ବଲାଙ୍ଗୀର : ହାଇକୋର୍ଟ ବେଞ୍ଚ୍ ଦାବୀରେ ଆଜି ପୁଣି ଥରେ ସରକାରୀ କାର୍ଯ୍ୟାଳୟ ସବୁ ବନ୍ଦ ରହିଛି । ବଲାଙ୍ଗୀର ଆକ୍ସନ କମିଟୀ ଆବାହକ ଗୋପାଲଜୀ ପାଣିଗ୍ରାହୀଙ୍କ ନେତୃତ୍ୱରେ ଜିଲ୍ଲାପାଳ, ପୋଷ୍ଟ ଅଫିସ୍, ଡିଏଫଓ, ସିଭିଲ କୋର୍ଟ ପ୍ରଭୃତି କାର୍ଯ୍ୟାଳୟରେ ପିକେଟିଙ୍ଗ୍ କରାଯାଇଥିଲା । ପରେ ଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ଅନୁଷ୍ଠିତ ପ୍ରତିବାଦ ସଭାରେ ବିଭିନ୍ନ ସାମାଜିକ ସାଂସ୍କୃତିକ ସଙ୍ଗଠନର ବହୁ ସଦସ୍ୟ ଯୋଗଦାନ କରି ବଲାଙ୍ଗୀର ଠାରେ ହାଇକୋର୍ଟ ବେଞ୍ଚ ସ୍ଥାପନ ଦାବୀର ଯଥାର୍ଥତା ରଖିଥିଲେ । ସେହିପରି ହାଇକୋର୍ଟ ବେଞ୍ଚ୍ ପ୍ରତିଷ୍ଠା ନିଷ୍ପତ୍ତି ବିଲମ୍ବକୁ କଡା ସମାଲୋଚନା କରି ତୁରନ୍ତ ପଦକ୍ଷେପ ନେବା ଉଚିତ୍ ବୋଲି ଆନ୍ଦୋଳନକାରୀ ନେତୃତ୍ୱମାନେ ମତ ପ୍ରକାଶ କରିଥିଲେ । ସୂଚନାଯୋଗ୍ୟ ଆକ୍ସନ କମିଟୀ ତରଫରୁ ଉକ୍ତ ଦାବୀରେ ପ୍ରତିମାସ ୩ୟ ଗୁରୁବାର ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ କରାଯାଉଛି । ଜିଲ୍ଲା ଓକିଲ ସଂଘ ସଭାପତି ଅମରେଶ ତ୍ରିପାଠୀ, ନାଗରିକ କମିଟୀ ସଂପାଦକ ମନୋରଞ୍ଜନ ସାହୁ, କୋଶଲବାଦୀ ଚାଷୀ ଓ ଶ୍ରମିକ ନେତା ବିଭୁଦତ୍ତ ମିଶ୍ର, ବରିଷ୍ଠ ଆଇନଜୀବୀ ଭବାନୀଶଙ୍କର ଶତପଥି, ରତନ ମହାରଣା, ନୀଳମଣି ମିଶ୍ର, ସରୋଜ୍ ପାଣିଗ୍ରାହୀ, ରାଜେନ୍ଦ୍ର ମିଶ୍ର, ଅଶୋକ ରାଉତ, ଡ. ବିପିନ କୁଶଲିଆ ଓ ଅନ୍ୟମାନେ ଯୋଗଦାନ କରିଥିଲେ ।