ମହାନଦୀ ବନ୍ୟପ୍ରାଣୀ ନିଷିଦ୍ଧାଞ୍ଚଳରେ ଭୋଜି ,୨୬ରେ ହୋଇପାରେ କାର୍ଯ୍ୟାନୁଷ୍ଠାନ

0 406

ଦଶପଲ୍ଲା :ମହାନଦୀ ବନ୍ୟପ୍ରାଣୀ ଡିଭିଜନ୍‌ ଛାମୁଣ୍ଡିଆ ବନାଞ୍ଚଳ ଅନ୍ତର୍ଗତ ବଡମୂଳ ବିଟ୍‌ ଅଧିନସ୍ଥ ମାଳିସାହି ବୋଟିଂ ପଏଣ୍ଟରେ କିଛି ବ୍ୟକ୍ତି ଭୋଜି କରୁଥିବା ଏବଂ ଜେଟି ଉପରେ ଖାଦ୍ୟ ଖାଉଥିବା ନେଇ ବିଭିନ୍ନ ସମ୍ବାଦ ପତ୍ରରେ ଖବର ପ୍ରକାଶ ପାଇବା ପରେ ଭୋଜିରେ ସାମିଲ ବୋଟ ଡ୍ରାଇଭର ଓ ଅନ୍ୟ ଜଣଙ୍କର ପ୍ରାଥମିକ ପର୍ଯ୍ୟାୟରେ ଦରମା ବନ୍ଦ କରାଯାଇଥିବା ବିଶ୍ୱସ୍ତ ସୁତ୍ରରୁ ସୂଚନା ମିଳିଛି । ଏହି ଘଟଣାର ତଦନ୍ତ କରି ଛାମୁଣ୍ଡିଆ ବନାଞ୍ଚଳ ଅଧିକାରୀ ରିର୍ପୋଟ ଦେଇ ସାରିଥିବା ବେଳେ ଛୁଟି ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାଯାଇଛି । ୨୫ ତାରିଖ ପର୍ଯ୍ୟନ୍ତ ଛୁଟି ଥିବା ବେଳେ ୨୬ ତାରିଖ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ସମୀର ଶତପଥି ସୂଚନା ଦେଇଛନ୍ତି । ସାତକୋଶିଆ ସ୍ୟାଣ୍ଡ ରିର୍ସାଟକୁ ଆସୁଥିବା ପର୍ଯ୍ୟଟକ କେବଳ ଲାଇଫ ଜ୍ୟାକେଟ୍‌ ପରିଧାନ କରି ବନ୍ୟପ୍ରାଣୀ ଡିଭିଜନ୍‌ ବୋଟରେ ଏହି ସ୍ଥାନରୁ ସାତକୋଶିଆ ବୁଲିବାର ମଜା ନେବା ପାଇଁ ବ୍ୟବସ୍ଥା ହୋଇଛି । ଏଥିପାଇଁ ମହାନଦୀ ବନ୍ୟପ୍ରାଣୀ ଡିଭିଜନର ସ୍ୱତନ୍ତ୍ର ନୀତି ନିୟମ ଏବଂ ବ୍ୟବସ୍ଥା ରହିଛି । ବୋଟିଂ ପଏଣ୍ଟ ତଥା ଜେଟିର ୨ ଶହ ମିଟର ପୂର୍ବରୁ ଉକ୍ତ ଅଞ୍ଚଳକୁ ନିଷିଦ୍ଧାଞ୍ଚଳ ଘୋଷଣା ହୋଇଛି । ଅଭୟାରଣ୍ୟ ମଧ୍ୟରେ ରହୁଥିବା ଗ୍ରାମବାସୀଙ୍କ ବ୍ୟତୀତ ଉକ୍ତ ଜଂଗଲ ଅଞ୍ଚଳକୁ ପର୍ଯ୍ୟଟକ କିମ୍ବା ଯାତ୍ରୀ ଯିବାକୁ ବାରଣ କରାଯାଇଛି । ଅଭୟାରଣ୍ୟ ମଧ୍ୟରେ ରହିଥିବା ଗ୍ରାମକୁ ଯିବାକୁ ଚାହିଁଲେ ମହାନଦୀ ବନ୍ୟପ୍ରାଣୀ ଡିଭିଜନର