ବଲାଙ୍ଗୀର : ପ୍ରତୀକାତ୍ମକ ଧାରଣାରୁ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ବିଗୁଲ ବାଜିବ । ଆସନ୍ତା ୧୪ ତାରିଖରେ ବଲାଙ୍ଗୀର, ସୋନପୁର ଓ ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ସକାଳ ୯ଟାରୁ ଗୋଟାଏ ଯାଏ ଧାରଣା ଦିଆଯିବ । କେନ୍ଦ୍ର ରେଳମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ଦିଆଯିବ ବୋଲି ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ସଂଘର୍ଷ ସମିତି ଆବାହକ ଗୋପାଲଜୀ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ପି ପି ଏକାଡେମୀ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଜେପି ଜିଲ୍ଲା ସଭାପତି ଶିବାଜୀ ମହାନ୍ତି, କଂଗ୍ରେସ ଜିଲ୍ଲା ସଭାପତି ଦିଲ୍ଲୀପ କୁମାର ବେହେରା, ବଲାଙ୍ଗୀର ନାଗରିକ କମିଟୀ ସାଧାରଣ ସଂପାଦକ ମନୋରଞ୍ଜନ ସାହୁ, ବରିଷ୍ଠ ନାଗରିକ ସଂଘ ସଭାପତି ପ୍ରଭାକର ମିଶ୍ର, ବଲାଙ୍ଗୀର ଜିଲ୍ଲା ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ସଂଘର୍ଷ ସମିତି ଜିଲ୍ଲା ସଂଯୋଜକ ଭବାନୀଶଙ୍କର ଶତପଥୀ, ବଲାଙ୍ଗୀର ଏକ୍ସନ କମିଟୀ ଉପସଭାପତି ସୁଶାନ୍ତ ପଟ୍ଟନାୟକ(ମୁନା), ଯୁବ ଏକ୍ସନ କମଟୀ ସଭାପତି ବିନୋଦ କାଲସାଏ ମଞ୍ଚାସୀନ ଥିଲେ । ଆସନ୍ତା ୧୪ତାରିଖର ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ସଂଘର୍ଷ ସମିତିର କାର୍ଯ୍ୟକ୍ରମକୁ ସମର୍ଥନ କରିବା ସହ ଭାଗନେବା ପାଇଁ ସହମତି ଜଣାଇଥିଲେ । ପ୍ରକାଶ କରାଯାଏ ଯେ, ବିଗତ ୨ଦଶନ୍ଧି ଧରି ପଶ୍ଚିମ ଓଡିଶାବାସୀଙ୍କ ସ୍ୱପ୍ନ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥରେ ବିଳମ୍ବ ଓ ବୈମାତୃକ ମନୋଭାବ ବିରୋଧରେ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ସଂଘର୍ଷ ସମିତି ସୃଷ୍ଟି ହୋଇଛି । ଉକ୍ତ ସମିତି ଡାକରାରେ ୧୪ତାରିଖରେ ୩ଟି ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଏକାସମୟରେ ଧାରଣା ଡାକରା ଦିଆଯାଇଛି ।