ଥରୁଛି କନ୍ଧମାଳ ; ଫୁଲବାଣୀରେ ୬.୬ ଡିଗ୍ରୀ ଓ ଦାରିଙ୍ଗବାଡିରେ ୮.୫ ଡିଗ୍ରୀ ସେଲସିୟସ

0 231

ଫୁଲବାଣୀ:କିଛି ଦିନର ବ୍ୟବଧାନ ପରେ କନ୍ଧମାଳକୁ ପୁଣି ଶୀତ ଫେରିଛି । ସମଗ୍ର କନ୍ଧମାଳ ଏବେ ଜାଡରେ ଥରୁଛି । ପାରଦ ଦିନକୁ ଦିନ ଖସିବାରେ ଲାଗିଛି, ଫଳରେ ଥଣ୍ଡାର ପ୍ରକୋପ ମଧ୍ୟ ବଢିବାରେ ଲାଗିଛି ତା ସାଙ୍ଗକୁ ସକାଳ ୯ଟା ଯାଏ ଘନ କୁହୁଡ଼ି ମଧ୍ୟ ଲାଗି ରହୁଛି । ଆଜି ଫୁଲବାଣୀରେ ୬.୬ ଡିଗ୍ରୀ ଥିବା ବେଳେ ଓ ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡିରେ ତାପମାତ୍ରା ୮.୫ ଡିଗ୍ରୀକୁ ଖସି ଆସିଛି । ସେହିପରି ଜି ଉଦୟଗିରିରେ ଥିବା କୃଷି ବିଭାଗର ଏଗ୍‌ରୋମେଟ୍‌ ଫିଲ୍ଡ ୟୁନିଟ୍‌ ତାପମାତ୍ରା ରେକର୍ଡ ଅନୁସାରେ ୬ ଡିଗ୍ରୀ ସେଲସିୟସ ରହିଥିବା ଜଣାପଡ଼ିଛି । ଗତକାଲି ଗୁରୁବାର ଫୁଲବାଣୀରେ ୯ ଡିଗ୍ରୀ ଓ ଦାରିଙ୍ଗବାଡ଼ିରେ ୧୦ ଡିଗ୍ରୀ ସେଲସିୟସ ଥିଲା । ଏବେ ଘନ କୁହୁଡିର ଚାଦର ତଳେ ସାରା କନ୍ଧମାଳ । କୁହୁଡି ଯୋଗୁ ମୁହଁକୁ ମୁହଁ ଦେଖାଯାଉନି ।

hiring

ଫଳରେ ସକାଳ ୯ଟା ପୂର୍ବରୁ ଘରୁ ପଦାକୁ ବାହାରି ପାରୁନାହାନ୍ତି ଲୋକେ । ସେପଟେ ସଞ୍ଜ ନଇଁବା କ୍ଷଣି ଥଣ୍ଡା ମାଡି ଆସୁଛି । ଫଳରେ ରାସ୍ତାଘାଟ ମଧ୍ୟ ଜନଶୁନ୍ୟ ହୋଇ ପଡୁଛି । ତା ସାଙ୍ଗକୁ ଦୋକାନ ବଜାର ବି ଖାଁ ଖାଁ ଲାଗୁଛି । କି ବୁଢା କି ପିଲା ସଭିଏ ଏବେ ନିଆଁ ଜାଳି ନିଆଁ ପାଖରେ ଦିନ ରାତି ବସି ରହୁଛନ୍ତି । ଦିନ ମଜୁରିଆ ମାନେ ଥଣ୍ଡା ଯୋଗୁଁ କାମକୁ ଯାଇ ପାରୁନାହାନ୍ତି । ଆଗକୁ ଆହୁରି ତାପମାତ୍ରା ଖସିବାର ସମ୍ଭାବନା ରହିଛି । ଥଣ୍ଡା ବଢିବା ଫଳରେ ଏବେ ଗରମ ପୋଷାକର ମଧ୍ୟ ଚାହିଦା ବଢିବାରେ ଲାଗିଛି । ଫଳରେ ଗାଁରୁ ସହର ଯାଏ ଗରମ ପୋଷାକର ପସରା ମେଲିଥିବା ଦେଖାଯାଉଛି । ଲୋକେ ମଧ୍ୟ ଗରମ ପୋଷାକ କିଣାକିଣି କରୁଥିବା ଦେଖିବାକୁ ମିଳୁଛି । ସେହିପରି ଜ଼ିଲ୍ଲା ର ଜି ଉଦୟଗିରି ବ୍ଲକରେ ମଧ୍ୟ ଥଣ୍ଡାର ପ୍ରକୋପ ବଢ଼ିବାରେ ଲାଗିଛି । ଏପରିକି ଗାଈ ଗୋରୁ ମଧ୍ୟ ନିଆଁ ମୂଳେ ଥିବାର ଦେଖିବାକୁ ମିଳିଛି ।

hiranchal ad1
Leave A Reply

Your email address will not be published.

ten − two =