ଏସ୍‌ଟିଏଫ୍‌କୁ ବଡ଼ ସଫଳତା, ବାଘ ଚମଡା ଜବତ ,ଶିକାରୀ ଗିରଫ

0 167

ଦଶପଲ୍ଲା,୬/୧୧: – ଦଶପଲ୍ଲା ବନାଂଚଳ ପାଲଟିଛି ବନ୍ୟପ୍ରାଣୀ ଶିକାରୀଙ୍କ ଚରାଭୂଇଁ । ଶିକାରୀମାନେ ଯୋଜନାବଦ୍ଧ ଭାବରେ ପ୍ରତିଦିନ କିଛିନା କିଛି ଅଘଟଣ ଘଟାଉଥିଲେ ମଧ୍ୟ, ବନବିଭାଗ ଜାଣିଶୁଣି ନିରବ ରହିବାଯୋଗୁଁ , ଶିକାରୀ ମାନେ ନିର୍ବିଘ୍ନରେ ବାଘ, ଚିତାବାଘ, ହରିଣ, ନେପାଳୀ ମୂଷା, ଉଡ଼ନ୍ତା ଗୁଣ୍ଡୁଚି, ବାଘ ବିରାଡ଼ି, ଶାଳିଆପତନୀ, ପାହାଡିଗୋଧି, ବଜ୍ରକାପ୍ତା,ବାର୍‌ହା ଭଳି ବନ୍ୟପ୍ରାଣୀ ଶିକାରକରି ବାହାର ରାଜ୍ୟକୁ ଚାଲାଣ କରି ଲକ୍ଷ ଲକ୍ଷ ଟଙ୍କା ଲାଭ କରୁଛନ୍ତି । ବିଗତ କିଛିମାସ ଧରି ଦୈନିକ ହୀରାଞ୍ଚଳ ସମେତ ବିଭିନ୍ନ ସମ୍ବାଦପତ୍ରରେ, ବାରମ୍ବାର ସମ୍ବାଦ ପ୍ରକାଶ ପାଇବା ପରେ ଗତକାଲି ସ୍ୱତନ୍ତ୍ର ଟାସ୍କଫୋର୍ସ ବା ଏସଟିଏଫ୍‌କୁ ମିଳିଛି ବଡ଼ ସଫଳତା । ଏକା ସାଙ୍ଗରେ ଚିତାବାଘ, ହରିଣ, ଶାଳିଆପତିନି ଚମଡାସହ ବଜ୍ରକାପ୍ତା କାତି ଓ ବାରହାଦାନ୍ତ ଜବତ କରିଛି ଏସଟିଏଫ୍‌ । ଏହି ଘଟଣାରେ ଏସଟିଏଫ୍‌ ପକ୍ଷରୁ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଗିରଫ ବ୍ୟକ୍ତିଙ୍କ ନାମ ଭାଗବତ ମାଝୀ ଓରଫ ରମେଶ ( ୩୫ ) ଓ ତାଙ୍କ ଘର ସ୍ଥାନୀୟ ଭୋଗବାଡି ଗ୍ରାମରେ ବୋଲି ପୋଲିସ ସୂତ୍ରରୁ ଜଣାପଡ଼ିଛି । ସୂଚନାଯୋଗ୍ୟ ଯେ ଗୁଇନ୍ଦା ସୂତ୍ରରୁ ଖବରପାଇ ଏସଟିଏଫ୍‌ ଇନ୍ସପେକ୍ଟର ଜଗନ୍ନାଥ ପ୍ରସାଦ ସାହୁଙ୍କ ନେତୃତ୍ୱରେ ସଦଳବଳେ ଦଶପଲ୍ଲା ଥାନା ଭୋଗବାଡ଼ି ଗ୍ରାମର ଭାଗବତଙ୍କ ଘର ଉପରେ ଚଢାଉ କରାଯାଇଥିଲା । ଏହି ଚଢାଉ ସମୟରେ ଭାଗବତଙ୍କ ଠାରୁ ଦୁଇଟି ଚିତାବାଘ ଛାଲ ଜବତ କରିବାସହ ଗୋଟିଏ ହରିଣଚମଡା, ଗୋଟିଏ ଶାଳିଆ ପଡ଼ିନି ଛାଲ ସହ ୧୧୫ଟି ବଜ୍ରକାପ୍ତା କାତି ଓ ଦୁଇଟି ବାରହା ଦାନ୍ତ ଜବତ କରିଛି । ଜବତ ସମୟରେ ବାଘଛାଲରେ ଦୁଇଟି ସ୍ଥାନରେ ଗୁଳିବିଦ୍ଧ ହୋଇଥିବା ଏସଟିଏଫ୍‌ ଟିମ୍‌ ଜାଣିବାକୁ ପାଇଛି । ଦୀର୍ଘଦିନ ଧରି ଭାଗବତ ଏହି ଛାଲ ବେପାର କରିଆସୁଥିବା ଏସଟିଏଫ୍‌ ସୂତ୍ରରୁ ଜଣାପଡ଼ିଛି । ଏହି ଘଟଣାରେ ଏସ ଟିଏଫ୍‌ ପକ୍ଷରୁ ୨୫ / ୨୦୨୨ରେ ଏକ ମୋକଦ୍ଦମା କରାଯାଇ ଭାରତୀୟ ଦଣ୍ଡବିଧି ଆଇନର ଧାରା ୩୭୯ , ୪୧୧ , ୧୨୦ ( ବି ) ଓ ୨୫ / ୨୭ ଆର୍ମସ୍‌ ଆକ୍ଟ ସହ ଜଙ୍ଗଲଜନ୍ତୁ ସୁରକ୍ଷା ଆଇନର ଧାରା ୫୧ରେ ମୋକଦ୍ଦମା ରୁଜୁ କରି ତଦନ୍ତ ଜାରି ରଖିଛି । ତେବେ ଦେଖିବାକୁ ବାକି ରହିଲା, କେବେ ହେଉଛି, ଅନ୍ୟ ଅଭ୍ୟାସଗତ ଶିକାରୀ ଓ ବ୍ୟବସାୟୀଙ୍କ ଉପରେ ଏସ୍‌ଟିଏଫ୍‌ ଚଢାଉ ।

hiranchal ad1
Leave A Reply

Your email address will not be published.

eleven + sixteen =