧୦- ଚଳିତବର୍ଷର ହବିଷ ବ୍ରତ ଅକ୍ଟୋବର ମାସ ୧୦ ତାରିଖରୁ ଆରମ୍ଭହୋଇ ଏକ ମାସ ପର୍ଯ୍ୟନ୍ତ ଚାଲିବ । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ପଞ୍ଜିକରଣ କରିଥିବା ୨୯୩୫ ଜଣ ହବିଷ୍ୟାଳୀ ମା’ମାନଙ୍କୁ ୫ ଗୋଟି କେନ୍ଦ୍ରରେ ରଖାଯିବ ବୋଲି ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ସୂଚନା ଦେଇଛନ୍ତି । ଶନିବାର ଟାଉନହଲ ଠାରେ ହବିଷ ବ୍ରତ କାର୍ଯ୍ୟରେ ନିୟୋଜିତ ଅଧିକାରୀ, କର୍ମଚାରୀ ଓ ସ୍ୱେଚ୍ଛାସେବୀ ମାନଙ୍କୁ ନେଇ ସେମାନଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀ ବର୍ମା ହବିଷ୍ୟାଳୀ ମାନଙ୍କର ସେବାକୁ ନିଷ୍ଠା ଓ ଧର୍ମର କାର୍ଯ୍ୟ ବୋଲି ବିବେଚନା କରି କର୍ମଚାରୀମାନେ ଦାୟିତ୍ୱ ନିର୍ବାହ ପାଇଁ ଆହ୍ୱାନ ଦେଇଥିଲେ । ହବିଷ୍ୟାଳୀ କାର୍ଯ୍ୟରେ ଅବହେଳାକୁ ବରଦାସ୍ତ କରାଯିବ ନାହିଁ ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ସତର୍କ କରାଇ ଦେବା ସହ ଭଲ କାମ ପାଇଁ ପ୍ରୋତ୍ସାହିତ କରାଯିବ ବୋଲି କହିଥିଲେ । ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶ୍ରୀ ପ୍ରଦୀପ କୁମାର ସାହୁ ସମସ୍ତଙ୍କୁ ସ୍ୱାଗତ କରି ନୂତନ ଭାବେ ନିର୍ମିତ ବୃନ୍ଦାବତୀ ନିବାସରେ ପୁରୀ ,ଗଞ୍ଜାମ ଓ ନୟାଗଡ଼ ଜିଲ୍ଲାର ୧୬୦୪ ଜଣ, ଅକ୍ଷୟ ପାତ୍ର ଫାଉଣ୍ଡେସନ, ବଗଲା ଧର୍ମଶାଳା ଓ ବାଗେଡିଆ ଧର୍ମଶାଳାରେ ଖୋର୍ଦ୍ଧା ଜିଲ୍ଲାର ୭୩୦ ଜଣ, ମୋଚି ସାହି କଲ୍ୟାଣ ମଣ୍ଡପ ଠାରେ ଅବଶିଷ୍ଟ ଜିଲ୍ଲାର ୬୦୧ ଜଣ ହବିଷ୍ୟାଳୀ ମା’ମାନଙ୍କର ରହଣିର ବ୍ୟବସ୍ଥା ହୋଇଛି ବୋଲି କହିଥିଲେ । ସରକାରଙ୍କ ହବିଷ୍ୟାଳୀ ଯୋଜନା ଆଧାରରେ ବୟସ୍କା ମା’ ମାନେ ଏହି ବ୍ରତରେ ସାମିଲ ହେଉଛନ୍ତି । ତେଣୁ ପ୍ରଶାସନ ସମସ୍ତ ସୁବିଧା ସେମାନଙ୍କୁ ଯୋଗାଇବାକୁ ବ୍ୟବସ୍ଥା କରିଛି । ଏହାକୁ ସମ୍ମିଳିତ ଭାବେ ସଫଳ କରିବା ବୋଲି ସେ କହିଥିଲେ । ସେମାନଙ୍କର ସୁରକ୍ଷିତ ରହଣି, ସୁରକ୍ଷା, ମନ୍ଦିର ଦର୍ଶନ, ମହାପ୍ରସାଦ ସେବନ, ପ୍ରବଚନ, ଭଜନ, ପାଲା ଇତ୍ୟାଦି ବ୍ୟବସ୍ଥା ଚିକିତ୍ସା, ପରିମଳ, ପାନୀୟ ଜଳ, ନରେନ୍ଦ୍ରରେ ସ୍ନାନ ବ୍ୟବସ୍ଥା, ସ୍ୱେଚ୍ଛାସେବୀ ସହଯୋଗ ଇତ୍ୟାଦି ବ୍ୟବସ୍ଥା କରାଯାଇଛି । ଏଥିପାଇଁ ସମ୍ପୃକ୍ତ ବିଭାଗର ଅଧିକାରୀ ଓ କର୍ମଚାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ଏହାକୁ ସୁନିୟନ୍ତ୍ରିତ କରିବାକୁ ନୋଡାଲ ଅଧିକାରୀ, ବରିଷ୍ଠ ଅଧିକାରୀ ମାନଙ୍କୁ ଦାୟିତ୍ୱ ଦିଆଯାଇଛି । ମା ମାନଙ୍କୁ ଠାକୁର ଦର୍ଶନ ସମୟରେ ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନ ପାଇଁ ଆରକ୍ଷୀ ବିଭାଗ ଓ ସ୍ୱେଚ୍ଛାସେବୀମାନେ ସମନ୍ୱୟ ରଖି କାର୍ଯ୍ୟ କରିବେ । ଏହି କାର୍ଯ୍ୟ ଏକ ବ୍ୟାପକ ଓ ଏକ ମାସ ଧରି କରିବାର ଆବଶ୍ୟକତା ଥିବାରୁ ବିଭାଗର କର୍ମଚାରୀ ଓ ସ୍ୱେଚ୍ଛାସେବୀ ମାନଙ୍କୁ ମଧ୍ୟ ଦାୟିତ୍ୱ ଦିଆଯାଇ ଉପଯୁକ୍ତ ପ୍ରଶିକ୍ଷଣ ଦିଆଯାଉଛି । ତେଣୁ ଏହି କାର୍ଯ୍ୟକୁ ପାରସ୍ପରିକ ସମନ୍ୱୟ ରଖି କାର୍ଯ୍ୟ କରିବାକୁ ଜିଲ୍ଲାପାଳ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ଶ୍ରୀ କୈଳାସ ଚନ୍ଦ୍ର ନାୟକ, ଅତିରିକ୍ତ ଏସପି ଶ୍ରୀ ମିହିର ପ୍ରସାଦ ପଣ୍ଡା, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଜ୍ୟୋତି ଶଙ୍କର ମହାପାତ୍ର, ଉପଜିଲ୍ଲାପାଳ ଶ୍ରୀ ଭବତାରଣ ସାହୁ, ଶ୍ରୀମନ୍ଦିର ନୀତି ପ୍ରଶାସକ ଶ୍ରୀ ଜିତେନ୍ଦ୍ର ସାହୁ, ସିଡିଏମଓ ଡା ସୁଜାତା ମିଶ୍ର, ପୌରନିର୍ବାହୀ ଅଧିକାରୀ ଶ୍ରୀ ସରୋଜ କୁମାର ସ୍ୱାଇଁ, ପୂର୍ତ୍ତବିଭାଗ ଅଧିକ୍ଷଣ ଯନ୍ତ୍ରୀ ଶ୍ରୀ ଅଜିତ ମହାପାତ୍ର, ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ, କର୍ମଚାରୀ, ସ୍ୱେଛାସେବୀ, ଆଶା ଓ ଅଙ୍ଗନୱାଡି କର୍ମୀ ପ୍ରମୁଖ ଯୋଗ ଦେଇଥିଲେ ।