ଖପ୍ରାଖୋଲ : ସ୍ଥାନୀୟ ଥାନା ପରିସରରେ ମହିଳା ଏବଂ ଶିଶୁ ବିକାଶ ବିଭାଗ, ୟୁନିସେଫ, ବଲାଙ୍ଗିର ପୋଲିସ ଏବଂ ଏଡ଼ଏଟଏକ୍ସସନ ଇଣ୍ଡିଆର ମିଳିତ ଉଦ୍ୟମରେ ଦେଶାନ୍ତର ଶ୍ରମିକ ସମସ୍ୟାର ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ସୋମବାର ଅନୁଷ୍ଠିତ ହୋଇଯାଇଛି । ଏଡ଼ଏଟଏକ୍ସସନର ନିର୍ଦ୍ଦେଶକ ଡକ୍ଟର ଉମି ଡାନିଏଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ବଲାଙ୍ଗିର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନିତିନ କୁଶଳକର ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ରୂପେ ପଟଣାଗଡ଼ ଏସ.ଡ଼ି.ପି.ଓ ଜ୍ୟୋତିର୍ମୟ ଭୁକ୍ତା, ଖପ୍ରାଖୋଲ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ କନିଷ୍କ ବିଭାର, ବଲାଙ୍ଗିର ସାଇବର ସେଲ ଇନ୍ସପେକ୍ଟର ଭାରତୀ ନାଏକ, ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁ ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ଆରମ୍ଭରେ ସନ୍ଧ୍ୟାରାଣୀ ପତି ସ୍ୱାଗତ ଭାଷଣ ଦେଇଥିବା ବେଳେ ଶିବିରର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଏଡ଼ଏଟଏକ୍ସସନ ତରଫରୁ ବେଆଇନ ଶ୍ରମିକ ଚାଲାଣ , ଶିଶୁ ଶ୍ରମିକ ଚାଲାଣ ଉପରେ ନିଆ ଯାଉଥିବା ସଚେତନତା କାର୍ଯ୍ୟକ୍ରମ ଉପରେ ଆଲୋଚନା ହୋଇଥିଲା । ଚଳିତ ବର୍ଷ ବେଆଇନ ଶ୍ରମିକ ଚାଲାଣକୁ ସମ୍ପୂର୍ଣ୍ଣ ବନ୍ଦ କରିବା ସହ ରେଳଷ୍ଟେସନରେ ମଧ୍ୟ ବଲାଙ୍ଗିର ପୋଲିସର କଡା ନଜର ରଖାଯାଇଛି ବୋଲି କହିବା ସହ ବେଆଇନ ଶ୍ରମିକ ଚାଲାଣ ରୋକିବା ପାଇଁ ସମସ୍ତେ ସହଯୋଗ କରିବାକୁ ଆରକ୍ଷୀ ଅଧିକ୍ଷକ ନିବେଦନ କରିଥିଲେ । ଏହି ଅବସରରେ ବିଭିନ୍ନ ବ୍ୟକ୍ତି ବିଶେଷ ଶ୍ରମିକ ଚାଲାଣ ଏବଂ ସମସ୍ୟା ଉପରେ ଆଲୋକପାତ କରିଥିଲେ । ଏଡ଼ଏଟଏକ୍ସସନ ପ୍ରୋଗ୍ରାମ ମ୍ୟାନେଜର ସରୋଜ ବାରିକ, ଜ୍ୟୋତି ପ୍ରକାଶ ବ୍ରହ୍ମା, ଦୟା ସାଗର ପଧାନ, ସିଡ଼ିପିଓ ସୁଜାତା ଦୋରା ସମେତ ଅଙ୍ଗନବାଡ଼ି କର୍ମୀ, ଆଶା କର୍ମୀ, ୱାର୍ଡ଼ ମେମ୍ବର ଏବଂ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ ।