ଚିକିତ୍ସାରେ ଅବହେଳା ଅଭିଯୋଗ କଲେ ପରିବାର ଲୋକେ : ମୃତ ଶିଶୁ ଜନ୍ମ ହେବାର ୭ ଦିନପରେ ଚାଲିଗଲେ ମାଆ

0 82

ଘୁ ଉଦୟଗିରି:ଘୁ.ଉଦୟଗିରି ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସ୍ଥାନୀୟ ପରିଷଦ ଅଞ୍ଚଳ ଅନ୍ତର୍ଗତ ୯ ୱାର୍ଡ଼ ସୁକୁମାର ମଲ୍ଲିକଙ୍କ ଧର୍ମପତ୍ନୀ କାମିନୀ ବେହେରାଙ୍କ ମୃତ୍ୟୁ ଘଟିଥିବା ବେଳେ ଚଳିତ ମାସ ୧୦ ତାରିଖରେ କାମିନୀ ବେହେରାଙ୍କ ଗର୍ଭରୁ ୮ ମାସର ମୃତ ଶିଶୁ ଜନ୍ମ ହୋଇଥିଲା । କିନ୍ତୁ ଶିଶୁଟି ଗର୍ଭରେ ୨ ଦିନ ହେବ ମରି ପଚି ଯାଇଥିବା ଅବସ୍ଥାରେ ଜନ୍ମ ହୋଇଥିବା ସୂଚନା ଦେଇ ଚିକିତ୍ସା ଅବହେଳାର ଅଭିଯୋଗ କରିଛନ୍ତି ପରିବାର ଲୋକେ । ସୂଚନା ଅନୁସାରେ ଚଳିତ ମାସ ୬ ତାରିଖରେ ମୃତ କାମିନୀ ଗର୍ଭରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କ ସ୍ୱାମୀ ସୁକୁମାର ମଲ୍ଲିକ ତାଙ୍କୁ ଘୁ. ଉଦୟଗିରି ଡାକ୍ତରଖାନାକୁ ନେଇଥିଲେ । ସେଠାରେ କାର୍ଯ୍ୟରତ ଡ଼ାକ୍ତର କମିନୀଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରିବା ପରେ ତାଙ୍କର ରକ୍ତଚାପ ଅଧିକରୁ ଅତ୍ୟଧିକ ରହୁଥିବା ଏବଂ ଜଟିଳତା ଅନୁଭବ କରି ତାଙ୍କୁ କନ୍ଧମାଳ ଜିଲ୍ଲା ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ । ସେଠାରେ କମିନୀଙ୍କୁ ଚିକିତ୍ସା କରାଯାଇଥିଲା ଏବଂ ତାଙ୍କୁ ୧୦ ତାରିଖରେ ମେଡ଼ିକାଲରୁ ସ୍ୱାସ୍ଥ୍ୟ ଭଲ ଥିବା କହି ଡିସଚାର୍ଜ କରାଯାଇଥିଲା । କିନ୍ତୁ କାମିନୀ ଫୁଲବାଣୀରୁ ନିଜ ବାସସ୍ଥାନ ଘୁ.ଉଦୟଗିରି ଆସିବା ପରେ ଗର୍ଭରେ ପୁଣି ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ସ୍ଥାନୀୟ ମେଡ଼ିକାଲରେ ଭର୍ତ୍ତି କରି ଚିକିତ୍ସିତ କରାଯାଇଥିବା ଅବସ୍ଥାରେ ତାଙ୍କ ଗର୍ଭରୁ ପଚି ଯାଇଥିବା ମୃତ ଶିଶୁ ଜନ୍ମ ହୋଇଥିଲା । ଏଠି ସାଧାରଣରେ ପ୍ରଶ୍ନ ଉଠିଛି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ କାମିନୀଙ୍କ ଗର୍ଭରେ ଶିଶୁଟି ମୃତ୍ୟୁ ବରଣ କରିଥିଲେ ସୁଦ୍ଧା ଚିକିତ୍ସା କରୁଥିବା ଡ଼ାକ୍ତର ଜାଣିପାରିଲେ ନାହିଁ କିପରି । ଏବଂ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବା