ହାଇକୋର୍ଟ ବେଞ୍ଚ ଆନ୍ଦୋଳନକୁ ଅଭୂତପୂର୍ବ ଜନ ସମର୍ଥନ

0 86

ସମ୍ବଲପୁର: ସମ୍ବଲପୁରରେ ହାଇକୋର୍ଟ ବେଞ୍ଚ ସ୍ଥାପନ ପାଇଁ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଆହ୍ୱାନ କ୍ରମେ ଆଜି ଆୟୋଜିତ ସତ୍ୟାଗ୍ରହକୁ ସମର୍ଥନ ଜଣାଇ ଏଠାରେ ବିପୁଳ ଜନ ସମାଗମ ଦେଖିବାକୁ ମିଳିଥିଲା । ଏକ ଆକଳନ ଅନୁସାରେ ଏଥିରେ ଆଜି ୧୮୦ଟି ସାମାଜିକ ସଂଗଠନର ପ୍ରତିନିଧିମାନେ ଯୋଗ ଦେଇଥିବାରୁ କଚେରୀ ଛକରେ ସହସ୍ରାଧିକ ଲୋକ ଜମା ହୋଇ ସମର୍ଥନ ଜଣାଇଥିଲେ । ପ୍ରାୟ ଦଶରୁ ଅଧିକ ସମ୍ବଲପୁରୀ ବାଦ୍ୟଦଳ ଢୋଲ, ନିଶାନ, ତାହା, ଟିମକିଡି ଓ ଝାଞ୍ଜ ବଜାଇ ସେଠାରେ ଏକ ଉତ୍ସବ ପରି ବାତାବରଣ ସୃଷ୍ଟି କରିଥିଲେ । ଶାସକ ପକ୍ଷ ବିଜୁ ଜନତା ଦଳ, ଭାରତୀୟ ଜନତା ପାର୍ଟି ଓ କଂଗ୍ରେସ ସହିତ ଏଠାକାର ପ୍ରାୟ ସବୁ ରାଜନୈତିକ ଦଳ ଏହି ଆନ୍ଦୋଳନକୁ ସମର୍ଥନ ଜଣାଇ ସେମାନଙ୍କ ନେତା ମାନଙ୍କ ସହିତ କଚେରୀ ଛକରେ ଉପସ୍ଥିତ ରହିଥିଲେ । ସବୁଠାରୁ ବଡ଼ ଆକର୍ଷଣର କେନ୍ଦ୍ର ଥିଲା ଏଠାକାର କିନ୍ନର ସମାଜ, ଯାହାର କି ପ୍ରାୟ ୫୦ ଜଣ ସଭ୍ୟ ଉତ୍ସାହ ସହକାରେ ଏଥିରେ ସାମିଲ ରହିଥିଲେ । କଚେରୀ ଛକଠାରୁ ପ୍ରାୟ ୫୦ ମିଟର ପୂର୍ବରୁ ମୁଖ୍ୟ ରାସ୍ତାରେ ପୁଲିସ ବଳଙ୍କୁ ମୁତୟନ କରାଯାଇଥିଲା ହେଲେ ଆନ୍ଦୋଳନ ପାଇଁ ଆସୁଥିବା ଜନ ସାଧାରଣ ଏହାରି ଭୃକ୍ଷେପ ନକରି ଆଗକୁ ମାଡ଼ିଯିବା ଦେଖାଯାଇଥିଲା ।

hiring

ଏହା ପରେ କଚେରୀ ଛକ ଓ ସର୍ବୋପରି ଜିଲ୍ଲା ଜଜ କାର୍ଯ୍ୟାଳୟର ଉଭୟ ଗେଟରେ ସୁରକ୍ଷା ପାଇଁ ସଶସ୍ତ୍ର ପୁଲିସ ବଳଙ୍କୁ ମୁତୟନ କରାଯାଇଥିଲା, କିନ୍ତୁ ଆନ୍ଦୋଳନକାରୀ ସେମାନଙ୍କୁ ଠେଲି ଉକ୍ତ କାର୍ଯ୍ୟାଳୟକୁ ପଶି ଯାଇଥିଲେ । ସେପଟେ ଜିଲ୍ଲା ଜଜଙ୍କ ନେତୃତ୍ୱରେ ସମସ୍ତ ବିଚାର ବିଭାଗୀୟ ଅଧିକାରୀ ପଛବାଟ ଦେଇ କାର୍ଯ୍ୟାଳୟରେ ପ୍ରବେଶ କରିଥିବା କଥା ପ୍ରଘଟ ହେଲାପରେ ସ୍ଥିତି ଅଣାୟତ୍ତ ହୋଇଥିଲା ଓ ଆକ୍ରୋଷିତ ଆନ୍ଦୋଳନ କାରୀ ବଳପୂର୍ବକ କାର୍ଯ୍ୟାଳୟରେ ପଶି ସେମାନଙ୍କୁ ବାହାରକୁ ଟାଣି ଆଣିଥିଲେ । ଏହି ସମୟରେ ସ୍ଥିତି ଟିକିଏ ଜଟିଳ ହୋଇଯାଇଥିଲା ଓ ସୁରକ୍ଷା ବଳୟ ଭିତରେ ସେମାନଙ୍କୁ ପୁଲିସ ବାହାନ ଜରିଆରେ ସୁରକ୍ଷିତ ଭାବେ ତାଙ୍କ ଘରକୁ ପଠାଯାଇଥିଲା । ଏଭଳି ଉତ୍ତେଜନା ପୂର୍ଣ୍ଣ ସ୍ଥିତି ସତ୍ତେ୍ୱ ପୁଲିସ ଓ ଜନସାଧାରଣ ଉଭୟ ପକ୍ଷରୁ କୌଣସି ପ୍ରକାରେ ହିଂସାରୁ ବିରତ ରହିଥିବାରୁ ଶାନ୍ତି ଓ ଶୃଙ୍ଖଳା ସହିତ ଆଜିର ସତ୍ୟାଗ୍ରହ ଆନ୍ଦୋଳନ ଶେଷ ହୋଇଥିଲା ।

hiranchal ad1
Leave A Reply

Your email address will not be published.

1 + 9 =