ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଆସିକା ପଢାଲ ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ଜନ୍ମ କଲା ପୁଅସାଜିଲା ସାଇତାନ । ନିଜ ବାପାକୁ ଛୁରୀ ଭୁସି ହତ୍ୟା କଲା ନିଶାସକ୍ତ ପୁଅ । ଏହି ହତ୍ୟା କାଣ୍ଡଟି ଗତ ରାତିରେ ଘଟିଥିବା ବେଳେ ବାପା ଦେବରାଜ ନାହାକଙ୍କ ମୃତ୍ୟ ହୋଇଛି । ପ୍ରାଥମିକ ସୂଚନା ମୁତାବକ ଗତ ରାତିରେ କୌଣସି କାରଣକୁ କେନ୍ଦ୍ରକରି ମୃତ ଦେବରାଜ ଓ ତାଙ୍କ ପୁଅ ଅରୁଣ ନାହାକଙ୍କ ମଧ୍ୟରେ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା । ଅରୁଣ ନିଶାସକ୍ତ ଅବସ୍ଥାରେ ପ୍ରଥମେ ପରିବାରର ମା, ଭଉଣୀ ଙ୍କୁ ଆକ୍ରମଣ କରିଥିଲେ । ପରେ ରାଗ ଜର୍ଜରିତ ହୋଇ ନିଜ ବାପା ଦେବରାଜଙ୍କୁ ଗୋଟିଏ ଛୁରୀରେ ହାତକୁ ଆକ୍ରମଣ କରି ତଳେ ପକାଇ ଦେଇ ଛାତିକୁ ଆକ୍ରମଣ କରି ଫେରାର ହୋଇଯାଇଥିଲେ । ଦେବରାଜଙ୍କୁ ଚିକିତ୍ସା ନିମନ୍ତେ ପରିବାର ଲୋକେ ଆସିକା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ଆସିକା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିବା ସେପଟେ ଆଜି ସାଇଟିଫିକ ଟିମ ପହଁଚି ଛାନବିନ କରିବାର ସୂଚନା ରହିଥିବା ବେଳେ ପାରିବାରିକ କଳହକୁ କେନ୍ଦ୍ର କରି ଏହି ହତ୍ୟା କାଣ୍ଡ ଘଟିଥିବା ସୂଚନା ମିଳିଛି । ସେପଟେ ହତ୍ୟାକାରୀ ପୁଅକୁ ଖୋଜୁଛି ପୋଲିସ ।