ବ୍ରହ୍ମପୁର,୧୭/୧୧: ବ୍ରହ୍ମପୁର ସହରର ଅନ୍ୟତମ ପୁରାତନ ଉଚ୍ଚ ଶିକ୍ଷାନୁଷ୍ଠାନ ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟରେ ହୋଇଥିବା ର୍ୟାଗିଂ ଘଟଣାରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି କଲେଜ କର୍ତ୍ତୃପକ୍ଷ । ର୍ୟାଗିଂ କରିଥିବା ସବୁ ଛାତ୍ରଙ୍କୁ ଟିସି ଦେଇ କଲେଜରୁ ବିଦା କରିବା ଲାଗି କର୍ତ୍ତୃପକ୍ଷ ଆଜି ନିଷ୍ପତ୍ତି ନେଇଛନ୍ତି । ଆଜି ସକାଳେ କଲେଜର ଡିସିପ୍ଲିନାରୀ କମିଟି ଓ ର୍ୟାଗିଂ ନିୟନ୍ତ୍ରଣ ସେଲ୍ର ବୈଠକ ବସିଥିଲା । ବୈଠକରେ ଏହି ନିଷ୍ପତ୍ତି ହୋଇଛି । ଏ ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇ କଲେଜ ଅଧ୍ୟକ୍ଷା କହିଛନ୍ତି ଯେ ଏହା ଏକ ଅତି ସମ୍ବେଦନଶୀଳ ଓ ସାଂଘାତିକ ଘଟଣା । ର୍ୟାଗିଂ କରିଥିବା ସବୁ ଛାତ୍ରଙ୍କୁ ପ୍ରତିକୂଳ ମନ୍ତବ୍ୟ ସହ ଟିସି ଦେଇ କଲେଜରୁ ବିଦା କରିଦିଆଯିବ । ଏଭଳି ପିଲାଙ୍କର କଲେଜରେ ଆଦୌ ସ୍ଥାନ ନାହିଁ । କାରଣ ସେମାନଙ୍କ ଯୋଗୁ କଲେଜ ବଦନାମ ହେଉଛି । ପୂର୍ବରୁ ଆମ କଲେଜରେ ଏଭଳି ଘଟଣା କେବେ ବି ଘଟି ନଥିଲା । ଦୃଷ୍ଟାନମୂଳକ କାର୍ଯ୍ୟାନୁଷ୍ଠାନ ବା ନିଷ୍ପତ୍ତି ନିଆ ନଗଲେ ସୁଧାର ଆସିବ ନାହିଁ । ତେଣୁ ଆମେ ଏଭଳି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛୁ ବୋଳି ସେ କହିଛନ୍ତି । ଗତକାଲି ଏହି ଘଟଣାରେ ୨ ଛାତ୍ର ଗିରଫ ହୋଇଥିବା ବେଳେ ଆଜି ୩ ଜଣ ଛାତ୍ରଙ୍କୁ ଗିରଫ କରିଛି ବ୍ରହ୍ମପୁର ପୋଲିସ । ଗିରଫ ୫ ଜଣ ଛାତ୍ରଙ୍କ ମଧ୍ୟରୁ ୨ ନାବାଳକ ଥିବା ଏସପି କହିଛନ୍ତି । ଦୁଇ ନାବାଳକଙ୍କୁ ଜୁଭେନାଇଲକୁ ହସ୍ତାନ୍ତର କରାଯିବା ନେଇ ବ୍ରହ୍ମପୁର ଏସପି ଶ୍ରବଣ ବିବେକ ଏମ. ସୂଚନା ଦେଇଛନ୍ତି । ସୂଚନା ଥାଉକି ଗତକାଲି ବିନାୟକ ଆଚାର୍ଯ୍ୟ କଲେଜର ଏକ ଭିଡିଓ ଭାଇରଲ ହୋଇଥିଲା । କଲେଜର କିଛି ଛାତ୍ରଛାତ୍ରୀ ଜଣେ ଛାତ୍ରୀଙ୍କୁ ରାଗିଂ କରିବାର ଏଥିରେ ଦେଖିବାକୁ ମିଳିଥିଲା । ଏଥିରେ ଛାତ୍ର ଜଣଙ୍କ ଅନ୍ୟ କିଛି ଛାତ୍ରଛାତ୍ରୀଙ୍କ ସହ ଅଶ୍ଳୀଳ ଭାଷା ପ୍ରୟୋଗ କରି ଗାଳିଦେବା ସହ ମାନସିକ ନିର୍ଯ୍ୟାତନା ଦେଉଥିବା ଦେଖିବାକୁ ମିଳିଥିଲା ।