ପାଟଣାଗଡ଼ : ପାଟଣାଗଡ଼ ଏନଏସି ଅନ୍ତର୍ଗତ ୬ ନଂ ଓ ୮ ନଂ ୱାର୍ଡର ସଅଁରାପଡାରେ ଜଣେ ବେପାରୀ ଗରିବ ହିତାଧିକାରୀଙ୍କୁ ପ୍ରଲୋଭନ ଦେଖାଇ ୧ ଟଙ୍କିଆ ପିଡିଏସ ଚାଉଳ କିଣୁଥିବା ବେଳେ ବିଶ୍ୱସ୍ତ ସୁତ୍ରରୁ ଖବର ପାଇ ଗତକାଲି ପୁଲିସ ଚଢାଉ କରିଥିଲା । ଏହି ଘଟଣାରେ ପୁଲିସ ଚାଉଳ ବୋଝେଇ ପିକଅପ ଗାଡ଼ି ନଂ ଓଡି ୦୩ ଟି ୫୬୨୩ କୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖିଥିଲା । ପୁଲିସ ଚଢାଉ ହେବା ପୂର୍ବରୁ ବେପାରୀ ଜଣକ ଉକ୍ତ ସ୍ଥାନରୁ ଫେରାର ହୋଇଯାଇଥିଲା । ଆଜି ସକାଳୁ ପୁଲିସ ଉକ୍ତ ବେପାରୀ ଦୁନ୍ଦେଲଗ୍ରାମର ମାଧବ ମେହେରକୁ ଆଣି ଥାନାରେ ଅଟକ ରଖି ଅଧିକ ତଦନ୍ତ କରୁଥିବା ଏସଆଇ ବ୍ରଜକିଶୋର ପଣ୍ଡାଙ୍କ ଠାରୁ ଜଣାପଡିଛି ।
ସୂଚନା ଅନୁସାରେ, ଗତକାଲି ଅପରାହ୍ନ ସାଢେ ୪ଟାରେ ପାଟଣାଗଡ଼ ଥାନା ଦୁନ୍ଦେଲ ଗାଁର ପିଡିଏସ ଚାଉଳ ଚୋରଚାଲାଣ କରୁଥିବା ବେପାରୀ ମାଧବ ମେହେର ସଅଁରାପଡାରେ ପିଡିଏସ ଚାଉଳ ବୋଝେଇ ପିକଅପ ନେଇ ପହଞ୍ଚିଥିଲେ । ସେହି ଗାଁରେ ଥିବା କିଛି ଗରୀବ ଶ୍ରେଣୀର ଲୋକଙ୍କୁ ପ୍ରଲୋଭନ ଦେଖାଇ ୧ ଟଙ୍କିଆ ପିଡିଏସ ଚାଉଳକୁ ୧୮ ଟଙ୍କାରେ ବିକ୍ରି କରିବା ପାଇଁ କହିଥିଲେ । କିଛି ଗରିବ ହିତାଧିକାରୀ ପ୍ରଲୋଭନରେ ପଡି କିଏ ୫ କିଜେ ତ କିଏ ୧୦ କେଜି ଲେଖାଏଁ ପିଡିଏସ ଚାଉଳ ବିକ୍ରି କରୁଥିଲେ । ଏଦେଖି ଜଣେ ସମାଜିକ କର୍ମୀ ସନ୍ଦେହ କରି ପୁଲିସକୁ ଅବଗତ କରାଇଥିଲେ । ପୁଲିସ ଖବର ପାଇ ଉକ୍ତ ଘଟଣା ସ୍ଥଳରେ ପହଞ୍ଚି ପିଡିଏସ ଚାଉଳ ବୋଝେଇ ଥିବା ପିକଅପକୁ ଜବତ କରିବା ସହ ଡ୍ରାଇଭର ତୁଲା ଚକ୍ରବର୍ତ୍ତୀ କାଣ୍ଡକୁ ଥାନାକୁ ପୁଲିସ ଆଣିଥିଲା । ଘଟଣା ସ୍ଥଳରୁ କୌଶଳ କ୍ରମେ ବେପାରୀ ମାଧବ ମେହେର ଫେରାର ହୋଇଯାଇଥିଲା । ଏହାପରେ ପୁଲିସ ଆଜି ସକାଳେ ମାଧବକୁ ଯୋଗାଯୋଗ କରି ଚତୁରତା ସହ ଥାନାକୁ ଡାକିଥିଲା । ମାଧବ ଥାନାରେ ପହଞ୍ଚିବା ପରେ ତାକୁ ଅଟକ ରଖି ଯୋଗାଣ ବିଭାଗର ସପ୍ଲାଏ ଇନସପେକ୍ଟର ରାଜାରାମ ହୋତାକୁ ଘଟଣା ସଂମ୍ପର୍କ ରେ ଅବଗତ କରାଇ ଥାନାକୁ ଡାକିଥିଲେ । ଶ୍ରୀ ହୋତା ଥାନାରେ ପହଞ୍ଚିବା ପରେ ପିକଅପ ଗାଡିରେ ୧୭ ପ୍ୟାକେଟ ଚାଉଳ ଥିବା ଦେଖିବାକୁ ପାଇଥିଲେ । ସେଥିମଧ୍ୟରୁ ୧୦ ଟି ଅଖା ବସ୍ତାରେ ବ୍ଲୁଷ୍ଟୋନ ଫିଲ ମାର୍କ ସହ ଓଏଫଏଫସି ଏଲଟିଡି ଲେଖାଥିବା ବସ୍ତା ପିଡିଏସ ଚାଉଳ ଥିବା ଜାଣିବାକୁ ପାଇଥିଲେ । କିନ୍ତୁ କୌଶଲ କ୍ରମେ ବେପାରୀ ଜଣକ ବସ୍ତାରେ ଲାଗିଥିବା ଲୋଗୋ ଗୁଡିକୁ ଚିରି ଦେଇଥିଲା । ବାକି ୭ଟି ପ୍ୟାକଟରେ ମଧ୍ୟ ସେହି ସମାନ ଢଙ୍ଗର ଚାଉଳ ଭର୍ତ୍ତି ଥିବା ଜଣାପଡିଥିଲା । ଏହାକୁ ନେଇ ଏକ ରିପୋର୍ଟ ପ୍ରସ୍ତୁତ କରି ସେ ଥାନା ଅଧିକାରୀ ଅନନ୍ତ ପଧାନକୁ ଦେଇଥିଲେ । ଶ୍ରୀ ହୋତାଙ୍କ ଠାରୁ ରିପୋର୍ଟ ପାଇବା ପରେ ପୁଲିସ ଏହି ଘଟଣାରେ ସଂପୃକ୍ତ ଥିବା ପିଡିଏସ ଚାଉଳ ଚୋରା ଚାଳଣ କରୁଥିବା ବେପାରୀ ଓ ଡ୍ରାଇଭର ନାମରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଥିବା ଥାନା ଅଧିକାରୀ ଶ୍ରୀ ପଧାନ ଓ ଏସଆଇ ଶ୍ରୀ ପଣ୍ଡାଙ୍କ ଠାରୁ ସୂଚନା ମିଲିଛି ।
Sign in
Sign in
Recover your password.
A password will be e-mailed to you.
Prev Post
Next Post