ଖପ୍ରାଖୋଲ: ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ପୋଲିସ ଶନିବାର ଅପରାହ୍ନରେ ଚଢାଉ କରି ୧୮ ଦାଦନ ଶ୍ରମିକ ଉଦ୍ଧାର କରିଥିବା ଜଣାଯାଇଛି । ସୂଚନା ଅନୁସାରେ ଖପ୍ରାଖୋଲ ପୋଲିସ ପେଟ୍ରୋଲିଂ କଲା ବେଳେ ହରିଶଙ୍କର ଛକ ନିକଟରେ ଏକ କ୍ରୁଜର ଗାଡ଼ି ( ଓଡି ୧୭ ସି ୦୮୨୩ )ରେ କିଛି ଶ୍ରମିକ ଥିବା ଦେଖି ଗାଡି ଅଟକାଇ ପଚରାଉଚୁରା କରିଥିଲେ । ଶ୍ରମିକମାନଙ୍କୁ ଏକ ଦଲାଲ ଆନ୍ଧ୍ରପ୍ରଦେଶ ଚାଲାଣ ପାଇଁ ଲାଠୋର ରେଳ ଷ୍ଟେସନକୁ ନିଆଯାଉଥିବା ଜାଣି ପୋଲିସ ସମସ୍ତଙ୍କୁ ଉଦ୍ଧାର କରି ଖପ୍ରାଖୋଲ ଥାନାକୁ ଆଣିଥିଲେ । ଉଦ୍ଧାର ଶ୍ରମିକମାନେ ବରଗଡ଼ ଜିଲ୍ଲା ଅତାବିରା ଥାନା ବନ୍ଧର ଗାଁର ବୋଲି ପୋଲିସ ସୂଚନା ଦେଇଛି । ଉଦ୍ଧାର ମଧ୍ୟରେ ପାଞ୍ଚ ଶିଶୁ ସମେତ ୧୦ ଜଣ ପୁରୁଷ ଏବଂ ୮ ଜଣ ମହିଳା ଥିବା ଜଣାଯାଇଛି । ଏନେଇ ଖପ୍ରାଖୋଲ ଥାନା କେଶ ନମ୍ବର ୯୩/୨୦୨୨ରେ ଏକ ମାମଲା ରୁଜୁକରି ଗାଡ଼ି ଅଟକ ରଖାଯାଇଥିବା ବେଳେ ଉଦ୍ଧାର ଶ୍ରମିକକୁ ନିଜ ଗାଁକୁ ପଠେଇ ଦିଆଯିବ ବୋଲି ଥାନା ଅଧିକାରୀ ରମାକାନ୍ତ ସାହୁ ସୂଚନା ଦେଇଛନ୍ତି ।