ସ୍ୱତନ୍ତ୍ର ଅନୁମତି ମଧ୍ୟ ଆବଶ୍ୟକ । ମାତ୍ର ବଡମୂଳଠାରେ ରହିଥିବା ବିଟ୍‌ ହାଉସରେ ଜୈନିକ ୱାଚର ସେଠାରେ ସର୍ବେସର୍ବା ହୋଇଥିବା ସୂଚନା ମିଳିଛି । କାଠ ମାଫିଆ ଏବଂ ବନ୍ୟଜନ୍ତୁ ଶୀକାରୀଙ୍କଠାରୁ ଆରମ୍ଭ କରି ପର୍ଯ୍ୟଟକ ପର୍ଯ୍ୟନ୍ତ ସମସ୍ତଙ୍କୁ ଉକ୍ତ ୱାଚରଙ୍କ ସହଯୋଗରେ ଯିବାର ସୁବିଧା ମିଳୁଛି ବୋଲି ସ୍ଥାନୀୟ ଲୋକ କହିଛନ୍ତି । ସାମ୍ନାକୁ ଆସିଥିବା ଘଟଣା ଗୁରୁବାର ଦିନର ହୋଇଥିବା ବେଳେ ଉକ୍ତ ୱାଚର ଓ ବନରକ୍ଷୀ ସବୁ ପ୍ରକାର ସହଯୋଗ ଯୋଗାଇ ଦେଇଥିବା ଅଭିଯୋଗ ହୋଇଥିଲା । ଉକ୍ତ ପର୍ଯ୍ୟଟକମାନେ ପ୍ରଚୁର ମଦ୍ୟପାନ କରି କୂଳରେ ଭୋଜି ରାନ୍ଧିବା ସହ ମହାନଦୀର ଗଭୀର ଗଣ୍ଡ ଉପରେ ରହିଥିବା ଜେଟିରେ ବସି ବିପଦଜନକ ଭାବେ ଖାଉଥିଲେ । ମଧ୍ୟାହ୍ନରୁ ସନ୍ଧ୍ୟା ପର୍ଯ୍ୟନ୍ତ ଉକ୍ତ ସ୍ଥାନରେ ପର୍ଯ୍ୟଟକମାନେ ଉତ୍ପାତ କରିଥିଲେ ମଧ୍ୟ ଛାମୁଣ୍ଡିଆ ବନ୍ୟପ୍ରାଣୀ ବନାଞ୍ଚଳର କୌଣସି କର୍ମଚାରୀ ଏହାକୁ ରୋକିବା ପାଇଁ ପଦକ୍ଷେପ ନେଇନଥିଲେ । ଏନେଇ ଖବର ପ୍ରକାଶ ପରେ ବିଭାଗ ପକ୍ଷରୁ ତନାଘନା କରାଯାଇଛି । ବନଖଣ୍ଡ ଅଧିକାରୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିଶ୍ଚିତ ବୋଲି କହିଥିବା ବେଳେ ଭୋଜି କରୁଥିବା ବ୍ୟକ୍ତିଙ୍କ ନାଁରେ ମାମଲା ରୁଜୁ ହେବ ନା ନାହିଁ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସୁଯୋଗ ଦେଇଥିବା ଏବଂ ସୁଯୋଗ ପାଇ ଆଇନ ଉଲଂଘନ କରିଥିବା ବ୍ୟକ୍ତି ଉଭୟ ଦୋଷୀ ହୋଇଥିବା ବେଳେ ଭୋଜି କରୁଥିବା ଲୋକଙ୍କ ନାଁରେ ମାମଲା ରୁଜୁ କରିବା ନିହାତି ଆବଶ୍ୟକ ବୋଲି ଦାବି ହେଉଛି ।

hiranchal ad1
Leave A Reply

Your email address will not be published.

seventeen + fourteen =