ବାଲିଗୁଡ଼ା:କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ସୁନେତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଏବିଇଓ ତଥା ବି.ଆର.ସି.ସି ସୁବାସିନୀ ଦିଗାଲ ଯୋଗଦେଇ ଥିଲେ । କୋଭିଡ ଯୋଗୁଁ ୨ବର୍ଷ ଧରି ବନ୍ଦ ଥିବା ସୁନେତ୍ର ବର୍ତ୍ତମାନ କରାଯାଇ ଛାତ୍ରଛାତ୍ରୀଙ୍କ ଚକ୍ଷୁ ପରୀକ୍ଷା କରାଇ ସେମାନଙ୍କ ଦୃଷ୍ଟି ଶକ୍ତି ଜାଣିବା ସହିତ ଦୃଷ୍ଟି ଶକ୍ତି କମ ଥିବା ଛାତ୍ରଛାତ୍ରୀଙ୍କୁ ଚଷମା ପ୍ରଦାନ କରିବା କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ବୋଲି ମୁଖ୍ୟ ଅତିଥି କହିଥିଲେ । ଏହି କାର୍ଯ୍ୟକ୍ରମରେ ୬ଟି କ୍ଲଷ୍ଟର ସିମନବାଡି, କିରୀକୁଟି, ବାଡ଼ା ବାଙ୍ଗା ତିଲୋରୀ, ବୁଡାଗୁଡ଼ା ଗୁମିକିଆ ଅଞ୍ଚଳର ୪୩୨ ଜଣ ଛାତ୍ରଛାତ୍ରୀ ନିଜ ନିଜ ଅଭିଭାବକ ଓ ଶିକ୍ଷକ ମାନେ ଉପସ୍ଥିତ ରହି ଚକ୍ଷୁ ପରୀକ୍ଷା କରାଇଥିଲେ । ସେମାନଙ୍କ ମଧ୍ୟରୁ ୧୦୧ ଜଣଙ୍କୁ ଚଷମାଦେବା ପାଇଁ ଚୟନ କରାଯାଇଥିବା ବେଳେ ୮ଜଣଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ପଠା ଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଚକ୍ଷୁ ବିଶେଷଜ୍ଞ ଡାକ୍ତର ଦେବଜିତ ଦାସ, ଚକ୍ଷୁ ସହାୟିକା ଡାକ୍ତର ଅର୍ଚ୍ଚନା ସ୍ୱାଇଁ, ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଚକ୍ଷୁ ସହାୟକ ଏସ.ଏ ଜାକିର, ରାଇକିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଚକ୍ଷୁ ସହାୟକ ସୁବାସିସ ପଣ୍ଡା ପ୍ରମୁଖ ଛାତ୍ରଛାତ୍ରୀଙ୍କ ଚକ୍ଷୁ ପରୀକ୍ଷା କରିଥିଲେ । ଦାରିଙ୍ଗବାଡ଼ି ବ୍ଲକ ଗୋଷ୍ଠୀ ସମ୍ବଳ ଶିକ୍ଷକ ମାନସ କୁମାର ଷଡ଼ଙ୍ଗୀ କାର୍ଯ୍ୟକ୍ରମର ପରିଚାଳନା କରିଥିବା ବେଳେ ବି.ଆର.ଟି ରଶ୍ମିତା ସେନାପତିଙ୍କ ସମେତ ୬ଟି କ୍ଲଷ୍ଟରର ସିଆରସିସି ମାନେ ସହଯୋଗ କରିଥିଲେ ।