ଆନ୍ଦୋଳନ ଯୋଗୁଁ ସମଗ୍ର ଜିଲ୍ଲା ଅଦାଲତ ଅଚଳ, କଚେରୀ ଛକରେ ୧୪୪ ଧାରା ଜାରି

0 114

ସମ୍ବଲପୁର: ସମ୍ବଲପୁରରେ ଓଡ଼ିଶା ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନ ଦାବିରେ ଓକିଲ ସଂଘ ପକ୍ଷରୁ ସଞ୍ଚାଳିତ ଆନ୍ଦୋଳନକୁ ଦୃଷ୍ଟିରୁ ରଖି ଆଜି ସମଗ୍ର ଜିଲ୍ଲା ଅଦାଲତ ଅଞ୍ଚଳ ପୁଲିସ ଛାଉଣୀରେ ପରିଣତ ହୋଇଯାଇଛି । ଗତ ରାତିରୁ ସୁପ୍ରିମ କୋର୍ଟର ନିର୍ଦ୍ଦେଶ କ୍ରମେ ରାଜା ଅଧିବକ୍ତା ପରିଷଦର ପକ୍ଷରୁ ସମ୍ବଲପୁର ଜିଲ୍ଲା ଓକିଲ ସଂଘର ସମସ୍ତ ୧୬୦୦ ଓକିଲଙ୍କୁ ନିଳମ୍ବିତ କରାଯିବାରୁ ଏଠାରେ ଜିଲ୍ଲା ଅଦାଲତ ଏକରକମ ଅଚଳାବସ୍ଥାରେ ପହଞ୍ଚି ଯାଇଛି । ଏବିଷୟରେ ପଚାରିବାରୁ ଜଣେ ବରିଷ୍ଠ ଓକିଲଙ୍କ କହିବା ଅନୁସାରେ ଗତ ବୁଧବାର ଦିନ ଠାରୁ ସେମାନେ ସମସ୍ତେ କାର୍ଯ୍ୟ ବନ୍ଦ ଆନ୍ଦୋଳନ ରେ ସାମିଲ ରହିଛନ୍ତି । ଏଣୁ ସେଦିନ ଠାରୁ ଜିଲ୍ଲା କୋର୍ଟ ରେ କୌଣସି କାର୍ଯ୍ୟ ହେଉ ନାହିଁ ।
ଜିଲ୍ଲା ଅଦାଲତ ଉଭୟ ପ୍ରବେଶ ପଥରେ ସୁରକ୍ଷିତ ବ୍ୟାରିକେଡ ଲଗାଇ ନାକାବନ୍ଦୀ ଓ ସଶସ୍ତ୍ର ପୁଲିସ ବଳ ମୁତୟନ ରହିଛନ୍ତି । ସୁରକ୍ଷା ବ୍ୟବସ୍ଥା ତଦାରଖ କରିବା ପାଇଁ ଏଏସପି ତପନ କୁମାର ମହାନ୍ତି ନିଜେ କଚେରୀ ଛକରେ ଉପସ୍ଥିତ ରହିଛନ୍ତି । ସୁରକ୍ଷା ଦୃଷ୍ଟିରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉକ୍ତ ଅଞ୍ଚଳରେ ଧାରା ୧୪୪ ଜାରି କରାଯିବା ସହିତ ସେହି ଅଞ୍ଚଳରେ କୌଣସି ଓକିଲଙ୍କ ପ୍ରବେଶ ନିଷେଧ କରାଯାଇଛି । ଏହାର ଅମାନ୍ୟ କରିବା ଚେଷ୍ଟା ଅଭିଯୋଗ ରେ ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ ସେଠାରୁ ଦୁଇଜଣ ଓକିଲଙ୍କୁ ଗିରଫ କରି ପୁଲିସ ନେଇ ଯାଇଛି । ଏହି ଘଟଣା ପରବର୍ତ୍ତୀ ସମୟରେ ଅଧିକାଂଶ ଓକିଲ ଭୂମିଗତ ରହି ଆଗାମୀ ରଣନୀତି ବିଷୟରେ ଆଲୋଚନା କରୁଥିବା ଶୁଣାଯାଉଛି । ଗତ ରାତି ଠାରୁ ପର୍ଯ୍ୟାୟ କ୍ରମେ ଓକିଲ ମାନଙ୍କୁ ଗିରଫ କରାଯାଉଛି ଓ ଆଜି ମଧ୍ୟାହ୍ନ ସୁଦ୍ଧା ପ୍ରାୟ ୧୫ ଜଣ ଓକିଲଙ୍କୁ ଗିରଫ କରାଯିବା କଥା ଶୁଣି ବାକୁ ମିଳିଛି । ସୁରକ୍ଷା ଦୃଷ୍ଟିରୁ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟ ସମ୍ମୁଖରେ ପୁଲିସ ବଳ ମୁତୟନ କରାଯାଇଛି ଓ ଚାରିଆଡେ ଏକ ରହସ୍ୟମୟ ଶାନ୍ତି ଅନୁଭବ କରାଯାଉଛି ଓ ଏହାକୁ ଏକ ତୋଫାନ ପୂର୍ବବର୍ତ୍ତୀ ଶାନ୍ତି ବୋଲି ଆଶଙ୍କା କରାଯାଉଛି ।

hiranchal ad1
Leave A Reply

Your email address will not be published.

3 × 2 =