ବୌଦ୍ଧ,୨/୧୨ – ସ୍ଥାନୀୟ କଚେରୀ ଖେଳ ପଡିଆଠାରେ ଜିଲ୍ଲା ଜର୍ଣ୍ଣାଲିଷ୍ଟ ଫୋରମ ଦ୍ୱାରା ଆୟୋଜିତ ସପ୍ତଦଶ ବୌଦ୍ଧ ପୁସ୍ତକମେଳା ଶୁକ୍ରବାର ସନ୍ଧ୍ୟାରେ ଉଦ୍ଘାଟିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥିଭାବେ ବୌଦ୍ଧ ଜିଲ୍ଲାପାଳ ଶ୍ରୀଯୁକ୍ତ ସତ୍ୟରଞ୍ଜନ ସାହୁ ଓ ସମ୍ମାନୀତ ଅତିଥି ଭାବେ ଆରକ୍ଷୀ ଅଧୀକ୍ଷକ ପ୍ରହଲାଦ ସହାଇ ମିନା ଓ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ବବିତାରାଣୀ ଦଳବେହେରା ଯୋଗଦେଇଥିଲେ । ମା’ଭୈରବୀ ଓ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ଓ ପ୍ରଦୀପ ପ୍ରଜ୍ଜ୍ୱଳନ କରି ପୁସ୍ତକମେଳା ମଞ୍ଚ ଓ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଜିଲ୍ଲା ଜର୍ଣ୍ଣାଲିଷ୍ଟ ଫୋରମ ସଭାପତି ଦିବ୍ୟଶଙ୍କର ରାଉତ, ସାଧାରଣ ସଂପାଦକ ଯୁଗଳ କିଶୋର ସାମଲ, ଆବାହକ ସତ୍ୟଜିତ କୁମାର ପଣ୍ଡାଙ୍କ ସମେତ ଅନ୍ୟାନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ । ପୁସ୍ତକ ମେଳା ଉଦ୍ଘାଟନ ପୂର୍ବରୁ ପୁରୁଣାକଟକ ମା ଭୈରବୀଙ୍କ ପୀଠରୁ ଅଖଣ୍ଡ ଦୀପ ଅଣାଯାଇ ପୁସ୍ତକମେଳା ମଞ୍ଚରେ ସ୍ଥାପନ କରାଯାଇଥିଲା ।
ଉଦଘାଟନୀ ଉତ୍ସବ ପରେ ଅତିଥିମାନେ ବିଭିନ୍ନ ପୁସ୍ତକ ଷ୍ଟଲ ବୁଲି ଦେଖିଥିଲେ । ଏହାପରେ ‘ଓଡିଶାର ବିକାଶରେ ମହିଳାଙ୍କ ଭାଗିଦାରୀ’ ଶୀର୍ଷକ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଏହି ଆଲୋଚନାଚକ୍ରରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଦଳବେହେରା ଯୋଗଦେଇଥିବାବେଳେ ସମ୍ମାନୀତ ଅତିଥି ଭାବେ ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଜ୍ୟୋସ୍ନା ଭୋଇ, ବୌଦ୍ଧ ସିଡିପିଓ ମିନତୀ ଦେଓ, କଣ୍ଟାମାଳ ସିଡିପିଓ ଜ୍ୟୋସ୍ନା ପାଢୀ, ଏକ୍ସନଏଡ ସଂଯୋଜିକା ପ୍ରବୀଜ୍ଞା ଦାସ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଆଲୋଚନାଚକ୍ର ମଞ୍ଚକୁ ଫୋରମ୍ର ସଦସ୍ୟ ସତ୍ୟନାରାୟଣ ପାଣି ପରିଚାଳନା କରିଥିଲେ । ଶେଷରେ ଭାଗବତ ମେହେର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ବୌଦ୍ଧ ପୁସ୍ତକମେଳାରେ ୮୦ ରୁ ଉର୍ଦ୍ଧ୍ୱ ପୁସ୍ତକ ସମେତ ବିଭିନ୍ନ ଷ୍ଟଲ ଓ ସୁସ୍ୱାଦୁ ଖାଦ୍ୟ ଷ୍ଟଲ ମଧ୍ୟ ଖୋଲାଯାଇଛି । ବହୁସଂଖ୍ୟାରେ ପୁସ୍ତକପ୍ରେମୀ ନିଜ ମନପସନ୍ଦର ପୁସ୍ତକ କିଣୁଥିବାବେଳେ ସୁସ୍ୱାଦୁ ଖାଦ୍ୟର ମଧ୍ୟ ମଜା ନେଉଛନ୍ତି । ଉଦଘାଟନୀ ସନ୍ଧ୍ୟାରେ କେନ୍ଦ୍ରୀୟ ବିଦ୍ୟାଳୟ, ବୌଦ୍ଧ ଓ ସୁନ୍ଦରଗଡର ମୟୂରୀ ଅନୁଷ୍ଠାନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।