ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାରେ କାର୍ଯ୍ୟରତ ସାମ୍ବାଦିକମାନେ ଗଜପତି ଜିଲ୍ଲା ପ୍ରେସ କ୍ଳବର କାର୍ଯ୍ୟାଳୟ ଲାଗି କୋଠାଗୃହ ଯୋଗାଇ ଦେବା ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କୁ ସାକ୍ଷାତ କରି ସ୍ମାରକପତ୍ର ପ୍ରଦାନ କରିଛନ୍ତି । ସୂଚନାଯୋଗ୍ୟ ୧୬ ନଭେମ୍ବରରେ ପାଳିତ ଜାତୀୟ ପ୍ରେସ ଦିବସ ଅବସରରେ ଜିଲ୍ଲାରେ ପ୍ରେସ କ୍ଳବ ପାଇଁ ସ୍ଥାନ ପ୍ରଦାନ କରିବା ଲାଗି ଆଲୋଚନା ହୋଇଥିଲା । ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ପ୍ରେସ କ୍ଳବ ସ୍ଥାପନ ପାଇଁ ସ୍ଥାନ ନିରୂପଣ କରି ପ୍ରଶାସନକୁ ଜଣାଇଲେ ଜାଗା ପ୍ରଦାନ କରାଯିବ ବୋଲି କହିଥିଲେ । ଏହାକୁ ନେଇ ଗଜପତି ଜିଲ୍ଲା ପ୍ରେସ କ୍ଳବ ତଥା ସମସ୍ତ ସାମ୍ବାଦିକ ସ୍ଥାନୀୟ ପିଡବ୍ଲୁଡି ଡାକ ବଙ୍ଗଳାଠାରେ ସ୍ଥାନ ନିରୂପଣ ପାଇଁ ପ୍ରସ୍ଥାବ ବୈଠକ କରିଥିଲେ । ବୈଠକରେ ସହରର ତିନୋଟି ସ୍ଥାନ ଯଥା ପାରଳାଖେମୁଣ୍ଡି ଟାଉନ ହଲ ପରିସରରେ ବନ୍ଦ ହୋଇ ପଡିଥିବା ଗୋପୀନାଥ ନନ୍ଦ ପ୍ରାଥମିକ ବିଦ୍ୟାଳୟ,ସେହି ଟାଉନ ହଲ ପରିସରରେ ଥିବା ରାଟୋରି କ୍ଳବ କିମ୍ବା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟସ୍ଥ ବନ୍ଦ ପଡିଥିବା ଭିସାଟ କେନ୍ଦ୍ରକୁ ଚୟନ କରା ଯାଇଥିଲା । ଜିଲ୍ଲା ପ୍ରେସ କ୍ଳବ ପକ୍ଷରୁ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ସ୍ମାରକ ପତ୍ର ପ୍ରଦାନ କରି ଆଲୋଚନା କରିଥିଲେ । ସାମ୍ବାଦିକମାନଙ୍କ ପକ୍ଷରୁ ପ୍ରସ୍ତାବିତ ତିନି ଗୋଟି ସ୍ଥାନ ମଧ୍ୟରୁ ଟାଉନ ହଲ ପରିସରର ବନ୍ଦ ହୋଇ ପଡିଥିବା ଗୋପୀନାଥ ନନ୍ଦ ପ୍ରାଥମିକ ବିଦ୍ୟାଳୟ କୋଠା ଗୃହକୁ ଗଜପତି ପ୍ରେସ କ୍ଳବ କାର୍ଯ୍ୟାଳୟ କରିବା ପାଇଁ ଚୂଡାନ୍ତ କରା ଯାଇଥିବାର ଜିଲ୍ଲାପାଳ ଶ୍ରୀ ପଣ୍ଡା ଜଣାଇ ଥିଲେ । ଜିଲ୍ଲାପାଳଙ୍କ ତ୍ୱରିତ ପଦକ୍ଷେପକୁ ପ୍ରେସ କ୍ଳବ ପକ୍ଷରୁ ସାଧୁବାଦ ଜଣାଯାଇଛି । ଆଗାମୀ କିଛି ଦିନ ମଧ୍ୟରେ ବନ୍ଦ ଥିବା ଏହି କୋଠା ଗୃହକୁ ହସ୍ତାନ୍ତର ପ୍ରକ୍ରିୟା ସହ ଆବଶ୍ୟକୀୟ ମରାମତି କରାଯିବ ବୋଲି ଜଣାପଡ଼ିଛି ।