ବୌଦ୍ଧ,୭/୧୧- ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ମାଉଲସିଙ୍ଗାସ୍ଥିତ ଜାନକୀ ଭିକାରୀ ଉଚ୍ଚ ବିଦ୍ୟାଳୟରେ ଜିଲ୍ଲାସ୍ତରୀୟ ୭୨ ତମ ଭାରତ ସ୍କାଉଟସ ଓ ଗାଇଡର ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଜିଲ୍ଲା ମୁଖ୍ୟ କମିଶନର ସ୍କାଉଟ ଓ ଗାଇଡ ତଥା ବୌଦ୍ଧ ଜିଲ୍ଲା ଶିକ୍ଷାଧୀଶ ଡକ୍ଟର ଉଦୟନାଥ ମାଝୀ ମୁଖ୍ୟଅତିଥି ଭାବେ ଯୋଗଦେଇ ସ୍କାଉଟ ଓ ଗାଇଡର ପ୍ରତିଷ୍ଠାତା ବେଡେନ ପାୱେଲଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ଓ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ସର୍ବଧର୍ମ ପ୍ରାର୍ଥନା, ପତାକା ଉତ୍ତୋଳନ କରାଯାଇ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା । ଜିଲ୍ଲା ସଂପାଦକ ସ୍କାଉଟ ଓ ଗାଇଡ ଆନନ୍ଦ କୁମାର ବେହେରା ଅତିଥି ପରିଚୟ ପ୍ରଦାନ କରିବା ସଙ୍ଗେସଙ୍ଗେ ସ୍ୱାଗତ ଭାଷଣ ଦେଇଥିଲେ । ମୁଖ୍ୟ ଅତିଥି ଶ୍ରୀ ମାଝୀ ବିଦ୍ୟାଳୟ ସ୍ତରରେ ସ୍କାଉଟ ଓ ଗାଇଡର ଆବଶ୍ୟକତା ଏବଂ ଛାତ୍ରଛାତ୍ରୀମାନେ ନିଜକୁ ସେବା କ୍ଷେତ୍ରରେ କିପରି ନିୟୋଜିତ କରିବା ସଙ୍ଗେ ସଙ୍ଗେ ଭବିଷ୍ୟତରେ କିପରି ସୁନାଗରିକ ଭାବେ ନିଜକୁ ଗଢିତୋଳିବେ ସେ ବିଷୟରେ ପରାମର୍ଶ ଦେଇଥିଲେ । ବିଦ୍ୟାଳୟର ପ୍ରଧାନଶିକ୍ଷକ ଚିତ୍ତରଞ୍ଜନ ମେହେର ସମ୍ମାନୀତ ଅତିଥି ଭାବେ ଯୋଗଦେଇ ସ୍କାଉଟ ଓ ଗାଇଡ କିପରି ଛାତ୍ରଛାତ୍ରୀଙ୍କୁ ସେବା ସହିତ ନିଜକୁ ସୁଶୃଙ୍ଖଳିତ କରିଥାଏ ଓ ଏହା କିପରି ଶାରୀରିକ, ମାନସିକ, ବୌଦ୍ଧିକ, ଆଧ୍ୟାତ୍ମିକ, ନୈତିକ ଓ ସାମାଜିକ କ୍ଷେତ୍ରରେ ସମାଜ, ଦେଶ ତଥା ଜାତିର ବିକାଶରେ ସହାୟକ ହୋଇଥାଏ ସେ ଦିଗରେ ଦିଗଦର୍ଶନ ଦେଇଥିଲେ । କାର୍ଯ୍ୟକ୍ରମକୁ ଡିଓସି ସ୍କାଉଟ ଶଶାଙ୍କ ଶେଖର ଶାସିନୀ, ଡିଟିସି ସ୍କାଉଟ ସୁଧୀର କୁମାର ଭୋଇଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପରିଚାଳନା କରାଯାଇଥିଲା । ଏଥିରେ ଡିଓସି ଗାଇଡ ମମତା ଦାଶ, ଡିଟିସି ଗାଇଡ ଗାୟତ୍ରୀ ବେହେରା, ଗାଇଡ କ୍ୟାପଟେନ ଚନ୍ଦ୍ରମା ଯୋଶୀ, ସ୍କାଉଟ ମାଷ୍ଟର ତପନ ସାହୁ, ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ । ଶେଷରେ ଗାଇଡ କମିଶନର ପଦ୍ମଜା ପତି ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇ ‘ସ୍ୱଚ୍ଛ ଭାରତ ଅଭିଯାନ’ ଉପରେ ଏକ ସଚେତନତା ରାଲି କରାଯାଇଥିଲା ।