ସତ୍ତେ୍ୱ କିପରି ସ୍ୱାସ୍ଥ୍ୟ ଭଲ ଅଛି କହି କାମିନୀଙ୍କୁ ସେଠାରୁ ପଠେଇଲେ । ସ୍ଥାନୀୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ମୃତ ଶିଶୁ ଜନ୍ମ ଦେବା ପରେ ମଧ୍ୟ କାମିନୀ ବିପଦମୁକ୍ତ ନଥିଲେ । ତାଙ୍କ ବିପି ସାମାନ୍ୟ ହେଉନଥିବାରୁ ୧୦ ତାରିଖ ଦିନ ହିଁ ଡ଼ାକ୍ତର ତାଙ୍କୁ ପୁଣି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ରେଫର କରିଥିଲେ । ସେଠାରେ କିଛିଦିନ ଚିକିତ୍ସା ହେବା ପରେ ୧୩ ତାରିଖରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଡ଼ାକ୍ତର ତାଙ୍କ ସ୍ୱାସ୍ଥ୍ୟ ସଂପୂର୍ଣ୍ଣ ଭଲ ଅଛି କହି ଡିସଚାର୍ଜ କରିଥିଲେ । କିନ୍ତୁ ପୁଣି ଦେହ ଖରାପ ଅନୁଭବ କରି ଆଜି ୧୮ ତାରିଖ ସକାଳ ୧୦ ଘଣ୍ଟିକା ସମୟରେ ତାଙ୍କ ସ୍ୱାମୀ ସ୍ଥାନୀୟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ କିନ୍ତୁ ଉଚ୍ଚ ରକ୍ତଚାପ ଥିବା କାମିନିଙ୍କ ଚିକିତ୍ସା କରାଯାଉଥିବା ଅବସ୍ଥାରେ ମୃତ୍ୟୁ ହୋଇଥିଲା । ଆଜି ମାଁ ମାରିଥିବା ବେଳେ ୭ ଦିନ ପୂର୍ବରୁ ଛୁଆ ମାରିଥିବା ଜଣାପଡିଛି । ଏହାକୁ ନେଇ ପରିବାର ଲୋକ ଉପଯୁକ୍ତ ଚିକିତ୍ସା ଅଭାବରୁ ଆଜି ୨ ଟି ଅମୂଲ୍ୟ ଜୀବନ ଚାଲିଯାଇଛି ଓ ଏଥି ପାଇଁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟ ଡ଼ାକ୍ତର ଦାୟୀ ବୋଲି ଅଭିଯୋଗ କରିଛନ୍ତି । ସାଧାରଣ ଜନତା ଆଜି ପ୍ରଶ୍ନ କରୁଛନ୍ତି ସରକାରଙ୍କ ମାଳ ମାଳ ସ୍ୱାସ୍ଥ୍ୟ ଯୋଜନା କାହାପାଇଁ ? କୋଟି କୋଟି ଟଙ୍କା ବ୍ୟୟ ବରାଦ କାହା ପାଇଁ ? ୪୦ ହଜାରରୁ ଉଦ୍ଧ୍ୱର୍ ଜନସଂଖ୍ୟା ବିଶିଷ୍ଟ ଘୁ.ଉଦୟଗିରି ବ୍ଲକ ଓ ଏନ ଏ ସି ଅନ୍ତର୍ଗତ ମେଡ଼ିକାଲ ରେ କୌଣସି ବିଭାଗରେ ବିଶେଷଜ୍ଞ ଡ଼ାକ୍ତର ନାହାନ୍ତି ଯାହା ଫଳରେ ଏପରି ଅନେକ ନିରୀହ ଜୀବନ ଚାଲିଯାଉଛି ବୋଲି ସେମାନେ ଅଭିଯୋଗ କରିଛନ୍ତି । ତେଣୁ ଆଗାମୀ ଦିନରେ ଏହି ହସ୍ପିଟାଲରେ ଜଣେ ବିଶେଷଜ୍ଞ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଉ ବୋଲି ସେମାନେ ଦାବି କରିଛନ୍ତି ।

hiranchal ad1
Leave A Reply

Your email address will not be published.

4 × 4 =