ଘୁ.ଉଦୟଗିରି:- କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଲକ ପ୍ରେକ୍ଷାଳୟ ଠାରେ ସ୍ଥାନୀୟ ଟିପିଏସଓଡିଏଲର ବିଦ୍ୟୁତ୍ କାର୍ଯ୍ୟାଳୟ ଅଧିକାରୀ ଏସଡିଓ ଶ୍ୟାମ ସୁନ୍ଦର ବେହେରାଙ୍କ ତତ୍ତ୍ୱାବଧାନରେ ବିଦ୍ୟୁତ୍ କର୍ମଚାରୀଙ୍କ ସୁରକ୍ଷିତ କର୍ମ ସମ୍ପାଦନ କରିବା ନିମନ୍ତେ ପ୍ରତିଜ୍ଞା ବା ଶପଥ ଗ୍ରହଣ କରିବା ସହ ସୁରକ୍ଷା ସମ୍ବନ୍ଧିତ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ସବଡିଭିଜନ ବିଦ୍ୟୁତ୍ କାର୍ଯ୍ୟାଳୟ ଅନ୍ତର୍ଗତ ଟିକାବାଲି,ରାଇକିଆ, ଘୁ.ଉଦୟଗିରି, ଚକାପାଦ କାର୍ଯ୍ୟାଳୟର ବିଦ୍ୟୁତ୍ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ରହି ନିଜ କାର୍ଯ୍ୟ ସମ୍ପାଦନ ସମୟରେ ସୁରକ୍ଷିତ ରହି କାମ କରିବା ନିମନ୍ତେ ପ୍ରତିଜ୍ଞା ନେଇଥିଲେ । ସମସ୍ତ ବିଦ୍ୟୁତ୍ କର୍ମଚାରୀ କାମ କରିବା ସମୟରେ କିପରି ନିଜକୁ ପ୍ରଥମେ ସୁରକ୍ଷିତ ରଖିପାରିବେ ସେଥିପ୍ରତି ଗୁରୁତ୍ୱ ପୂର୍ଣ୍ଣ ନୀତି ନିୟମ ପାଳନ କରିବା ସମ୍ପର୍କରେ ଅବଗତ ହୋଇଥିଲେ । ମୁଖ୍ୟତଃ ସୁରକ୍ଷିତ ରହିବା ନିମନ୍ତେ ପ୍ରଥମେ ବିଦ୍ୟୁତ୍ ସମ୍ବନ୍ଧିତ ବସ୍ତୁ ଗୁଡ଼ିକୁ ଠିକ ଭାବରେ ପରଖିବା ଓ ଅନୁଧ୍ୟାନ କରିବା ପରେ ସ୍ପର୍ଶ କରିବା , କର୍ମଚାରୀ ନିଜେ ସୁରକ୍ଷିତ ରହିଥିବା ନିଶ୍ଚିତ କଲାପରେ, ଉତ୍ତମ ସିଡ଼ି, ଉଚିତ୍, ବିଦ୍ୟୁତ୍ ଉପକରଣ ବ୍ୟବହାର ଦ୍ୱାରା କାର୍ଯ୍ୟ ସମ୍ପାଦନ କରିବା ନେଇ ଟାଟା ପାୱାର କର୍ପୋରେସନ ସୁରକ୍ଷା ବିଭାଗ ତରଫରୁ ଟିମ୍ ଲିଡର ଗଙ୍ଗାଧର ସାହୁଙ୍କ ନେତୃତ୍ୱରେ ବିକାଶ ରଞ୍ଜନ ସାହୁ, ଦିନେଶ କୁମାର ସାହୁ ପ୍ରମୁଖ ବିଭିନ୍ନ ବିଷୟ ଉପରେ ତାଲିମ ପ୍ରଦାନ କରିଥିଲେ । ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ପ୍ରତିଜ୍ଞା ନେବା ଓ ତାଲିମ ଶିବିରରେ କନ୍ଧମାଳ ଜିଲ୍ଲା ଓ ଭଞ୍ଜନଗର ବିଦ୍ୟୁତ୍ କାର୍ଯ୍ୟାଳୟର ଉଚ୍ଚ ପଦସ୍ଥ ଅଧିକାରୀ ତଥା ଫୁଲବାଣୀ ଅଧିକ୍ଷଣ ଯନ୍ତ୍ରୀ ମନୋଜ କୁମାର ମହାନ୍ତି , ଭଞ୍ଜନଗର ଅଧିକ୍ଷଣ ଯନ୍ତ୍ରୀ ନୃସିଂହ ନାରାୟଣ ପଣ୍ଡା, ଘୁ.ଉଦୟଗିରି ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ୟାମସୁନ୍ଦର ବେହେରା, ସହକାରୀ ନିର୍ବାହୀ ଯନ୍ତ୍ରୀ ଜୟଦେବ ସାହୁ ଫିରିଙ୍ଗିଆ, ସ୍ଥାନୀୟ ସହକାରୀ ଯନ୍ତ୍ରୀ କରମଜିତ୍ ଦାସ, ଟିକାବାଲି ସହକାରୀ ଯନ୍ତ୍ରୀ ଅନିଲ କୁମାର ପରିଡ଼ା, ରାଇକିଆ ସହକାରୀ ଯନ୍ତ୍ରୀ ପ୍ରଭାତ କୁମାର ଷଡ଼ଙ୍ଗୀ, ଫୁଲବାଣୀ ସହକାରୀ ଯନ୍ତ୍ରୀ କାଳୀ ନନ୍ଦ ଉପସ୍ଥିତ ରହିବା ସହ ନିଜ ନିଜ ଅନୁଭୂତି ବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ କାର୍ଯ୍ୟାଳୟ ଅନ୍ୟ କର୍ମଚାରୀ ମାନେ ସହଯୋଗ କରିଥିଲେ ।