ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶକୁ ଦର୍ଶନ କଲେ ଲକ୍ଷାଧିକ ଭକ୍ତ

0 81

ପୁରୀ : ଆଜି ହେଉଛି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ଧର୍ମ ମାସର ଶେଷ ଦିବସରେ ଆଜି ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁ ବିଳମ୍ବିତ ରାତ୍ରିରୁ ପୁରୀ ସମୁଦ୍ର ଓ ବିଭିନ୍ନ ତୀର୍ଥପୁଷ୍କରିଣୀ ମାନଙ୍କରେ ଡ଼ଙ୍ଗା ଭସାଇବା ସହ ବୁଡ଼ ପକାଇଛନ୍ତି । ଆଜିର ଦିନରେ ଶ୍ରୀଜିଉ ମାନଙ୍କର ରାଜରାଜେଶ୍ୱର ବେଶରେ ଦର୍ଶନ କଲେ ଅଶେଷ ପୁଣ୍ୟ ମିଳିଥାଏ ବୋଲି ବିଶ୍ୱାସ ଥିବାରୁ ରାଜ୍ୟ ତଥା ରାଜ୍ୟ ବାହାରୁ ଲକ୍ଷାଧିକ ଭକ୍ତଙ୍କ ଭିଡ ଶ୍ରୀକ୍ଷେତ୍ରରେ ଜମିଥିବା ବେଳେ ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ପ୍ରତ୍ୟେକ ଓଡ଼ିଆଙ୍କ ଅନନ୍ୟ ପର୍ବ ଭାବେ ପରିଗଣିତ । ଧର୍ମମାସ କାର୍ତ୍ତିକର ଏହା ଶେଷ ଦିବସ ହୋଇଥିବାରୁ ମାସ ତ ମାମ ହବିଷ ବ୍ରତ ଧାରଣ କରିଥିବା ଭକ୍ତ ମାନେ ଆଜି ମହଦଧିରେ ବୁଡ଼ ପକାଇବା ସହ ଡ଼ଙ୍ଗା ଭସାଇ ବିଶେଷ ପୂଜାପାଠ କରିଛନ୍ତି । ଉତ୍କଳୀୟ ପରମ୍ପରା ଅନୁଯାଇ ଆଜିର ଦିନରେ ସାଧବ ପୁଅ ମାନେ ବାଣିଜ୍ୟ ପାଇଁ ବୋଇତରେ ଦୂର ଦୂରାନ୍ତକୁ ଗମନ କରୁଥିବାର ପରମ୍ପରାକୁ ବିଶ୍ୱାସ କରି ଆଜି ଡ଼ଙ୍ଗା ଭସାଯାଇଥାଏ । ଗ୍ରହଣ ନୀତି ପାଇଁ ଶ୍ରୀକ୍ଷେତ୍ର ପୁରୀରେ ଆଜି ଗତକାଲି ବିଳମ୍ବିତ ରାତ୍ରରୁ ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁ ପୁରୀ ସମୁଦ୍ର ଓ ବିଭିନ୍ନ ତୀର୍ଥ ପୁଷ୍କରିଣୀରେ କଦଳୀ ପଟୁକାରେ ନିର୍ମିତ ଡ଼ଙ୍ଗାରେ ଦୁବ, ବରକୋଳି ପତ୍ର, ଚାଉଳ, ଦୀପ, ଧୂପ, ପାନ ଓ ଗୁଆ ଆଦି ଦେଇ ଭସାଉଥିବାର ଦେଖିବାକୁ ମିଳିଥିଲା ।
ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କୁ ରାଜରାଜେଶ୍ୱର ବେଶ ବା ସୁନାବେଶରେ ଲକ୍ଷାଧିକ ଭକ୍ତ ଦର୍ଶନ କରିଛନ୍ତି । ଗ୍ରହଣ ନିତି ନିର୍ଘଣ୍ଟ ଅନୁସାରେ ଗତକାଲି ରାତି ୧୦ଟା ୫ରେ ମହାପ୍ରଭୁଙ୍କ ବଡସିଂହାର ବେଶ ହୋଇ ୧୦ଟା ୫୫ରେ ମହାପ୍ରଭୁ ପହୁଡ ହୋଇଥିଲେ । ରାତି ୧୨ଟା ୫ମିନିଟରେ ଦ୍ୱାର ଫିଟିବା ପରେ ମଙ୍ଗଳ ଆରତୀ, ମଇଲମ, ଓ ଅନ୍ୟାନ୍ୟ ନୀତି ବଢ଼ି ଅବକାଶ ନୀତି ସମ୍ପୂର୍ଣ୍ଣ ହେବା ପରେ ୨ଟା ୫୦ରେ ଶ୍ରୀଜୀଉମାନଙ୍କର ରାଜରାଜେଶ୍ୱର ବେଶ ଅନୁଷ୍ଠିତ ହୋଇଥିଲା । ୨ଟା ୫୫ରେ ଦ୍ୱାରପାଳ ପୂଜା ଓ ୩ଟା ୧୦ରେ ଗୋପାଳବଲ୍ଲଭ, ୪ଟା ୧୦ରେ ସକାଳ ଧୂପ ଶେଷ ହୋଇ ୪ଟା ୩୫ରେ ଭୋଗମଣ୍ଡପ ଶେଷ ହୋଇଛି । ୫ଟା ୧୦ରେ ବାଳଧୂପ ସରିବା ପରେ ଗ୍ରହଣ ଯୋଗୁଁ ନିତି ଅଟକିଛି । ମହାପ୍ରଭୁ ସୁନାବେଶ ଅର୍ଥାତ ରାଜାଧିରାଜ ବେଶରେ ସୁସଜ୍ଜିତ ହୋଇ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । ଭକ୍ତ ମାନେ ମାସ ତମାମ ହବିଷ ବ୍ରତ ସହ ପୂଜାର୍ଚ୍ଚନା କରିବା ପରେ ଆଜି ଧର୍ମ ମାସର ଶେଷ ଦିନରେ ମହଦଧିରେ ବୁଡ଼ ପକାଇ ଶ୍ରୀଜିଉଙ୍କୁ ଦର୍ଶନ ସହ କୈବଲ୍ୟ ଭୋଗ ପ୍ରାପ୍ତ କଲେ ମୋକ୍ଷପ୍ରାପ୍ତି ହୁଏ ବୋଲି ବିଶ୍ୱାସ ରହିଛି । ସେଥିପାଇଁ ଆଜି ଲକ୍ଷାଧିକ ସଂଖ୍ୟାରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସୁଅ ଶ୍ରୀକ୍ଷେତ୍ରରେ ଦେଖିବାକୁ ମିଳିଛି । ସେପଟେ ସୁରକ୍ଷା ଦୃଷ୍ଟିରୁ ପ୍ରାୟ ୪୫ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି । ଖାସକରି ଶ୍ରୀମନ୍ଦିରରେ ୩୬ପ୍ଲାଟୁନ ଫୋର୍ସ ସମୁଦ୍ରକୁଳରେ ୩ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି । ମହାପ୍ରଭୁଙ୍କ ସୁନାବେଶ ପାଇଁ ଭକ୍ତଙ୍କ ଗହଳି ଦୃଷ୍ଟିରୁ ଜଗନ୍ନାଥ ବଲ୍ଲଭ ନିକଟରୁ ଲମ୍ବା ବେରିକେଡ କରାଯାଇଛି ।

hiranchal ad1
Leave A Reply

Your email address will not be published.

2 + twelve =