ପୁରୀ : ଆଜିଠାରୁ ଆରମ୍ଭ ହୋଇଛି ମହାଧାର୍ମିକ କାର୍ତ୍ତିକ ମାସର ପଞ୍ଚୁକ ବ୍ରତ । ପଞ୍ଚୁକର ପ୍ରଥମ ଦିନରେ ମହାପ୍ରଭୁ ଲକ୍ଷ୍ମୀନାରାୟଣ ବେଶରେ ଦର୍ଶନ ଦେଇଥିବା ବେଳେ ଦୀର୍ଘ ଦୁଇବର୍ଷର ପ୍ରତୀକ୍ଷା ପରେ ଏହି ଦୁର୍ଲଭ ବେଶ ଦର୍ଶନ କରିଛନ୍ତି ଲକ୍ଷାଧିକ ଶ୍ରଦ୍ଧାଳୁ । ଭକ୍ତଙ୍କ ପ୍ରବଳ ଭିଡକୁ ଦୃଷ୍ଟିରେ ରଖି ପୋଲିସ ବ୍ୟବସ୍ଥା ଏବଂ ବ୍ୟାରିକେଡକୁ କଡାକଡି କରାଯାଇଥିବା ବେଳେ ଭିଡ଼ ଭିତରେ କିନ୍ତୁ ଭକ୍ତମାନେ ଅଣନିଶ୍ୱାସୀ ହୋଇଛନ୍ତି । କେବଳ ସିଂହଦ୍ୱାରରେ ପ୍ରବେଶ ଏବଂ ତିନି ଦ୍ୱାରରେ ପ୍ରସ୍ଥାନ ହୋଇଥିବାରୁ ବ୍ୟବସ୍ଥାରେ ଶ୍ରଦ୍ଧାଳୁ ଅସନ୍ତୁଷ୍ଟ ହୋଇଛନ୍ତି ।ସେପଟେ ଚତୁର୍ଦ୍ଧାବିଗ୍ରହଙ୍କ ନୀତିକାନ୍ତି ଶୃଙ୍ଖଳିତ ଭାବେ ଅନୁଷ୍ଠିତ ହୋଇଛି । ଆସନ୍ତାକାଲି ପଞ୍ଚୁକର ଦ୍ୱିତୀୟ ଦିନରେ ମହାପ୍ରଭୁ ବାଙ୍କଚୂଡ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ । ପଞ୍ଚୁକର ପ୍ରଥମ ଦିନରେ ଲକ୍ଷ୍ମୀନାରାୟଣ ବେଶରେ ଦର୍ଶନ ଦେଲେ କଳାଠାକୁର । ଦୀର୍ଘଦୁଇ ବର୍ଷ ପରେ ବେଶ ଦର୍ଶନକରି ଭାବବିହ୍ୱଳ ହେଲେ ଶ୍ରଦ୍ଧାଳୁ । ଲକ୍ଷ୍ମୀନାରାୟଣ ବେଶ ବା ଠିଆକିଆ ବେଶ ଦର୍ଶନ କରି କୃତକୃତ୍ୟ ବ୍ରତଧାରୀ ଓ ହବିଷ୍ୟାଳି । ସକାଳୁ ସକାଳୁ ମହାପ୍ରଭୁଙ୍କ ଦ୍ୱାରଫିଟା ପରେ ମଙ୍ଗଳ ଆଳତି, ମଇଲମ,ତଡପଲାଗି ଓ ଅବକାଶ ନୀତି ଶେଷ ହେବାପରେ ଲକ୍ଷ୍ମୀନାରାୟଣ ବେଶ ବା ଠିଆକିଆ ବେଶ ଅନୁଷ୍ଠିତ ହୋଇଥିଲା । ପୁଷ୍ପାଳକ ସେବକ ମାନେ ମହାପ୍ରଭୁଙ୍କୁ ଏହି ଦୁର୍ଲଭ ବେଶରେ ବିଭୂଷିତ କରିଥିବା ବେଳେ ମହାପ୍ରଭୁ ଶ୍ରୀଜଗନ୍ନାଥ ଶ୍ରୀଭୂଜ,ଶଙ୍ଖଚକ୍ର,ବଡଭାଇ ବଳଭଦ୍ର ହଳ ମୂଷଳ ଧାରଣ କରିଥିଲେ । ଏତଦବ୍ୟତୀତ ସୁନାବେଶ ଭଳି ଏହି ବେଶରେ ଠାକୁରମାନଙ୍କ ମସ୍ତକରେ ସୁବର୍ଣ୍ଣ କିଆ ଠିଆ ବାଗରେ ଖଞ୍ଜା ହୋଇଥାଏ । ସେଥିପାଇଁ ଏହି ବେଶର ନାମ ହେଲା ଠିଆକିଆ ବେଶ । ସେପଟେ ଆଷାଢ଼ ଶୁକ୍ଳ ଏକାଦଶୀ ତିଥିରୁ ମହାପ୍ରଭୁ ନିଦ୍ରା ଯାଇଥିବା ବେଳେ କାର୍ତ୍ତିକ ଶୁକ୍ଳପକ୍ଷ ଏକାଦଶୀ ବା ବଡ ଏକାଦଶୀ ଆଜିର ତିଥିରେ ମହାପ୍ରଭୁ ନିଦ୍ରାଭଙ୍ଗ କରିଥାନ୍ତି । ଯାହାକୁ କି ହରିଉଥାପ୍ପନ ଏକାଦଶୀ କୁହାଯାଏ । ସେପଟେ ଗତ ୨୫ ଦିନଧରି ରାଇଦାମୋଦରଙ୍କୁ ପୂଜା କରୁଥିବା ହବିଷ୍ୟାଳିମାନେ ଆଜିଠାରୁ ଚଉରା ମୂଳେ ଲକ୍ଷ୍ମୀନାରାୟଣଙ୍କୁ ପୂଜା କରିଛନ୍ତି ।ମୁରୁଜରେ କପୋତ କପୋତି ସ୍ଥାନରେ ବଗବଗୁଲି ଆଙ୍କି ପଞ୍ଚକ ବ୍ରତ ପାଳୁଛନ୍ତି ହବିଷ୍ୟାଳି । ସେପଟେ ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶକୁ ଦର୍ଶନ କରି ବେଶ୍ ଖୁସି ପ୍ରକଟ କରିଛନ୍ତି ହବିଷ୍ୟାଳି ଓ ଶ୍ରଦ୍ଧାଳୁ ।