ଡାକ୍ତର ନିଯୁକ୍ତି ପାଇଁ ଦାବୀ କଲେ ଅଞ୍ଚଳବାସୀ

0 104

ଦଶପଲ୍ଲା : ଦେଶ ସ୍ୱାଧିନତାର ଅମୃତ ମହୋତ୍ସବ ପାଳନ କରୁଥିବାବେଳେ ଦଶପଲ୍ଲା ବ୍ଲକ୍‌ର ଆଦିବାସୀ ବହୁଳ ପଞ୍ଚାୟତଗୁଡ଼ିକ ବିଭିନ୍ନ ମୌଳିକ ସୁବିଧା,ସୁଯୋଗ ପାଇବାରୁ ବଞ୍ଚିତ ହେଉଥିବା ଦେଖିବାକୁ ମିଳୁଛି । ଦଶପଲ୍ଲା ବ୍ଲକ୍‌ ସୀମାନ୍ତବର୍ତ୍ତୀ କୁଜାମେଣ୍ଢି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଉପଯୁକ୍ତ ଚିକିତ୍ସା ସେବା ମିଳୁ ନ ଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳର ଏକ ପ୍ରତିନିଧି ମଣ୍ଡଳୀ ଜିଲ୍ଲାପାଳଙ୍କୁ ଫେରାଦ୍‌ ହୋଇଛନ୍ତି । ଅଭିଯୋଗ ଅନୁଯାୟୀ , ଏହି ସ୍ୱାସ୍ଥ୍ୟକେନ୍ଦ୍ର ଉପରେ କୁଜାମେଣ୍ଢି ପଞ୍ଚାୟତ ସମେତ କନ୍ଧମାଳ ଜିଲ୍ଲାର କିଛି ପଞ୍ଚାୟତବାସୀ ନିର୍ଭରଶୀଳ । ବଣପାହାଡ଼ ଘେରା ଅଞ୍ଚଳରେ ସ୍ଥାନୀୟ ଲୋକମାନେ ବିଭିନ୍ନ ସମୟରେ ମ୍ୟାଲେରିଆଠାରୁ ଆରମ୍ଭ କରି ଜ୍ୱର , ଝାଡ଼ା ଭଳି ରୋଗରେ ଆକ୍ରାନ୍ତ ହୋଇଥାନ୍ତି । ପଞ୍ଚାୟତଠାରୁ ଦଶପଲ୍ଲାର ଦୂରତା ପ୍ରାୟ ୬୦କିମିରୁ ଊର୍ଦ୍ଧ୍ୱ ହୋଇଥିବାରୁ ଚିକିତ୍ସା ପାଇଁ ଅଞ୍ଚଳବାସୀ ଏହି ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରିଥାନ୍ତି । ତେବେ ବହୁବର୍ଷ ଧରି ସ୍ୱାସ୍ଥ୍ୟକେନ୍ଦ୍ରରେ ଆବଶ୍ୟକ ସଂଖ୍ୟକ କର୍ମଚାରୀ ନିଯୁକ୍ତି ହେଉନାହାନ୍ତି । ଜଣେ ଫାର୍ମାସିଷ୍ଟ ଓ ଜଣେ ୱାର୍ଡ ଆଟେଣ୍ଡାଣ୍ଟ ରହିଥିବା ବେଳେ ଡାକ୍ତର ନିଯୁକ୍ତି ପାଇଁ ବହୁବର୍ଷ ଧରି ଦାବି ହେବା ପରେ କିଛିମାସ ତଳେ ଜଣେ ଡାକ୍ତରଙ୍କୁ ନିଯୁକ୍ତ କରାଯାଇଛି । ମାତ୍ର ସଂପୃକ୍ତ ଡାକ୍ତର ସ୍ୱାସ୍ଥ୍ୟକେନ୍ଦ୍ରକୁ ନିୟମିତ ଭାବରେ ଆସୁ ନ ଥିବା ଅଭିଯୋଗ ହୋଇଛି । ନିଯୁକ୍ତି ପରେ ତାଙ୍କୁ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପ୍ରତି ସପ୍ତାହରେ ଗୋଟିଏ ଦିନ ପାଇଁ ଡେପୁଟେସନ୍‌ରେ ପଠାଯାଉଛି । ଅବଶିଷ୍ଟ ଦିନଗୁଡ଼ିକରୁ କେତେବେଳେ ଦିନେ ତ ପୁଣି କେତେବେଳେ ୨ ଦିନ ପାଇଁ ସେ ଡ୍ୟୁଟିକୁ ଆସୁଥିବାରୁ ଆବଶ୍ୟକ ଚିକିତ୍ସା ସେବା ମିଳିପାରୁ ନ ଥିବା ଅଭିଯୋଗ ହେଉଛି । କୁଜାମେଣ୍ଢି ସ୍ୱାସ୍ଥ୍ୟକେନ୍ଦ୍ରରେ ନିୟମିତ ଡାକ୍ତର ଏବଂ ନର୍ସ ନିଯୁକ୍ତି ପାଇଁ ଅଞ୍ଚଳବାସୀ ଜିଲ୍ଲାପାଳଙ୍କ ନିକଟରେ ଦାବୀ କରିଛନ୍ତି ।

hiranchal ad1
Leave A Reply

Your email address will not be published.

11 + eighteen =