ଫୁଲବାଣୀ : ଫୁଲବାଣୀ ସରକାରୀ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଯୁକ୍ତ ୨ର ପ୍ରଥମ ବର୍ଷର ଛାତ୍ର ଆୟୁଷ୍ମାନ ସୁବୁଦ୍ଧି କନ୍ଧମାଳ ଜିଲ୍ଲାପାଳ ପାଟିଲ ଆଶିଷ ଈଶ୍ୱର ଓ ତାଙ୍କ ପତ୍ନୀଙ୍କ ସୁନ୍ଦର ଓ ନିଖୁଣ ଭାବେ ପେନସିଲ ଆର୍ଟରେ ଚିତ୍ର ଆଙ୍କି ବେଶ ପ୍ରଶଂସିତ ହୋଇଛନ୍ତି । ଆୟୁଷ୍ମାନ ଓ ତାଙ୍କ ମାମୁଁ ଉମାଶଙ୍କର ମିଶି ଆଜି ଜିଲ୍ଲାପାଳ ପାଟିଲ ଆଶିଷ ଈଶ୍ୱରଙ୍କୁ କାର୍ଯ୍ୟାଳୟରେ ଭେଟି ଆଙ୍କିଥିବା ଏହି ଆର୍ଟ ପ୍ରଦାନ କରିଥିଲେ । ନିଜର ଓ ପତ୍ନୀଙ୍କ ଏହି ସୁନ୍ଦର ଆର୍ଟ ଦେଖି ଜିଲ୍ଲାପାଳ ପାଟିଲ ବେଶ ଖୁସି ବ୍ୟକ୍ତ କରିବା ସହ ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ । ଆୟୁଷ୍ମାନ ଶିଶୁ ଠାରୁ ଦଶମ ପର୍ଯ୍ୟନ୍ତ ଫୁଲବାଣୀ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ପଢୁଥିବା ସମୟରେ ଚିତ୍ରାଙ୍କନରେ ପାରଦର୍ଶୀ ଆଚାର୍ଯ୍ୟ ସୁରେଶ ମହାନ୍ତି ଓ ଶରତ ଚନ୍ଦ୍ର ଭୋଇଙ୍କ ନିଖୂଣ ଚିତ୍ର କଳାର ପ୍ରଭାବ ପଡିଥିଲା । ତେଣୁ ସେ ପ୍ରତ୍ୟହ ପାଠପଢା ସାଙ୍ଗକୁ ୨ ଘଣ୍ଟା ଚିତ୍ର ଆଙ୍କୁଥିଲେ । ଆୟୁଷ୍ମାନଙ୍କ ବାପା ରବୀନ୍ଦ୍ର ସୁବୁଦ୍ଧି ଜଣେ ସୁନା ବ୍ୟବସାୟୀ ଅଟନ୍ତି ।
ଆୟୁଷ୍ମାନଙ୍କୁ ଚିତ୍ର ଆଙ୍କିବାରେ ତାଙ୍କରି ମା, ବାପା ରବୀନ୍ଦ୍ର ଓ ମାମୁଁ ଉମାଶଙ୍କର ସର୍ବଦା ପ୍ରେରଣା ଯୋଗାଇ ଆସୁଥିଲେ ବୋଲି କହିଛନ୍ତି ଆୟୁଷ୍ମାନ । ଆୟୁଷ୍ମାନ ଗତ କିଛିବର୍ଷ ହେଲା ଏଭଳି ଅନେକ ଚିତ୍ର କରି ସମସ୍ତଙ୍କ ପ୍ରଶଂସା ସାଉଣ୍ଟିଛନ୍ତି । ଭବିଷ୍ୟତରେ ଏହା ନିଶ୍ଚୟ ଆୟୁଷ୍ମାନ ପାଇଁ ଏକ ପ୍ରେରଣାର ଉତ୍ସ ପାଲଟିବ ବୋଲି ସେ ଆଶା ପୋଷଣ କରିଛନ୍ତି ।