ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ଦୁର୍ନୀତି ଅଭିଯୋଗ : ନ୍ୟାୟ ପାଇଁ ଉପଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ଗ୍ରାମବାସୀ
ବାଲିଗୁଡ଼ା: ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ଦୁର୍ନୀତି ଅଭିଯୋଗ । ଏଭଳି ଅଭିଯୋଗ ଆଣିଛନ୍ତି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍ ଅନ୍ତର୍ଗତ ସୁଡ୍ରା ଗ୍ରାମପଞ୍ଚାୟତର ଜାର୍ଗୀ ଗ୍ରାମବାସୀ ।
ସାରା ବିଶ୍ବ ଏବେ ମହାମାରୀ କରୋନା କବଳରେ । ଲକ୍ ଡାଉନ୍ ଯୋଗୁଁ ସାରା ରାଜ୍ୟରେ କାମ ନପାଇ ଖଟିଖିଆ ଦିନ ମଜୁରିଆ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏଭଳି ପରିସ୍ଥିତିରେ ସରକାର ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ କାର୍ଯ୍ୟ ତ୍ବରାନ୍ବିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିଭିନ୍ନ ଉନ୍ନୟନ ମୂଳକ କାମ ଆରମ୍ଭ ହୋଇଥିଲା । ଗରିବ ଦିନ ମଜୁରିଆ କାମକରି ଦିପଇସା ରୋଜଗାର କରି ପରିବାର ପ୍ରତିପୋଷଣ କରିବାର ଆଶା ବାନ୍ଧିଥିଲେ । ହେଲେ ଆଶା ଆଶାରେ ରହିଗଲା ।
ସୂଚନା ପ୍ରକାରେ ବାଲିଗୁଡ଼ା ବ୍ଲକ୍ ଅନ୍ତର୍ଗତ ସୁଡ୍ରା ଗ୍ରାମପଞ୍ଚାୟତକୁ ଜଳ ସଂରକ୍ଷଣ ପାଇଁ ଗାତ ଖନନ ପାଇଁ କାର୍ଯ୍ୟ ରେକର୍ଡ ନଂ-୨୪୦୮୦୨୧୦୧୦/w୯/୧୦୩୯୫୧୮୨ ଆର୍ଥିକ ବର୍ଷ ୨୦୧୯-୨୦ ପାଇଁ ୫,୦୦,୦୦୦(ପାଞ୍ଚଲକ୍ଷ ଟଙ୍କା) ବ୍ୟୟ ଅଟକଳରେ କାର୍ଯ୍ୟାଦେଶ ହୋଇଥିଲା । ହେଲେ ଗ୍ରାମ ରୋଜଗାର ସେବକ(GRS) ଗାଁ ସାଥିଙ୍କୁ ନଜଣାଇ କିଛି ଅସାଧୁ ସହଯୋଗୀ ଙ୍କୁ ସାଥିରେ ନେଇ କାମ କରାଇଥିଲେ । ଏଥିସହିତ ସରକାରଙ୍କ ନିର୍ଦ୍ଧାରିତ ମଜୁରୀ ନଦେଇ ୧୦୦ଟଙ୍କା ଲେଖାଏଁ ମଜୁରୀ ଦେଇଛନ୍ତି ।
ଅନ୍ୟପଟେ MGNREGA କାମରେ ଶ୍ରମିକଙ୍କୁ ଅନ୍ୟ ଲାଇନ୍ ମାଧ୍ୟମରେ ଟଙ୍କା ଦେବାର ସରକାରଙ୍କ ନିୟମ ରହିଥିବା ବେଳେ କାମ କରିଥିବା ଶ୍ରମିକଙ୍କୁ ହାତାହାତି ଟଙ୍କା ଦିଆଯାଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ଓ ଶ୍ରମିକ । କାର୍ଯ୍ୟରେ ଅନିୟମିତତା ଓ ଦୁର୍ନୀତି ବିରୋଧରେ ତଦନ୍ତ କରିବା ସହ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଓ ଗ୍ରାମବାସୀଙ୍କୁ ନ୍ୟାୟ ପ୍ରଦାନ କରିବାକୁ ବାଲିଗୁଡ଼ା ଉପଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି ଗ୍ରାମବାସୀ । ସେପଟେ ଘଟଣାର ତଦନ୍ତ କରାଯିବ ଏବଂ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ବାଲିଗୁଡ଼ା ଉପଜିଲ୍ଲାପାଳ ଦେବେନ୍ଦ୍ର କୁମାର ନନ୍ଦ । କର୍ମଚାରୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲେ ସରକାରଙ୍କ ଯୋଜନା ଗରିବଙ୍କ ନିକଟରେ ଠିକ୍ ଭାବରେ ପହଁଚି ପାରିବ ବୋଲି ଆଶା ।