ସପ୍ତମ ଶ୍ରେଣୀ ଛାତ୍ରୀ ମାତୃତ୍ୱ ଓ ମୃତ୍ୟୁ ଘଟଣା :ମୃତ ଛାତ୍ରୀଙ୍କ ପରିବାରକୁ ଭେଟିଲେ ରାଜ୍ୟ ବିଜେପିର ମହିଳା ମୋର୍ଚ୍ଚାର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍
ବାଲିଗୁଡ଼ା/ଜି.ଉଦୟଗିରି,୯/୧୦: କନ୍ଧମାଳ ଜିଲ୍ଲା ବେଲଘର ରାଙ୍ଗାପାରୁ ଆବାସିକ ବିଦ୍ୟାଳୟର ସପ୍ତମଶ୍ରେଣୀ ଛାତ୍ରୀ ସନ୍ତାନ ପ୍ରସବ ଏବଂ ପରେ ମା ଓ ନବଜାତ ଶିଶୁଙ୍କ ମୃତ୍ୟୁ ଘଟଣାର ଅନୁଧ୍ୟାନ କରିବା ପାଇଁ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚାର ଫ୍ୟାକ୍ଟ ଫାଇଣ୍ଡିଙ୍ଗ୍ ଟିମ ଦିନିକିଆ ବେଲଘର ଗସ୍ତ କରି ଫେରିଛନ୍ତି । ରାଜ୍ୟ ବିଜେପି ମହିଳା ମୋର୍ଚ୍ଚାର ସଭାପତି ସ୍ମୃତିରେଖା ପଟ୍ଟନାୟକ ଓ ପୂର୍ବତନ ମନ୍ତ୍ରୀ ସୁରମା ପାଢୀଙ୍କ ନେତୃତ୍ୱରେ ଏକ ଟିମ୍ ଆଜି ଦିନିକିଆ ବେଲଘର ଗସ୍ତ କରିଥିଲେ । ଏହି ଟିମ୍ ଆଜି ସକାଳୁ ବେଲଘରର ରାଙ୍ଗପାରୁ ଆବାସିକ ବିଦ୍ୟାଳୟ ପରିଦର୍ଶନ କରିବା ସହ ମୃତ ଛାତ୍ରୀଙ୍କ ପରିବାରକୁ ଭେଟିଛନ୍ତି । ଏଥିସହିତ ବେଲଘର ଥାନାରେ ବାଲିଗୁଡ଼ା ଏସଡିପିଓ ଓ ଜଣେ ଅତିରିକ୍ତ ଏସପିଙ୍କ ସହ ଘଟଣା ସମ୍ପର୍କରେ ଆଲୋଚନା କରିଛନ୍ତି । ଏହାପରେ ଘୁ.ଉଦୟଗିରି ଗସ୍ତ କରି ଛାତ୍ରୀଜଣକ ରହିଥିବା ସୁଭଦ୍ରା ମହତାବ ସେବାସଦନ ଓ ଡାକ୍ତରଖାନା ଯାଇ ଘଟଣାର ଅନୁଧ୍ୟାନ କରିବେ । ଏହା ପରେ ଫୁଲବାଣୀ ଜିଲ୍ଲାପାଳଙ୍କ ସହ ଏନେଇ ଆଲୋଚନା କରିବା ପରେ ସେଠାରେ ଏକ ସାମ୍ବାଦିକ ସମ୍ମିଳନୀର ଅନୁଷ୍ଠିତ କରିବାର କାର୍ଯ୍ୟକ୍ରମ ରହିଛି । ଘଟଣାରେ ଜିଲ୍ଲା ପ୍ରଶାସନର ସମ୍ପୂର୍ଣ୍ଣ ଅବହେଳା କାରଣରୁ ଏଭଳି ଘଟଣା ଘଟିଛି । ଏହାକୁ ବିଜେପି ଦୃଢ଼ ନିନ୍ଦା କରୁଛି । ମୃତ ଛାତ୍ରୀଙ୍କୁ ନ୍ୟାୟ ଦେବାସହ ଘଟଣାର ସଠିକ୍ ତଦନ୍ତ ପାଇଁ ଦାବୀ କରିଛି ବିଜେପି । ଅନ୍ୟପଟେ ଘଟଣାରେ ପ୍ରଶାସନ ପକ୍ଷରୁ ରାଙ୍ଗାପାରୁ ଆବାସିକ ବିଦ୍ୟାଳୟରେ କାର୍ଯ୍ୟରତ ଜଣେ ମେଟ୍ରନଙ୍କୁ ନିଲମ୍ବନ କରାଯାଇଥିବା ବେଳେ ପ୍ରଧାନ ଶିକ୍ଷକ, ଆସିଷ୍ଟାଣ୍ଟ ସୁପରିଟେଣ୍ଡେଣ୍ଟ ଓ ଏଏନ୍ଏମ୍ ଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିବା ଜଣାପଡ଼ିଛି । ଏହି ଗସ୍ତରେ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ସଭାପତି ଓ ପୂର୍ବତନ ମନ୍ତ୍ରୀଙ୍କ ସମେତ କନ୍ଧମାଳ ପ୍ରଭାରୀ ରଶ୍ମୀ ପଟ୍ଟନାୟକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଅର୍ଚ୍ଚନା ପ୍ରଧାନ, ଫୁଲବାଣୀ ପୌରାଧ୍ୟକ୍ଷା ସ୍ମିରାରାଣୀ ମହାନ୍ତି, କୁସୁମ ପ୍ରଧାନ, ସତ୍ୟଭାମା ପ୍ରଧାନ, ବନଜା ପ୍ରଧାନ, ଜିଲ୍ଲା ବିଜେପି ସଭାପତି ଜଗନ୍ନାଥ ସାହୁ ଏବଂ ଅନ୍ୟ ସଦସ୍ୟମାନେ ସାମିଲ ହୋଇଥିଲେ ।