ନୂଆଦିଲ୍ଲୀ: ଗତକାଲି ବାଲିଠାରେ ଜି-୨୦ ଶିଖର ସମ୍ମିଳନୀ ଅବସରରେ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ଓ ତାଙ୍କର ଭାରତୀୟ ପ୍ରତିପକ୍ଷଙ୍କ ମଧ୍ୟରେ ହୋଇତିବା ଭେଟଘାଟ ତଥା ଆଲୋଚନାରୁ ମିଳିଚି ସୁଫଳ । ଆଲୋଚନା ପରେ ସୁନକ ଭାରତକୁ ଏକ ବଡ଼ ଭେଟି ଦେଇଛନ୍ତି । ଏହି ଭେଟି ହେଉଛି ଭାରତୀୟଙ୍କୁ ଭିସା ପ୍ରଦାନ । ପ୍ରତିବର୍ଷ ୩,୦୦୦ ଭାରତୀୟ ଯୁବ ଗବେଷକଙ୍କୁ ଭିସା ଯୋଗାଇଦେବ ବ୍ରିଟେନ୍ । ଏହି ସ୍ମିମରେ ବ୍ରିଟେନରୁ ଭିସା ସୁବିଧା ପାଇବାରେ ଭାରତ ହେବ ପ୍ରଥମ ଦେଶ । ୟୁକେ-ଭାରତ ମଧ୍ୟରେ ପ୍ରବାସୀ ସମ୍ପର୍କକୁ ମଜଭୁତ କରିବା ଉଦ୍ଦେଶ୍ୟରେ ଏହି ନିଷ୍ପତ୍ତି ନିଆଯାଇଥିବା ବ୍ରିଟିସ ସରକାର କହିଛନ୍ତି । ଗତବର୍ଷ ହୋଇଥିବା ୟୁକେ-ଇଣ୍ଡିଆ ମାଇଗ୍ରେସନ୍ ଏବଂ ମୋବିଲିଟି ପାର୍ଟନର୍ସିପ୍ ରାଜିନାମାର ମହତ୍ୱ ଉପରେ ଗୁରୁତ୍ୱାରୋପ କରି ବ୍ରିଟିସ୍ ସରକାର କହିଛନ୍ତି, ଏହି ଯୋଜନାରୁ ଲାଭ ପାଇବାରେ ଭାରତ ହେଉଛି ପ୍ରଥମ ‘ଭିସା-ନ୍ୟାସ୍ନାଲ୍’ ଦେଶ । ‘ଜି୨୦ ଶିଖର ସମ୍ମିଳନୀରେ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ୍ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବାର କିଛି ସମୟ ପରେ ଡାଉନିଙ୍ଗ୍ ଷ୍ଟ୍ରିଟ୍ରେ ଉପରୋକ୍ତ ଘୋଷଣା କରାଯାଇଛି । ଇଣ୍ଡୋନେସିଆରେ ଆରମ୍ଭ ହୋଇଥିବା ଜି-୨୦ ଶିଖର ସମ୍ମିଳନୀରେ ଭାଗ ନେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେବେ ଏହି ସମ୍ମିଳନୀ ପ୍ରଥମ ଦିନରେ ପ୍ରଥମଥର ପାଇଁ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ରୁଷି ସୁନକ ଓ ମୋଦିଙ୍କ ଭେଟ୍ଘାଟ ହୋଇଛି । ଭାରତୀୟ ବଂଶୋଦ୍ଭବ ରୁଷି ସୁନକ ବ୍ରିଟେନ୍ର ପ୍ରଧାନମନ୍ତ୍ରୀ ହେବା ପରେ ତାଙ୍କ ସହ ଏହା ହେଉଛି ମୋଦିଙ୍କ ପ୍ରଥମ ସାକ୍ଷାତ । ଏହି ଭେଟ୍ଘାଟ ବେଳେ ଦୁହେଁ ବେଶ୍ କିଛି ସମୟ ଧରି ଆଲୋଚନା କରିଥିଲେ ।