ଭୁବନେଶ୍ୱର: ରାଜ୍ୟରେ ଶୀତର ପ୍ରକୋପ ଧୀରେ ଧୀରେ ବଢୁଛି । ବିଶେଷତଃ ଆଭ୍ୟନ୍ତରୀଣ ଓଡିଶାରେ ଅଧିକ ଶୀତ ଅନୁଭୁତ ହେଉଛି । ରାଜ୍ୟର ୯ଟି ସହରର ତାପମାତ୍ରା ୧୪ ଡିଗ୍ରି ତଳେ ରହିଛି । ରାଜ୍ୟର ସର୍ବନିମ୍ନ ତାପମାତ୍ରା କୋରାପୁଟ ଜିଲ୍ଲାର ସେମିଳିଗୁଡ଼ାଠାରେ ରେକର୍ଡ ହୋଇଛି । ଏଠାରେ ତାପମାତ୍ରା ୭.୬ ଡିଗ୍ରି ରେକର୍ଡ କରାଯାଇଛି । ଏହାଛଡା ଜି. ଉଦୟଗିରିରେ ୮.୨ ଡିଗ୍ରି ଓ ଦାରିଙ୍ଗବାଡ଼ିରେ ତାପମାତ୍ରା ୧୦ ଡିଗ୍ରି ରେକର୍ଡ ହୋଇଛି । ଅପରପକ୍ଷରେ କୋରାପୁଟରେ ୧୦.୫, ଫୁଲବାଣୀରେ ୧୧, ଭବାନୀପାଟଣାରେ ୧୨, ସୁନ୍ଦରଗଡ ଜିଲ୍ଲା କିରେଇରେ ୧୨ ଡିଗ୍ରି, ସମ୍ବଲପୁର ଜିଲ୍ଲା ଚିପିଲିମାରେ ୧୩.୨ ଡିଗ୍ରି ଓ ଝାରସୁଗୁଡାରେ ସର୍ବନିମ୍ନ ତାପମାତ୍ରା ୧୩.୬ ଡିଗ୍ରି ସେଲସିୟଅସ୍ ରେକର୍ଡ ହୋଇଛି । କଟକ-ଭୁବନେଶ୍ୱରର ତାପମାତ୍ରା ମଧ୍ୟ ୧୭ ଡିଗ୍ରି ତଳକୁ ଖସିଛି । ଗତ ରାତିରେ କଟକର ରାତି ତାପମାତ୍ରା ୧୬.୬ ଡିଗ୍ରି ରହିଥିବା ବେଳେ ଭୁବନେଶ୍ୱରର ୧୬.୫ ଡିଗ୍ରି ରହିଥିଲା । ଏଣେ ରାଜ୍ୟରେ ଶୁଖିଲା ପାଗ ଜାରି ରହିବ ଏବଂ ଆଭ୍ୟନ୍ତରୀଣ ଅଞ୍ଚଳରେ ଶୀତ ଆଗାମୀ ୪ ରୁ ୫ ଦିନ ଯାଏଁ ରାତ୍ରି ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି । ରାତ୍ରି ତାପମାତ୍ରା ଆଗାମୀ ୪ ରୁ ୫ ଦିନ ଯାଏଁ ସ୍ୱାଭାବିକ ତାପମାତ୍ରା ଠାରୁ ୨ ରୁ ୪ ଡ଼ିଗ୍ରୀ ଯାଏଁ କମ୍ ରହିବାର ସମ୍ଭାବନା ରହିଛି ବୋଲି ଆକଳନ କରାଯାଇଛି ।