ଘନୀଭୂତ ହେଉଛି ବାତ୍ୟା ମେନ-ଣ୍ଡୋସ୍, ୯ ଓ ୧୦ରେ ଦକ୍ଷିଣ ଓଡ଼ିଶାରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ଘନୀଭୂତ ହେଉଛି ବାତ୍ୟା ମେନ-ଣ୍ଡୋସ୍। ଆଜି ସନ୍ଧ୍ୟା ସୁଦ୍ଧା ଆହୁରି ଘନୀଭୂତ ହୋଇ ଭୀଷଣ ବାତ୍ୟାର ରୂପନେବାର ସମ୍ଭାବନା ରହିଛି। ଏହାର ସିଧା ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ। କିନ୍ତୁ ବାତ୍ୟାର ବାହ୍ୟ ବଳୟ ପ୍ରଭାବରେ ଆସନ୍ତା ୯ ଓ ୧୦ ତାରିଖରେ ଦକ୍ଷିଣ ଓଡ଼ିଶାରେ କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ। ପାଣିପାଗ ବିଜ୍ଞାନୀଙ୍କ କହିବା ଅନୁସାରେ ୯ ତାରିଖ ସକାଳ ସାଢ଼େ ୮ଟାରୁ ୧୦ ତାରିଖ ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ମାଲକାନଗିରି, କୋରାପୁଟ, ଗଜପତି, ନବରଙ୍ଗପୁର, ରାୟଗଡ଼ା, କନ୍ଧମାଳ ଓ ଗଞ୍ଜାମ ଜିଲ୍ଲାରେ କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଠିକ୍ ସେହିପରି ୧୦ ତାରିଖ ସକାଳ ସାଢ଼େ ୮ଟାରୁ ୧୧ ତାରିଖ ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା ଓ ଗଜପତି ଜିଲ୍ଲାରେ କେତେକ ସ୍ଥାନରେ ବର୍ଷା ହେବାର ଆଶଙ୍କା କରାଯାଉଛି ବୋଲି ପାଣିପାଗ ବିଜ୍ଞାନୀ ଶ୍ରୀ ଦାସ କହିଛନ୍ତି।