ପ୍ରସ୍ତାବିତ ଚିନି କାରଖାନା ବାତିଲ ପରେ ଅଧିଗୃହୀତ ଜମି ଫେରସ୍ତ ପାଇଁ ଦାବି

0 64

ନବରଙ୍ଗପୁର,୧୦/୧୧: ନବରଙ୍ଗପୁର ତହସିଲ ଅନ୍ତର୍ଗତ ହିର୍ଲୀ ମୌଜାରେ ଚିନିକଳ ସ୍ଥାପନ ପାଇଁ ୧୯୯୦ ମସିହାରେ ପ୍ରାୟ ୮୦.୪୧ ଏକର ଜମି ବିଭିନ୍ନ ଚାଷୀ ଓ ମାଲିକ ମାନଙ୍କ ଠାରୁ ଅଧିଗ୍ରହଣ କରାଯାଇଥିଲା ଏବଂ କ୍ଷତି ପୂରଣ ମଧ୍ୟ କରାଯାଇଥିଲା । କେତକ କାରଣ ବଶତଃ ପ୍ରସ୍ତାବିତ ଚିନି କଳ ପ୍ରତିଷ୍ଠା କାର୍ଯ୍ୟ ପରବର୍ତ୍ତୀ ସମୟରେ ବାତିଲ କରାଗଲା । ସ୍ଥାନୀୟ ତହସିଲଦାରଙ୍କ ଚିଠି ସଂଖ୍ୟା ୭୫୦/୯୫ ତାରିଖ ୧୩.୦୨.୧୯୯୫ ମୁତାବକ ଦେଉଳା ଆରଆଇଙ୍କୁ ନିର୍ଦ୍ଦେଶ ଦିଆଗଲା କି, କୌଣସି ଚାଷୀ ଯଦି ନିଜ ଜମି ଫେରସ୍ତ ଚାହାନ୍ତି ତାହାହେଲେ ପ୍ରଦାନ କରାଯାଇଥିବା ଟଙ୍କା ଫେରସ୍ତ କରି ନିଜ ଜମି ଫେରାଇ ନେଇପାରିବେ । ଉକ୍ତ ଅଧିଗୃହିତ ଜମି ଓ ଡଙ୍ଗରରେ ପୂର୍ବରୁ ମାଲିକମାନେ ପ୍ରତିବର୍ଷ ଧାନ, ମାଣ୍ଡିଆ, ଅଳସି ଓ ବିରି ଭଳି ଫସଲ ଅମଳକରି ନିଜ ନିଜ ପରିବାର ପ୍ରତିପୋଷଣ କରି ଆସୁଥିଲେ । ଅଧିଗ୍ରହଣ ହେବାପରେ ସେହି ସମସ୍ତ ଜମି ପଡ଼ିଆ ହୋଇ ପଡ଼ିଛି । ବର୍ତ୍ତମାନ ସୁଦ୍ଧା ଖାଲି ପଡ଼ିଥିବା ଜମିର ମାଲିକ ମାନେ ଦୀର୍ଘ ୨୫ ବର୍ଷ ହେବ ବିଭିନ୍ନ ସମୟରେ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠ ଠାରୁ ଆରମ୍ଭକରି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଦାବିପତ୍ର ପ୍ରଦାନ କରି ଆସିଛନ୍ତି ଯେ ପ୍ରସ୍ତାବିତ ଚିନି କାରଖାନାରେ ଦିଆଯାଇଥିବା ଟଙ୍କା ଫେରସ୍ତ କରି ନିଜ ନିଜ ପୌତ୍ରିକ ଜମି ଫେରସ୍ତ ନେବା ପାଇଁ । ନୂତନ ଜମି ଅଧିଗ୍ରହଣ ଆଇନ ୨୦୧୩ ପ୍ରକାରେ ଅଧିଗୃହୀତ ଜମି ଫେରସ୍ତ ପାଇଁ ସର୍ବ ଅଲେଖ ଚନ୍ଦ୍ର ତ୍ରିପାଠୀ, ପ୍ରଣତି ତ୍ରିପାଠୀ, ନଦିଆ ଚାନ୍ଦ ସାହୁ, ଜି.ରାମା ରାଓ, ରାମ ଭରନ୍‌ ଗୁପ୍ତା, ସି ଏଚ ଶ୍ରୀଧର ରାଓ, ନରସିଂହ ପାତ୍ର, ଡମ୍ବରୁ ହରିଜନ, ଅର୍ଜୁନ ଜାନି, କୁନ୍ତଳା ଖୂରା, ଏମଡି. ରାଜ ବେଗ, ଏମଡି. ମମତାଜ ବେଗ, ଅବଦୁଲ୍‌ ଅଜିଜ, ରୂପଧର ହରିଜନ, ଜି.ଇସ୍ପର ରାଓ, ଗିରିଧର ହରିଜନ ଓ ପ୍ରଦୀପ କୁମାର ସାହୁଙ୍କ ସହ ଅନେକ ଭୂମି ହରାଇଥିବା ଚାଷୀ ଆଜି ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଦାବିପତ୍ର ପ୍ରଦାନ କରି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ଅନୁରୋଧ କରିଛନ୍ତି ।

hiranchal ad1
Leave A Reply

Your email address will not be published.

15 − 5 =