ଖପ୍ରାଖୋଲ : ଦୁର୍ନୀତି ଓ ବିଭ୍ରାଟକୁ ଲୋକଲୋଚନକୁ ଆଣି ଗଣମାଧ୍ୟମ ଅକ୍ରୋଶ ଓ ଧମକର ଶିକାର ହେବା ଘଟଣା କ୍ରମଶଃ ବଢିବାରେ ଲାଗିଛି । ବଲାଙ୍ଗୀର ଜିଲ୍ଲାର ଖପ୍ରାଖୋଲ ବ୍ଲକରେ ଏହାର ଆଉ ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି । ଏହି ବ୍ଲକର ଓଡ଼ିଆପାଲି ଗ୍ରାମ ପଞ୍ଚାୟତରେ ଗ୍ରାମ୍ୟ ରାସ୍ତାର କଂକ୍ରିଟକରଣ କାର୍ଯ୍ୟରେ ନିମ୍ନମାନର କାର୍ଯ୍ୟ ହୋଇଥିବା ନେଇ ଗୁରୁତର ଅଭିଯୋଗ ହୋଇଥିଲା । ଏ ସଂପର୍କରେ ଦୈନିକ “ହୀରାଞ୍ଚଳ’ର ୧୪/୧୧/୨୦୨୨ ତାରିଖ ସଂଖ୍ୟାରେ “ରାସ୍ତା କାମ ନିମ୍ନମାନର ଅଭିଯୋଗ ପରେ ବି ପ୍ରଶାସନ ନିଷ୍କ୍ରିୟ’ ଶୀର୍ଷକ ଖବର ପ୍ରକାଶ ପାଇଥିଲା । ଏହି ଖବର ପ୍ରକାଶିତ ହେବା ପରେ କଂକ୍ରିଟକରଣ କାମ କରିଥିବା ଠିକଦାରଙ୍କ ଠାରୁ ସାମ୍ବାଦିକଙ୍କୁ ହତ୍ୟା ଧମକ ମିଳିଛି । ଠିକାଦାରଙ୍କ ଏଭଳି ଧମକ ଘଟଣାକୁ ନେଇ ସାମ୍ବାଦିକ ଓ ଅନ୍ୟ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ସାମ୍ବାଦିକ ମହଲ ଏହାର ନିନ୍ଦା କରିବା ସାଙ୍ଗକୁ ଏ ଦିଗରେ ବିହିତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ସୂଚନା ଅନୁସାରେ,ଖପ୍ରାଖୋଲ ବ୍ଲକ ଓଡ଼ିଆପାଲି ପଞ୍ଚାୟତ ଅଧିନସ୍ତ ଭାଲୁଡୁଙ୍ଗୁରିରୁ ମାଳପଡା ରାସ୍ତା କଂକ୍ରିଟକରଣ ନିମନ୍ତେ ତିନି ଲକ୍ଷ ଟଙ୍କା ମଞ୍ଜୁରୀ ହୋଇଥିଲା । ଏହି କାର୍ଯ୍ୟ ପାଇଁ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ବଳଭଦ୍ର ନାଏକଙ୍କ ନାମରେ କାର୍ଯ୍ୟାଦେଶ ରହିଛି । ଅତି ନିମ୍ନମାନର କାମ କରାଇ ଠିକାଦାର ଅର୍ଥ ଆତ୍ମସାତ କରିଥିବାର ଅଭିଯୋଗ ହୋଇଛି । ଠିକ ମାନରେ କାମ କରାଯାଇ ନ ଥିବାରୁ ତାହା ଦୁଇ ମାସ ପରେ ଫାଟି ଆଁ କରିଥିବା ଦେଖାଯାଇଛି । ଏହାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏଭଳି ଅନିୟମିତତା ସଂପର୍କରେ ଖବର ପ୍ରକାଶ କରିବାରୁ ସଂପୃକ୍ତ ସାମ୍ବାଦିକଙ୍କୁ ହତ୍ୟା ଧମକ ମିଳିଛି । ସରକାର ଲୋକଙ୍କ କଲ୍ୟାଣ ପାଇଁ ବିଭିନ୍ନ ଯୋଜନା ପ୍ରଚଳନ କରିଥିଲେ ହେଁ କେତେକ ଅସାଧୁ ସରକାରୀ କର୍ମଚାରୀ ତଥା ଅଧିକାରୀ ଓ ଠିକାଦାରଙ୍କ ବାଟମାରଣା କାର୍ଯ୍ୟ ଯୋଗୁ ଲୋକେ ଯୋଜନାର ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି । ସାମ୍ବାଦିକଙ୍କୁ ମାରିବାର ଧମକ ଦେଇ ଗଣମାଧ୍ୟାମର ସ୍ୱରକୁ ଚାପିଦେବାକୁ ଠିକାଦାରଙ୍କ ହୀନ ପ୍ରୟାସକୁ ଅଂଚଳରେ ଦୃଢ ନିନ୍ଦା କରାଯାଇଛି । ଏ ନେଇ ଜିଲ୍ଲାପାଳ ଦୃଷ୍ଟି ଦେଇ ଠିକାଦାରଙ୍କ କାର୍ଯ୍ୟର ତଦନ୍ତ କରି କାର୍ଯ୍ୟାୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି ।