କଟନୀ ଛଟନୀକୁ ବିରୋଧ, ବଲାଙ୍ଗୀର-ସୋନପୁର ରାସ୍ତା ଅବରୋଧ କଲେ ଚାଷୀ

0 122

ବଲାଙ୍ଗୀର : ଧାନମଣ୍ଡିରେ କଟନୀ ଛଟନୀକୁ ବିରୋଧ କରି ପୁଇଁତଲା ବ୍ଳକ ଚାଷୀମାନେ ବଲାଙ୍ଗୀର-ସୋନପୁର ରାସ୍ତା ଅବରୋଧ କରି ପ୍ରତିବାଦ କରିଛନ୍ତି । ଏନ୍‌ଏଚ ୫୭ ମଲମୁଣ୍ଡା ଠାରେ ଶହ ଶହ ଚାଷୀ ରାସ୍ତା ଉପରେ ବସି ମଣ୍ଡିମାନଙ୍କରେ କଟନୀ ବନ୍ଦ ଦାବୀ କରିଛନ୍ତି । ରାସ୍ତାର ଉଭୟ ପାର୍ଶ୍ୱରେ ଯାନ ବାହାନ ଅଟକି ରହିଥିଲା । ଯାତାୟତ ସଂପୂର୍ଣ୍ଣ ଠପ୍‌ ହୋଇଯାଇଥିଲା । ସବୁ ରାଜନୈତିକ ଦଳର ଚାଷୀ ନେତାମାନେ ଅଂଶ ଗ୍ରହଣ କରିଥିଲେ । ଆନ୍ଦୋଳନ ସ୍ଥଳରେ ପୁଇଁତଲା ତହସିଲଦାର ପୋଲିସ ଉପସ୍ଥିତିରେ ବୁଝାଶୁଝା କରିଛନ୍ତି । ଆନ୍ଦୋଳନରତ ନେତୃବର୍ଗଙ୍କ ଅଭିଯୋଗ ଅନୁସାରେ, ବ୍ଳକର ସମସ୍ତ ମଣ୍ଡିମାନଙ୍କରେ ଆଖିବୁଜା ୫/୭ କେଜି କଟନୀ ଛଟନୀ କରାଯାଉଛି । କେବଳ ଆଦ୍ରତା ମାପ ଯନ୍ତ୍ର ଅଛି କିନ୍ତୁ ଏଫ୍‌ଏକ୍ୟୁ ମାନ ଆଳରେ ଚାଷୀଙ୍କୁ ଶୋଷଣ କରାଯାଉଥିବା ସେମାନେ ଅଭିଯୋଗ କରିଛନ୍ତି । ଯଦି ସମାଧାନ ନ ହୁଏ ଆଗକୁ ଆହୁରୀ ଜୋରଦାର ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି । ବିବେକାନନ୍ଦ ପଟେଲ, ଦେବୀଲାଲ ମିଶ୍ର, ଅରୁଣ ମେର୍ଲି, ମଧୁସୂଦନ କ୍ଷେତି, ଲକ୍ଷ୍ମଣ ପାତ୍ର, ସାନନ୍ଦ ମିଶ୍ର ଓ ଅନ୍ୟମାନେ ଅଂଶ ଗ୍ରହଣ କରିଥିଲେ । ଜିରୋ କଟନୀ ଓ ଅମାନ୍ୟ ହେଲେ କଡା କାର୍ଯ୍ୟାନୁଷ୍ଠାନ ବୋଲି ମନ୍ତ୍ରୀ କହୁଥିବା ବେଳେ ଏଠି ସେଠି ସବୁଠାରେ ଖୋଲା ଖୋଲି କଟନୀ ହେଉଛି । ମନ୍ତ୍ରୀ, ସରକାର ଓ ବଡ଼ ବାବୁମାନେ କିପରି ଜାଣି ପାରୁ ନାହିଁନ୍ତି । ସରକାର ଓ ତାଙ୍କ କଳ ହୋସରେ ଅଛି କି ବୋଲି ସମାଲୋଚନା କରିଛନ୍ତି ଚାଷୀ ଓ ଶ୍ରମିକ ନେତା ବିଭୁଦତ୍ତ ମିଶ୍ର । ଭାଷଣରେ ଅନ୍ନଦାତା, ଜୟ କିଷାନ କୁହାଯାଏ । କିନ୍ତୁ ଆବଶ୍ୟକ ସାର କିଣିବା ହେଉ କି ଧାନ ବିକିବା ବେଳେ ଚାଷୀର ସ୍ୱାଧୀନତା ନାହିଁ ବୋଲି ମଧୁସୂଦନ କ୍ଷେତି କହିଛନ୍ତି । ଉପ ଜିଲ୍ଲାପାଳ ଓ ଅନ୍ୟାନ୍ୟ ଅଧିକାରୀ ଆଲୋଚନା କରିଥିଲେ ସୁଦ୍ଧା ସମାଧାନ ସୁତ୍ର ବାହାରି ନାହିଁ । ଆନ୍ଦୋଳନ ସ୍ଥଳରେ ଚାଷୀ ସଂଖ୍ୟା ବଢୁଛି । ଅନ୍ୟ ପଟେ ରାସ୍ତା ଅବରୋଧ ଯୋଗୁଁ ଗାଡି ମୋଟର ଗୁଡିକ ମଧ୍ୟ ଉଭୟରେ ପାଶ୍ୱର୍ରେ ଲମ୍ବାଲାଇନ ଯାଏ ରହିଥିବା ଦେଖିବାକୁ ମିଳିଛି । ଦୀର୍ଘ 5ଘଣ୍ଟା ପରେ ଉପ ଜିଲ୍ଲାପାଳ ଓ ଚାଷୀଙ୍କ ଆଲୋଚନା ପରେ ହଟିଲା ଅବରୋଧ। ପ୍ରତିଶୃତି ପାଇ ଚାଷୀ ଆନ୍ଦୋଳନ ସ୍ଥଗିତ ହେଲା। ସ୍ବଭାବିକ ହେଲା ଯାତାୟତ।

hiranchal ad1
Leave A Reply

Your email address will not be published.

fifteen + 17 =