ଆଦର୍ଶ ଗୁରୁକୂଳ ପାଇଁ ଖୁବଶୀଘ୍ର ଭିତ୍ତିପ୍ରସ୍ତର ପଡିବ, ପଢିବେ ଶ୍ରୀମନ୍ଦିର ସେବାୟତଙ୍କ ପିଲା

0 55

ପୁରୀ :ଶ୍ରୀମନ୍ଦିର ସେବାୟତଙ୍କ ପିଲା ମାନଙ୍କ ପାଇଁ ବହୁ ପ୍ରତିକ୍ଷିତ ଆଦର୍ଶ ଗୁରୁକୂଳ ପାଇଁ ଖୁବଶୀଘ୍ର ଭିତ୍ତିପ୍ରସ୍ତର ପଡିବ । ମାଟି ତୋଟାରେ ୧୪ ଏକର ପରିମିତ ଜମିରେ ଆଦର୍ଶ ଗୁରୁକୂଳ ନିର୍ମାଣ ହେବ । ସେବାୟତ ପରିବାର ପିଲାଙ୍କ ପାଇଁ ୫୦ ପ୍ରତିଶତ ଓ ଅନ୍ୟ ବିଦ୍ୟାର୍ଥୀଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷିତ ରହିବ । ଆଜି ନିଳାଦ୍ରୀ ଭକ୍ତ ନିବାସରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ପ୍ରସ୍ତାବିତ ଗୁରୁକୂଳର ଡିଜାଇନ୍‌, ଶିକ୍ଷାଦାନ ପ୍ରଣାଳୀ ଓ ଏମଓୟୁ ସମ୍ପର୍କରେ ଆଲୋଚନା ହୋଇଥିଲା । ୨୦୨୪ ସୁଦ୍ଧା ଗୁରୁକୂଳ ସମ୍ପୂର୍ଣ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ।
ଶ୍ରୀମନ୍ଦିର ସେବାୟତ ପରିବାରର ବିଦ୍ୟାର୍ଥୀଙ୍କ ପାଇଁ ସ୍ୱତନ୍ତ୍ର ଭାବେ ଆଦର୍ଶ ଗୁରୁକୂଳ ନିମନ୍ତେ ଦୀର୍ଘ ବର୍ଷ ତଳେ ଯୋଜନା କରାଯାଇଥିଲା । ଗୁରୁକୂଳ ପାଇଁ ମାନ୍ୟବର ସୁପ୍ରିମକୋର୍ଟ ୬ କୋଟି ୧୯ ଲକ୍ଷ ୮୯ ହଜାର ଟଙ୍କା ଶ୍ରୀମନ୍ଦିର ପ୍ରଶାସନକୁ ଦେଇଛନ୍ତି । ଏଥିସହ ରାଜ୍ୟ ସରକାର ଅଭଡା ଯୋଜନାରେ ଗୁରୁକୂଳ ପାଇଁ ୨୦ କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି । ଆଦର୍ଶ ଗୁରୁକୂଳ ପାଇଁ ପ୍ରଥମେ ସୋସାଇଟି ଗଠନ, ମାଟି ତୋଟାରେ ୧୪ ଏକର ଜମି ଲିଜରେ ଯୋଗାଇ ଦିଆଯିବା ପରେ ବିର୍ଲା କମ୍ପାନୀ ସହ ବୁଝାମଣା ପତ୍ର ବା ଏମଓୟୁ ସ୍ୱାକ୍ଷର ହୋଇସାରିଛି । ଆଜି ଓବିସିସି ଓ ବିର୍ଲା କମ୍ପାନୀର ଅଧିକାରୀ ମାନେ କ୍ଷେତ୍ର ପରିଦର୍ଶନ କରିବା ପରେ ୧୯ ଏକର ଜମିର ଆବଶ୍ୟକତା ରହିଦଳଥିବା କହିଛନ୍ତି । ନର୍ସରୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସିବିଏସଇ ଢାଞ୍ଚାରେ ଶିକ୍ଷାଦାନ ସହ ସେବାୟତ ପରିବାର ବିଦ୍ୟାର୍ଥୀଙ୍କ ପାଇଁ ଅଧିକ ଦୁଇ ଘଣ୍ଟା ଆଧ୍ୟାତ୍ମିକ, ନୈତିକ, ମୂଲ୍ୟବୋଧ ଭିତ୍ତିକ ଶିକ୍ଷା ପ୍ରଦାନ କରାଯିବାକୁ ବ୍ୟବସ୍ଥା ହୋଇଛି ।
ଆଦର୍ଶ ଗୁରୁକୂଳ ନେଇ ଦୀର୍ଘ ଦିନରୁ ଦାବି ହେବା ସହ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ବାରମ୍ବାର ଆଲୋଚନା କରାଯାଇଛି । ୧୪ ଏକର ପରିମିତ ଜମିରେ ରହିଥିବା ଜବରଦଖଲକୁ ଉଛେଦ କରିବା ପାଇଁ ଜିଲ୍ଲାପାଳ ଓ ଏସପି ପ୍ରତିଶ୍ରୁତି ଦେଇଛନ୍ତି । ଆଦର୍ଶ ଗୁରୁକୂଳରେ ସେବାୟତ ପରିବାରର ବିଦ୍ୟାର୍ଥୀ ମାନେ ଅଧ୍ୟୟନ କରିବା ଦ୍ୱାରା ଉପଯୁକ୍ତ ଶିକ୍ଷା ପାଇବା ସହ ଉଚ୍ଚତର ଶିକ୍ଷା ପାଇଁ ମନୋନିବେଶ କରିପାରିବେ । ୫୦ ପ୍ରତିଶତ ସିଟ୍‌ ସେବାୟତ ପରିବାର ବିଦ୍ୟାର୍ଥୀଙ୍କ ପାଇଁ ସଂରକ୍ଷିତ ରହିବ । ପ୍ରାଚୀନ, ବୈଦିକ, ଧାର୍ମିକ ଓ ମହାନ୍‌ ଶ୍ରୀଜଗନ୍ନାଥ ସଂସ୍କୃତି ଉପରେ ସେବାୟତ ପରିବାରର ବିଦ୍ୟାର୍ଥୀଙ୍କୁ ସିବିଏସସି ଶିକ୍ଷା ବ୍ୟତୀତ ଅଧିକ ଦୁଇଘଣ୍ଟା ଶିକ୍ଷାଦାନ ଦିଆଯିବ । ଏଥିପାଇଁ ବିର୍ଲା ଏଜୁକେସନ ସୋସାଇଟି ସହଯୋଗ କରିବ । ଅବଶିଷ୍ଟ ୫୦ ପ୍ରତିଶତ ଅନ୍ୟ ସାଧାରଣ ମେଧାବୀ ବିଦ୍ୟାର୍ଥୀଙ୍କ ପାଇଁ ଉଦ୍ଦିଷ୍ଟ ରହିବ । ଗୁରୁକୂଳ ପାଇଁ ହୋଇଥିବା ଡିଜାଇନରେ ସାମାନ୍ୟ ପରିବର୍ତ୍ତନ କରାଯିବ । ଆସନ୍ତା ଅକ୍ଷୟ ତୃତୀୟା କିମ୍ବା ଗଣେଶ ଚତୁର୍ଥୀରେ ଆଦର୍ଶ ଗୁରୁକୂଳ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

18 − 10 =