ବାଲିଗୁଡ଼ା: ଗଞ୍ଜେଇ ଚାଷର ମୂଳ ପୋଛ କରିବାକୁ ଅଣ୍ଟା ଭିଡ଼ିଛି କନ୍ଧମାଳ ପୋଲିସ୍ । ଦ୍ୱିତୀୟ ପର୍ଯ୍ୟାୟରେ ପୁଣି ନଷ୍ଟ ହେଲା ୧୧ କୋଟି ୫୦ ଲକ୍ଷ ଟଙ୍କାର ବେଆଇନ୍ ଗଞ୍ଜେଇ ଗଛ । ୧୧୫ ଏକର ଜଙ୍ଗଲ ଜମିରେ ବେଆଇନ୍ ଭାବେ ଚାଷ ହୋଇଥିବା ଗଞ୍ଜେଇ ବାଡ଼କୁ ନଷ୍ଟ କରିଛି ପୋଲିସ୍ ଓ ଅବକାରୀ ବିଭାଗର ମିଳିତ ଟିମ୍ । କନ୍ଧମାଳ ଏସପିଙ୍କ ନିର୍ଦ୍ଦେଶକ୍ରମେ ବାଲିଗୁଡ଼ା ଏସଡିପିଓ ଜି.ରାଘବେନ୍ଦ୍ର ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଅଞ୍ଚଳରେ ଜାରି ରହିଛି ଅପରେସନ ନୀଳ ଜହର । ବାଲିଗୁଡ଼ା ପୋଲିସ୍ ଓ ଅବକାରୀ ବିଭାଗ ପକ୍ଷରୁ ବାଲିଗୁଡ଼ା ଥାନା ଅନ୍ତର୍ଗତ ସିନ୍ଦ୍ରିଗାଁ ଗ୍ରାମ ପଞ୍ଚାୟତ ଅଞ୍ଚଳରେ ପୁଣିଥରେ ଚଢ଼ାଉ କରିଛି ପୋଲିସ୍ । ସିନ୍ଦ୍ରିଗାଁ ଗ୍ରାମ ପଞ୍ଚାୟତର ଗୁଦ୍ରାସାହି,ବାଲିପଦର ଓ ମେଣ୍ଡିପାଙ୍ଗା ଅଞ୍ଚଳରୁ ପୁଣି ୧୧୫ ଏକର ଜଙ୍ଗଲ ଜମିରେ ବେଆଇନ୍ ଭାବେ ଚାଷ ହୋଇଥିବା ଗଞ୍ଜେଇ ଗଛ କାଟିବା ସହ ସେଥିରେ ନିଆଁ ଲଗାଇ ପୋଡ଼ି ନଷ୍ଟ କରିଛି ପୋଲିସ୍ ଓ ଅବକାରୀ ବିଭାଗ । ଅଞ୍ଚଳରେ ବେଆଇନ୍ ଗଞ୍ଜେଇ ଚାଷ ଓ ଚାଲାଣରେ ରୋକ୍ ଲଗାଇବାକୁ ଏହି ପଦକ୍ଷେପ ଗ୍ରହଣ କରିଛି କନ୍ଧମାଳ ପୋଲିସ୍ । ଆଗାମୀ ଦିନରେ ମଧ୍ୟ ବାଲିଗୁଡ଼ାର ବିଭିନ୍ନ ଅଞ୍ଚଳରେ ଏହି ଅପରେସନ ଜୋରଦାର କରାଯିବ ଏବଂ ଗଞ୍ଜେଇ ମାଫିଆଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ୍ ପକ୍ଷରୁ ସୂଚନା ମିଳିଛି । ଏହି ଅପରେସନରେ ବାଲିଗୁଡ଼ା ଏସଡିପିଓ ଜି.ରାଘବେନ୍ଦ୍ର ରେଡ୍ଡୀ, ଥାନା ଅଧିକାରୀ ବାବାଶଙ୍କର ସରାଫ୍, ଅବକାରୀ ସବ୍ ଇନ୍ସପେକ୍ଟରଙ୍କ ସମେତ ସଶସ୍ତ୍ର ପୋଲିସ ବାହିନୀ ଓ ଅବକାରୀ କର୍ମଚାରୀ ସାମିଲ୍ ଥିଲେ ।