ସାତ ବର୍ଷ ହେଲା ଅଧପନ୍ତରିଆ ହୋଇ ପଡିଛି ସ୍କୁଲଗୃହ: ଝୁପୁଡି ଘରେ ଚାଲିଛି ପାଠପଢା

0 69

ତେନ୍ତୁଳିଖୁଣ୍ଟି,୧୬/୧୦:- ନବରଙ୍ଗପୁର ଜିଲ୍ଲାର ତେନ୍ତୁଳିଖୁଣ୍ଟି ବ୍ଳକ ଅନ୍ତର୍ଗତ ଗୋଷ୍ଠୀ ଶିକ୍ଷା ଅଧିକାରୀ କଣ୍ଟାଗାଁ କ୍ଲଷ୍ଟର ଘୁମରଦୋରା ନୂତନ ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି ବିଚିତ୍ର ଦୃଶ୍ୟ । ସାତବର୍ଷ ହେଲା ଅଧପନ୍ତରିଆ ହୋଇ ପଡିରହିଛି ସ୍କୁଲଗୃହ । ଝୁପୁଡି କୁଡ଼ିଆରେ ଚାଲିଛି ପାଠପଢା । ଏଠାରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏଁ ୩୨ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୧ ଜଣ ଛାତ୍ର ୧୧ ଜଣ ଛାତ୍ରୀ ଅଧ୍ୟୟନ କରୁଛନ୍ତି । ଏହି ବିଦ୍ୟାଳୟରେ ୭ ବର୍ଷ ତଳେ ଏକ କୋଠାଘର ନିର୍ମାଣ ପାଇଁ ଆରମ୍ଭ ହୋଇଥିଲା । କିନ୍ତୁ ଦୁଃଖର ବିଷୟ ୭ ବର୍ଷ ବିତିଯାଇଥିଲେ ମଧ୍ୟ ଗୃହଟି ସଂପୂର୍ଣ୍ଣ ହୋଇପାରୁନି । ଖବର ନେବାପରେ ଜଣାପଡିଲା ଯେ ଏହି ନୂତନ ଗୃହଟି ସମୁଦାୟ ୧୪ ଲକ୍ଷ ମୂଲ୍ୟର ଅଟେ । ଏ ନେଇ ଶିକ୍ଷାବିଭାଗର ଡିପିଇପି କନିଷ୍ଠଯନ୍ତ୍ରୀ ହେମନ୍ତ କୁମାର ବସନ୍ତିଆଙ୍କୁ ଯୋଗାଯୋଗ କରିବାରୁ ସେ କହିଥିଲେ ଯେ, ଏହି ନୂତନ ଗୃହଟି ୧୪ ଲକ୍ଷ ମଧ୍ୟରୁ ୧୩ ଲକ୍ଷ କାର୍ଯ୍ୟକାରୀ ହୋଇସାରିଥିବା ବେଳେ ଏକଲକ୍ଷ ଟଙ୍କା ଆରଡବ୍ଲୁଏସଏସକୁ ଦିଆଯାଇଛି । ପାନୀୟ ଜଳ ବିଭାଗ କନିଷ୍ଠ ଯନ୍ତ୍ରୀ ଦୁଷ୍ମନ୍ତ କୁମାର ବାରିକଙ୍କୁ ଯୋଗାଯୋଗ କରିବାରୁ କୌଣସି ଟଙ୍କା ପୈଠ ହୋଇନଥିବା କହିଥିଲେ । ଏହି କୋଠାଘରର ନିର୍ମାଣର କାର୍ଯ୍ୟର ନାମ ଫଳକ ମଧ୍ୟ କରାଯାଇନାହିଁ । ବର୍ତ୍ତମାନ ରୋଷେଇ ଓ ପାନୀୟ ଜଳ ପାଇଁ ୬୦୦ ମିଟର ଦୂରରେ ଥିବା ପାଖ ଗ୍ରାମରୁ ପାଣି ଆଣି ବ୍ୟବହାର କରୁଛନ୍ତି । ପ୍ରକୃତରେ କନିଷ୍ଠଯନ୍ତ୍ରୀ ଓ ଶିକ୍ଷାବିଭାଗର ଅଧିକାରୀଙ୍କ ମଧୁଚନ୍ଦ୍ରିକାରେ ବଳି ପଡୁଛନ୍ତି ସରଳ, ନିରୀହ ଛାତ୍ରଛାତ୍ରୀମାନେ । ଯଦି ସରକାରୀବାବୁ ମାନଙ୍କ ପୁଅ, ଝିଅ ି ଏହି ବିଦ୍ୟାଳୟରେ ଅଧ୍ୟୟନ କରିଥାନ୍ତେ,ଏଭଳି ଅସୁବିଧା ହେଇଥାନ୍ତା କି ? ସରକାର ଶିକ୍ଷାବିଭାଗ ପାଇଁ ଅନେକଗୁଡ଼ିଏ ଯୋଜନା କରିଛନ୍ତି କିନ୍ତୁ ଯୋଜନା ଯୋଜନା ରେ ହିଁ ରହିଯାଉଛି । ସରକାରୀ ବାବୁଙ୍କ ଅଣଦେଖା ସକାଶେ ଛାତ୍ରଛାତ୍ରୀମାନେ ନା ପାଉଛନ୍ତି କୋଠାଘର ନା ପାଉଛନ୍ତି ସୁବିଧା । ବର୍ଷାହେଲେ ଝୁପୁଡି ଘରେ ପାଲ ଟାଣି ଛାତ୍ରଛାତ୍ରୀମାନେ ବର୍ଷାରେ ଭିଜିଭିଜି କାଦୁଅ ପଚପଚରେ ପାଠପଡୁଛନ୍ତି । ଏହି ଦୃଶ୍ୟ ଦେଖିବ କିଏ ଅଧିକାରୀ ମାନେ ତ ଶୀତ ତାପ ନିୟନ୍ତ୍ରଣ ଘରେ ରହି କାର୍ଯ୍ୟକରୁଛନ୍ତି । କୋମଳମତୀ ଛାତ୍ରଛାତ୍ରୀ ମାନଙ୍କ ଦୁଃଖ ବୁଝୁଛି କିଏ ? ଏଥି ପାଇଁ ଦାୟୀ କିଏ ? ଶିକ୍ଷା ଅଧିକାରୀ ନା କନିଷ୍ଠଯନ୍ତ୍ରୀ ? ତେବେ ଦେଖିବାକୁ ବାକି ରହିଲା କୋଠାଘରର ଶ୍ରେଣୀ ଗୃହରେ ବସି ପାଠ ପଢିବା ପାଇଁ ସପ୍ନ ଦେଖିଥବା ଛାତ୍ରଛାତ୍ରୀଙ୍କ ସ୍ୱପ୍ନ ସ୍ୱପ୍ନରେ ହିଁ ରହିଯିବନି ତ ?

hiranchal ad1
Leave A Reply

Your email address will not be published.

17 + 17 =